Sun. May 12th, 2024

ଶ୍ରଦ୍ଧାଞ୍ଜଳି ଏକ ମହାନ୍‍ ଆତ୍ମା ପାଇଁ..

By Prasanta Patnaik Apr 23, 2015 #Featured
SHRADHANJALI-JBSHRADHANJALI
481 Views

ଓଡିଶାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନରେ ପ୍ରତିକ୍ରିୟା ପ୍ରକାଶ କରି ରାଜ୍ୟ କଂଗ୍ରେସର ତୁଙ୍ଗନେତା ଜାନକୀ ବଲ୍ଲଭ ପଟ୍ଟନାୟକ ବିଜୁଙ୍କୁ ‘ଝଡର ଇଗଲ୍‍ ଓ ଧରଣୀର କୃଷ୍ଣସାର’ ବୋଲି ବର୍ଣ୍ଣନା କରିଥିଲେ । ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ଭାବରେ ବିଜୁଙ୍କ ସହ ଶ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ସମ୍ପର୍କ ପ୍ରାୟତଃ ମଧୁର ନଥିଲେ ମଧ୍ୟ ମଧ୍ୟ ବିଜୁଙ୍କ ଚରିତ୍ର ଓ କାର୍ଯ୍ୟକଳାପର ଆକଳନ କରି ସେ ଯେଉଁ ମନ୍ତବ୍ୟ ଦେଇଥିଲେ, ସେଭଳି ମନ୍ତବ୍ୟ ବିରଳ ଥିଲା । ସେଇଥିରୁ ହିଁ ଶ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଚରିତ୍ରର ମହନୀୟତା ପ୍ରତିପାଦିତ ହୋଇଥିଲା ।

ଅତ୍ୟନ୍ତ ଦୁଃଖର କଥା ଯେ ଏପ୍ରିଲ୍‍ ୨୦ ତାରିଖ ରାତି୍ରର ବିଳମ୍ବିତ ପ୍ରହରରେ ଆନ୍ଧ୍ରପ୍ରଦେଶର ତିରୁପତି ଠାରେ ଏହି ମହାନ୍‍ ଜନନେତାଙ୍କର ଆକସ୍ମିକ ମୃତୁ୍ୟ ଘଟିଛି । ପରିପକ୍ୱ ବୟସରେ ସେ ଦେହତ୍ୟାଗ କରିଥିଲେ ମଧ୍ୟ ତାଙ୍କର ବିୟୋଗ ଓଡିଶା ରାଜନୀତି, ସାହିତ୍ୟ, ସଂସ୍କୃତି ଓ ଜନଜୀବନରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି କରିଛି ।
ଖୋର୍ଦ୍ଧା ଜିଲ୍ଲାର ରାମେଶ୍ୱର ଗ୍ରାମରେ ଏକ ନିମ୍ନ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିବା ଶ୍ରୀ ପଟ୍ଟନାୟକ ନିଜର ବ୍ୟକ୍ତିଗତ ପ୍ରଚେଷ୍ଟାରେ ରାଜନୀତି, ସାହିତ୍ୟ ଓ ପ୍ରତିଷ୍ଠାର ଯେଉଁ ଶୀର୍ଷ ସ୍ଥାନରେ ପହଞ୍ଚି ଥିଲେ ତାହା ସମସ୍ତଙ୍କର ପ୍ରେରଣାର ଉତ୍ସ ହୋଇପାରିଲେ ରାଜ୍ୟର ପ୍ରଶାସନ, ରାଜନୀତି , ସାହିତ୍ୟ ଓ ଜନଜୀବନରେ ଯେ ବ୍ୟାପକ ପରିବର୍ତ୍ତନ ଆଣିପାରିବ ଏଥିରେ ସନେ୍ଦହ ନାହିଁ ।
ଶ୍ରୀ ପଟ୍ଟନାୟକ ନିଜର ଅଧ୍ୟବସାୟ ଓ ପ୍ରଚେଷ୍ଟା ବଳରେ ରାଜ୍ୟ ଯୁବ କଂଗ୍ରେସର ସଭାପତି ପଦରୁ ନିଜର ରାଜନୈତିକ ଯାତ୍ରା ଆରମ୍ଭ କରି କେନ୍ଦ୍ରରେ ପ୍ରତିରକ୍ଷା ଏବଂ ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଭାବରେ ଦାୟିତ୍ୱ ତୁଲାଇବା ପରେ ୧୯୮୦ରୁ ୧୯୮୯ ଏବଂ ୧୯୯୫ରୁ ୧୯୯୯ ପର୍ଯ୍ୟନ୍ତ ଓଡିଶାର ମୁଖ୍ୟମନ୍ତ୍ରୀ ହେବାରେ ଗୌରବ ହାସଲ କରିଥିଲେ । ଶ୍ରୀ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ପଦରେ ଅଭିଷିତ ହେବା ପୂର୍ବରୁ ରାଜ୍ୟରେ ରାଜନୈତିକ ଅସ୍ଥିରତା ଲାଗି ରହିଥିଲା ଏବଂ କୌଣସି ସରକାର ଏକାଦିକ୍ରମେ ପାଞ୍ଚ ବର୍ଷ ଶାସନ କରିବା ଏକ ପ୍ରକାର ଅସମ୍ଭବ ହୋଇପଡିଥିଲା । ମାତ୍ର ୧୯୮୦ ମସିହା ଜୁନ୍‍ ୯ ତାରିଖରେ ଶ୍ରୀ ପଟ୍ଟନାୟକ ଶାସନ କ୍ଷମତାକୁ ଆସିବା ପରେ ୧୯୮୫ ମସିହା ମାର୍ଚ୍ଚ ୧୦ ପର୍ଯ୍ୟନ୍ତ ପ୍ରଥମ ଥର ଏବଂ ପରେ ପରେ ୧୦ ମାର୍ଚ୍ଚ ୧୯୮୫ରୁ ୧୯୮୯ ଡିସେମ୍ବର ୭ ପର୍ଯ୍ୟନ୍ତ ୩୪୬୯ ଦିନ ମୁଖ୍ୟମନ୍ତ୍ରୀ ଭାବରେ ଶାସନ କରି ରାଜ୍ୟର ରାଜନୈତିକ ଇତିହାସରେ ରେକର୍ଡ ସୃଷ୍ଟି କରିଥିଲେ । ପରେ ୧୯୯୫ ମସିହା ମାର୍ଚ୍ଚ ୧୫ ତାରିଖ ଠାରୁ ୧୯୯୯ ମସିହା ଫେବୃଆରୀ ୧୭ ତାରିଖ ପର୍ଯ୍ୟନ୍ତ ୧୪୩୭ ଦିନ ଶାସନ କରି ରାଜ୍ୟରେ ସ୍ଥାୟୀ ସରକାର ପ୍ରତିଷ୍ଠାର ଯେଉଁ ମୂଳଦୁଆ ପକାଇଥିଲେ ପରବର୍ତ୍ତୀ କାଳରେ ଶ୍ରୀ ନବୀନ ପଟ୍ଟନାୟକ ସେହିଭଳି ସ୍ଥାୟୀ ସରକାର ପ୍ରତିଷ୍ଠା କରିବାରେ ସକ୍ଷମ ହୋଇଛନ୍ତି । ଓଡିଶା ରାଜନୀତି ପାଇଁ ଏହା ଜାନକୀ ବାବୁଙ୍କର ସବୁଠାରୁ ବଡ ଅବଦାନ କହିଲେ ଅତୁ୍ୟକ୍ତି ହେବ ନାହିଁ ।
ଶ୍ରୀ ପଟ୍ଟନାୟକ ନିଜେ ଜଣେ ସାମ୍ବାଦିକ ଥିବାରୁ ଏବଂ ସମ୍ବାଦପତ୍ର ପ୍ରତିଷ୍ଠାନର ଦୁଃଖଦୂର୍ଦ୍ଧଶା ସମ୍ପର୍କରେ ପ୍ରତ୍ୟକ୍ଷ ଅନୁଭୂତି ଥିବାରୁ ସମ୍ବାଦପତ୍ର ଓ ସାମ୍ବାଦିକତାର ଉନ୍ନତି ପାଇଁ ସମ୍ବାଦପତ୍ରକୁ ଏକ ଶିଳ୍ପ ଭାବରେ ଘୋଷଣା କରି ଶିଳ୍ପ ସଂସ୍ଥାମାନେ ରାଜ୍ୟ ସରକାରଙ୍କ ଠାରୁ ଯେଉଁଭଳି ସୁବିଧା ସୁଯୋଗ ଓ ପ୍ରୋତ୍ସାହନ ପାଉଥିଲେ ରାଜ୍ୟର ସମ୍ବାଦପତ୍ରଗୁଡିକ ସେଭଳି ସୁଯୋଗ ଓ ପ୍ରୋତ୍ସାହନ ପାଇବା ଲାଗି ଯୋଗ୍ୟ ବିବେଚିତ ହେବା ଯୋଗୁଁ ରାଜ୍ୟରେ ସମ୍ବାଦପତ୍ରଗୁଡିକ ଅତ୍ୟାଧୁନିକ ଜ୍ଞାନକୌଶଳର ସଦୂପଯୋଗ କରି ଜାତୀୟ ସ୍ତରରେ ପ୍ରକାଶ ପାଉଥିବା ସମ୍ବାଦପତ୍ର ଭଳି ନିଜକୁ ସୁଦୃଶ କରିବା ଲାଗି ସକ୍ଷମ ହୋଇଥିଲେ ।
ଜଣେ ଉଚ୍ଚକୋଟିର ସୃଜନଶୀଳ ସାହିତି୍ୟକ ଓ ଅନୁବାଦକ ଭାବରେ ଶ୍ରୀ ପଟ୍ଟନାୟକ ଅଗ୍ରଣ ଭୂମିକା ଗ୍ରହଣ କରିଥିଲେ । ଜଣେ ପ୍ରତିଉପôନ୍ନମତି, ଦକ୍ଷ ବିଧାୟକ ଭାବରେ ତାଙ୍କର ବକୃତାବଳୀ ଓଡିଶାର ନୂଆପିଢ଼ୀର ବିଧାୟକମାନଙ୍କ ପାଇଁ ସବୁଦିନେ ଦିଗ୍‍ଦର୍ଶନ ଦେବ ।
ଓଡିଶାରେ କୃଷିର ବିକାଶ ତଥା ଦ୍ରୁତ ଶିଳ୍ପାୟନ ପାଇଁ ଶ୍ରୀ ପଟ୍ଟନାୟକ ନେଇଥିବା ପଦକ୍ଷେପଗୁଡିକ ମଧ୍ୟରୁ ରାଜ୍ୟରେ ନୂତନ ଶିଳ୍ପନୀତି ପ୍ରଣୟନ ଏବଂ ‘ହଜାର ଦିନରେ ହଜାର କୋଟି ଟଙ୍କା ବ୍ୟୟରେ ହଜାରେ ଶିଳ୍ପ’ ପ୍ରତିଷ୍ଠା ଲାଗି ତାଙ୍କ ଦୃଢ଼ ଘୋଷଣା ଓ ଶିଳ୍ପ ପ୍ରତିଷ୍ଠା ଲାଗି ବହୁବିଦ୍ଧ ସୁବିଧା ସୁଯୋଗ ଓ ପ୍ରୋତ୍ସାହନ ଯୋଗାଇ ଦେବାର କାର୍ଯ୍ୟକ୍ରମ ରାଜ୍ୟର ଯୁବ ସମାଜ ମନରେ ଉତ୍ସାହ ଓ ଉଦ୍ଧୀପନା ସୃଷ୍ଟି କରିବା ଲାଗି ସମର୍ଥ ହୋଇଥିଲେ ।
ଶ୍ରୀ ପଟ୍ଟନାୟକଙ୍କ ସହ ମୋର ଅନେକ ସ୍ମୃତି ଜଡିତ । ମୁଁ ଆମ ଗାଁର ଦାଶରଥୀ ହାଇସ୍କୁଲର ଅଷ୍ଟମ ଶ୍ରେଣୀ ଛାତ୍ର ଥିବା ସମୟରେ ତାଙ୍କର ଆମେରିକାର ଅନୁଭୂତି ସମ୍ପର୍କରେ ଭାଷଣ ଦେବା ପାଇଁ ନିମନ୍ତ୍ରିତ ହୋଇ ଯାଇଥିଲେ । ତାଙ୍କ ପରିବାର ସହ ମୋ ଜେଜେବାପା ଦାଶରଥୀ ପଟ୍ଟନାୟକ ଏବଂ ବାପା ରଘୁନାଥ ପଟ୍ଟନାୟକଙ୍କର ଘନିଷ୍ଠ ସମ୍ପର୍କ ଥିବାରୁ ତାଙ୍କ ସହ ମୋର ଆନ୍ତରିକତା ବୃଦ୍ଧି ପାଇଥିଲା । ମୁଁ ୧୯୬୩ ମସିହାରେ ରେଭେନ୍ସା କଲେଜ୍‍ର ଛାତ୍ର ଥିବା ସମୟରେ ସାମ୍ବାଦିକତା ପ୍ରତି ମୋର ଆଗ୍ରହ ଦେଖି ସେ ତାଙ୍କ ଦ୍ୱାରା ସମ୍ପାଦିତ ‘ଇଷ୍ଟର୍ଣ୍ଣ ଟାଇମ୍ସ’ ସମ୍ବାଦପତ୍ର ପାଇଁ ସମ୍ବାଦ ପଠାଇବା ଲାଗି ଉତ୍ସାହିତ କରିଥିଲେ । ପ୍ରକୃତରେ କହିବାକୁ ଗଲେ ସାମ୍ବାଦିକତାରେ ସେ ମୋତେ ଖଡି ଛୁଆଁଇଥିଲେ । ସେଥିପାଇଁ ସେ ମୋତେ ଦେଇଥିବା ପ୍ରମାଣପତ୍ରଟି ମୁଁ ଏପର୍ଯ୍ୟନ୍ତ ଅତି ଯତ୍ନରେ ସାଇତି ରଖିଛି ।
ଡ.ହରେକୃଷ୍ଣ ମହତାବଙ୍କ ଦ୍ୱାରା ପ୍ରତିଷ୍ଠିତ ଦୈନିକ ‘ପ୍ରଜାତନ୍ତ୍ର’ର ସମ୍ପାଦକ ଭାବରେ ସେ ଓଡିଶା ରାଜନୀତି, ସାମ୍ବାଦିକତା ଓ ଜନଜୀବନକୁ ବିଶେଷ ଭାବରେ ପ୍ରଭାବିତ କରିଥିଲେ । ୧୯୬୪ ମସିହାରେ ହୋଇଥିବା ରାଜ୍ୟର ଐତିହାସିକ ଛାତ୍ର ଆନେ୍ଦାଳନକୁ ବଞ୍ଚାଇ ରଖିବା ପାଇଁ ଏବଂ ତାହାର ସଫଳ ରୂପାୟନ ପାଇଁ ତାଙ୍କର ଅବଦାନକୁ ଅସ୍ୱୀକାର କରିହେବ ନାହିଁ । ସେଇ ଛାତ୍ର ଆନେ୍ଦାଳନର ସମାଧାନ ପାଇଁ ତଦନାନ୍ତୀନ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଗୁଲ୍‍ଜାରୀ ଲାଲ୍‍ ନନ୍ଦାଙ୍କୁ ରେଭେନ୍ସା କଲେଜ୍‍ ପରିସର ମଧ୍ୟକୁ ଆସିବା ପାଇଁ ବାଧ୍ୟ କରିଥିଲା ।
ଜାନକୀ ବାବୁଙ୍କ ସହ ମୋର ବ୍ୟକ୍ତିଗତ ଓ ପେଷାଗତ ଥିଲା ମଧୁର ଓ ତିକ୍ତ । ସେ ଅନୁସନ୍ଧାନମୂଳକ ଓ ସ୍ପଷ୍ଟବାଦୀ ଲେଖା ପାଇଁ ଉତ୍ସାହିତ କରୁଥିଲେ ମଧ୍ୟ ସମୟ ସମୟରେ ମୋ ଦ୍ୱାରା ପରିବେଷିତ ସମ୍ବାଦରେ କ୍ଷୁବ୍ଧ ହେଉଥିଲେ । ତଥାପି ଶେଷ ପର୍ଯ୍ୟନ୍ତ ତାଙ୍କ ସହ ମୋର ସମ୍ପର୍କ କେବେହେଲେ ଅନ୍ତ ହୋଇନଥିଲା । ସେ ମୋ ଦ୍ୱାରା ଲିଖିତ ଅଧିôକାଂଶ ଗଳ୍ପ ଓ ରାଜନୈତିକ ସମୀକ୍ଷା ପଢ଼ି ବ୍ୟକ୍ତିଗତ ଭାବରେ ତାଙ୍କର ସ୍ପଷ୍ଟ ମତ ରଖିବା ଲାଗି କେବେହେଲେ କୁଣ୍ଠିତ ହେଉନଥିଲେ । ଏପରିକି ବୈଦୁ୍ୟତିକ ଗଣମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଁ ଦେଉଥିବା ମନ୍ତବ୍ୟକୁ ମଧ୍ୟ ସେ ଗଭୀର ଭାବରେ ଅନୁଧ୍ୟାନ କରି ତାଙ୍କ ପ୍ରତିକ୍ରିୟା ଜଣାଉଥିଲେ । ଇତିମଧ୍ୟରେ ‘ଫୋକସ୍‍ ଓଡିଶା’ ଟିଭି ଦ୍ୱାରା ପ୍ରସାରିତ ‘ମୁଖ୍ୟମନ୍ତ୍ରୀ’ କାର୍ଯ୍ୟକ୍ରମରେ ଶ୍ରୀ ପଞ୍ଚାନନ କାନୁନ୍‍ଗୋ ଏବଂ ସାମ୍ବାଦିକ ଶ୍ରୀ ରବି ଦାସଙ୍କ ସହ ଓଡିଶା ରାଜନୈତିକ ଇତିହାସ ସମ୍ପର୍କରେ ତଥା ବିଭିନ୍ନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକଳାପ ସମ୍ପର୍କରେ କରାଯାଉଥିବା ଆଲୋଚନା ଦେଖି ସେ ମୋତେ ଫୋନ୍‍ କରି ତାଙ୍କ ବାସଭବନକୁ ଡକାଇଥିଲେ ଏବଂ ତାଙ୍କ ଶାସନକାଳରେ ଘଟି ଯାଇଥିବା କେତେକ ଘଟଣା ସମ୍ପର୍କରେ ମୋର ମତାମତ ବିଷୟରେ ତାଙ୍କର ପ୍ରତିକ୍ରିୟା ଜଣାଇଥିଲେ ।
ଏହି ସାକ୍ଷାତ ସମୟରେ ପରିବାରର ସମସ୍ତଙ୍କ ବିଷୟରେ ସେ ଟିକିନିଖି ଜାଣିବା ପାଇଁ ଚାହିଁଥିଲେ । ତାଙ୍କ ସହ ଘନିଷ୍ଠ ଥିବା ମୋ ସାନ ଭାଇ ଡକ୍ଟର ପ୍ରଗତୀ ନାଗାଲାଣ୍ଡରେ ଆତତାୟୀମାନଙ୍କ ଗୁଳି ମାଡରେ ନିହତ ହେବା ପରେ ତା ପରିବାରର ସ୍ଥିତି ସମ୍ପର୍କରେ ମଧ୍ୟ ପଚାରିବା ଲାଗି ଭୁଲି ନଥିଲେ ।
ସେଦିନ ମୁଁ ତାଙ୍କ ଠାରୁ ବିଦାୟ ନେଇ ଆସିବା ସମୟରେ ଆମ ଗାଁରେ ବାପାଙ୍କ ସ୍ମୃତିରେ ସ୍ଥାପିତ ରଘୁନାଥ ଆଦର୍ଶ ମହାବିଦ୍ୟାଳୟର ସ୍ଥିତି ବିଷୟରେ ପଚାରିବା ସହ ମୋ ମା’ ସ୍ମୃତି ପାଇଁ କଣ ପଦକ୍ଷେପ ନେଇଛି ବୋଲି ଜାଣିବାକୁ ଚାହିଁଥିଲେ । କଲେଜ୍‍ ପରିସରରେ ସ୍ଥାପିତ ବାପାଙ୍କର ପ୍ରତିମୂର୍ତ୍ତିର ଅନତି ଦୂରରେ ମା’ଙ୍କ ପାଇଁ ଏକ ସ୍ମୃତି ମଣ୍ଡପ ନିର୍ମାଣ କରି ସେଥିରେ ବର ଓ ଓସ୍ତ ଗଛ ଲଗାଇଥିବା ବିଷୟ କହିବାରେ ସେ ଅତିମାତ୍ରାରେ ଆନନ୍ଦିତ ହୋଇଥିଲେ ଏବଂ ସେ ନିଜେ ସେହି ମଣ୍ଡପକୁ ଉଦ୍‍ଘାଟନ କରି କଲେଜ୍‍ ପରିସରରେ କିଛି ସମୟ କଟାଇବା ଲାଗି ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ଭଗବାନ ଆମ୍ଭମାନଙ୍କୁ ସବୁଦିନ ପାଇଁ ସେ ସୁଯୋଗରୁ ବଞ୍ଚିତ କଲେ ।
ଶ୍ରୀ ପଟ୍ଟନାୟକ ଓଡିଶା ରାଜନୀତି, ସାହିତ୍ୟ, ସଂସ୍କୃତି, ପରମ୍ପରା କ୍ଷେତ୍ରରେ ଏକ ଉଦୀୟମାନ ସୂର୍ଯର୍ର୍୍ୟ ଭାବରେ ଆଲୋକ ବିତରଣ କରିବା ପରେ ଆଜି ଅସ୍ତମିତ । ଏହି ଅସ୍ତମିତ ସୂର୍ଯ୍ୟଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦ୍‍ଗତି କାମନା କରୁଛୁ ।

ପ୍ରଶାନ୍ତ ପଟ୍ଟନାୟକ
ଆସୋସିଏଟେଡ୍‍ ମିଡିଆ
କ୍ୱାଟର୍‍ ନଂ ୫.ଆର୍‍.ଏଫ୍‍/୫, ୟୁନିଟ୍‍ -୩
ମହାତ୍ମା ଗାନ୍ଧୀ ମାର୍ଗ,
ଭୁବନେଶ୍ୱର – ୭୫୧୦୦୧
ଫୋନ୍‍-୯୪୩୭୦୦୫୧୧୮

By Prasanta Patnaik

Prasanta Patnaik is one of the senior-most media personalities of Odisha. He is also one of the first founder members of the Associated Media Foundation.

Related Post