Thu. Jun 4th, 2026

ଶ୍ରମିକ ନେତା ଚୟନକୁ କେନ୍ଦ୍ର କରି ଗଣ୍ଡଗୋଳ, ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଗୁଳିମାଡ଼

296 Views

ଦଶପଲ୍ଲା : ଶ୍ରମିକ ନେତା ଚୟନ ପାଇଁ ଗ୍ରାମସଭା ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏହାକୁ କେନ୍ଦ୍ର କରି ଜଣେ ପଞ୍ଚାୟତ ନିର୍ବାହୀ ଅଧିକାରୀ (ଭିଏଲ୍‌ଡବ୍ଲ୍ୟୁ)ଙ୍କ ଉପରକୁ ଗୁଳିମାଡ଼ ହୋଇଛି। ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ ମଧ୍ୟଖଣ୍ତ ପଞ୍ଚାୟତ ମହାନ୍ତିପଲ୍ଲୀ ଗ୍ରାମରେ ଆଜି ଅପରାହ୍ଣରେ ଏଭଳି ଘଟଣା ଘଟିଥିବା ବେଳେ ପଞ୍ଚାୟତ ନିର୍ବାହୀ ଅଧିକାରୀ ମୁରଲୀଧର ବାରିକ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ଲାଗି ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ଗୁଳିମାଡ଼ ପରେ ଘଟଣାସ୍ଥଳରୁ ଦୁର୍ବୃତ୍ତ ଫେରାର ହୋଇଯାଇଛି।

ସୂଚନାଯୋଗ୍ୟ, ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ମଧ୍ୟରୁ ଜଣକୁ ଶ୍ରମିକ ନେତାଙ୍କୁ ଚୟନ କରାଯାଇଥାଏ। ଏଥିପାଇଁ ପ୍ରତି ଗ୍ରାମରେ ଗ୍ରାମସଭା କରାଯାଇ ପ୍ରତି ୫୦ ଜଣ ଶ୍ରମିକଙ୍କ ମଧ୍ୟରେ ଜଣଙ୍କୁ ଶ୍ରମିକ ନେତା ଭାବେ ଚୟନ କରାଯିବାର ନିୟମ ରହିଛି। ଏଥିପାଇଁ ଆଜି ମଧ୍ୟଖଣ୍ତ ଗ୍ରାମ ପଞ୍ଚାୟତର ଅଧିକାରୀ ମୁରଲୀଧର ବାରିକ ଏବଂ ଗ୍ରାମ ରୋଜଗାର ସେବକ (ଜିଆର୍‌ଏସ୍‌) ବିଭୁପ୍ରସାଦ ପତି ପ୍ରଥମେ ତେନ୍ତୁଳିଆପଲ୍ଲୀ ଗ୍ରାମରେ ଗ୍ରାମସଭା କରିଥିଲେ। ଏହା ପରେ ଅପରାହ୍ଣ ସାଢେ ୨ଟାରେ ଉଭୟ ଗ୍ରାମସଭା ପାଇଁ ମହାନ୍ତିପଲ୍ଲୀ ଗ୍ରାମରେ ପହଞ୍ଚିଥିଲେ। ଜିଆର୍‌ଏସ୍‌ ଶ୍ରୀ ପତି ଗ୍ରାମରେ ଥିବା ଜବ୍‌କାର୍ଡଧାରୀ ଶ୍ରମିକମାନଙ୍କୁ ଡାକିବା ପାଇଁ ଯାଇଥିବା ବେଳେ ଭିଏଲ୍‌ଡବ୍ଲ୍ୟୁ ଶ୍ରୀ ବାରିକ ଗ୍ରାମରେ ଛିଡ଼ା ହୋଇଥିଲେ।

ଏହି ସମୟରେ ଗ୍ରାମର ବାସୁ ବେହେରାଙ୍କ ପୁଅ ବିକାଶ ବେହେରା ଶ୍ରୀ ବାରିକଙ୍କୁ ଘଟଣା ସମ୍ପର୍କରେ ପଚାରିଥିଲା। ଗ୍ରାମସଭା ପାଇଁ ଆସିଛନ୍ତି ବୋଲି ଶ୍ରୀ ବାରିକ କହିବା ପରେ ଏହା ହୋଇପାରିବ ନାହିଁ ବୋଲି କହି ବିକାଶ ବିରୋଧ କରିଥିଲା। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ବିକାଶ ଏକ ପିସ୍ତଲ୍‌ ଆଣି ଶ୍ରୀ ବାରିକଙ୍କ ଉପରକୁ ଗୁଳିମାଡ଼ କରିଥିଲା। ଶ୍ରୀ ବାରିକଙ୍କ ଦୁଇ ଗୋଡ଼ରେ ୨ ରାଉଣ୍ତ ଗୁଳି ବାଜିବା ପରେ ସେ ଗୁରୁତର ହୋଇପଡ଼ିଥିଲେ। ଘଟଣାସ୍ଥଳରୁ ବିକାଶ ଫେରାର୍ ହୋଇଯାଇଥିବା ବେଳେ ଶ୍ରୀ ବାରିକଙ୍କୁ ଉଦ୍ଧାର କରାଯାଇ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଏଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ନୟାଗଡ଼ ସ୍ଥାନାନ୍ତର କରାଯାଇଛି। ଏହାକୁ ନେଇ ଦଶପଲ୍ଲା ଥାନାରେ ଲିଖିତ ଅଭିଯୋଗ ହୋଇଥିବା ବେଳେ ପୁଲିସ ଘଟଣାର ତଦନ୍ତ ଚଳାଇଥିବା ଜଣାପଡ଼ିଛି। ପୂର୍ବରୁ ବିକାଶ ନାଁରେ ବିଭିନ୍ନ ଆପରାଧିକ ମାମଲା ଥିବା ଜଣାପଡ଼ିଛି।

By amfnews

Related Post