Sat. Apr 25th, 2026
150 Views

ଭୁବନେଶ୍ୱର : ଗଞ୍ଜେଇ ଚାଲାଣ ପାଇଁ ଆପଣାଇଥିଲେ ନୂଆ ତରିକା। ପୁଲିସ୍‌ ନଜରରୁ ବର୍ତ୍ତିବା ଲାଗି କଦଳୀ କାନ୍ଧି ବୋଝେଇ ଗାଡ଼ିରେ ଗଞ୍ଜେଇ ପ୍ୟାକେଟ୍ ନେଉଥିଲେ। ହେଲେ ବର୍ତ୍ତି ପାରିଲେ ନାହିଁ, ଧରାପଡ଼ିଲେ ଓ ଗିରଫ ହେଲେ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ। ସେଠାରୁ ଭୁବନେଶ୍ୱରକୁ ଏକ ଟ୍ରକ୍ ଯୋଗେ କଦଳୀ ଆସୁଥିବା ବେଳେ ସେଥିରେ ଗଞ୍ଜେଇ ରଖାଯାଇଥିଲା। ସେଥିରୁ ପ୍ରାୟ ୮୦୦ଟି ପ୍ୟାକେଟ ଗଞ୍ଜେଇ ଜବତ କରାଯାଇଛି। ଜବତ ୧୬ଶହ ୩୮ କିଲୋ ଗଞ୍ଜେଇର ଆନୁମାନିକ ମୂଲ୍ୟ ଅଢ଼େଇ କୋଟି ଟଙ୍କା ହେବ ବୋଲି କୁହାଯାଇଛି। ଏହି ଘଟଣାରେ ୪ ଗଞ୍ଜେଇ ମାଫିଆଙ୍କୁ ଗିରଫ କରାଯାଇଛି।

ଏହି ଟ୍ରକ୍‌ଟିକୁ ଆଉ ଏକ ଟ୍ରକ୍‌ ଓ କାର୍‌ ଏସ୍‌କର୍ଟ କରି ଭୁବନେଶ୍ୱର ଆଣୁଥିଲେ। ଗୋଟିଏ ଟ୍ରକ୍‌ ଓ କାର୍‌ରେ ଓଡ଼ିଶା ନମ୍ବର ଥିବାରୁ ଏଠାକୁ ଆସି ଘଟଣାର ଖୋଳତାଡ଼ ଆରମ୍ଭ କରିଛି ବିଶାଖାପାଟଣା ଡିଆରଆଇ।

ସୂଚନା ଅନୁଯାୟୀ, ବିଶାଖାପାଟଣାରୁ ଭୁବନେଶ୍ୱରକୁ ଗଞ୍ଜେଇ ଚାଲାଣ ହେଉଥିବା ନେଇ କୌଣସି ସୂତ୍ରରୁ ସୂଚନା ପାଇଥିଲା ବିଶାଖାପାଟଣା ଡିଆରଆଇ। ଏହାପରେ ଯାଞ୍ଚ ଆରମ୍ଭ କରି ଟ୍ରକ୍‌ଟିକୁ ଜବତ କରିଥିଲା। ଯାଞ୍ଚ ପରେ ସେଥିରୁ ଗଞ୍ଜେଇ ପ୍ୟାକେଟ୍‌ ଗୁଡ଼ିକୁ ଜବତ କରାଯାଇଥିଲା।

ଏହି ଗଞ୍ଜେଇ ଓଡ଼ିଶା ଆସୁଥିଲା ନା ଓଡ଼ିଶା ଦେଇ ଆଉ କେଉଁ ରାଜ୍ୟକୁ ଯାଉଥିଲା, ସେ ସମ୍ପର୍କରେ କିଛି ଜଣାପଡ଼ିନି।  ଏହି ରାକେଟ କେବେଠୁ କାମ କରୁଛି ସେ ସମ୍ପର୍କରେ ଖୋଳତାଡ଼ ଆରମ୍ଭ କରିଛି ବିଶାଖାପାଟଣା ଡିଆରଆଇ। ସେଥିପାଇଁ ଗିରଫ ୪ ବ୍ୟକ୍ତିଙ୍କୁ ମଧ୍ୟ ପଚରାଉଚରା କରାଯାଉଛି।

By amfnews

Related Post