Thu. Jun 4th, 2026

ଶମ୍ବର ଶିକାର, ବନ କର୍ମଚାରୀ ସହ ୪ ଗିରଫ:ମାଂସ, ଛୁରି ଓ କଟୁରି ଜବତ

458 Views

ଆଠମଲ୍ଲିକ: ଆଠମଲ୍ଲିକ ରେଞ୍ଜ ହାତୀଧରା ସଂରକ୍ଷିତ ଜଙ୍ଗଲରେ ଗତକାଲି ଏକ ଶମ୍ବର ଶିକାର ହୋଇଥିବା ଜଣାଯାଇଛି। ଏଥିରେ ସମ୍ପୃକ୍ତ ବନ ବିଭାଗର ଓ୍ଵାଚର ସମେତ ୪ ଜଣ ଗିରଫ ହୋଇଥିବା ବେଳେ ୫ ଜଣ ଶିକାରୀ ଫେରାର ହୋଇଯାଇଛନ୍ତି। ଗିରଫ ଶିକାରୀମାନେ ହେଲେ ନଳେଶ୍ୱର ଗ୍ରାମର ବନ ବିଭାଗ ଓ୍ଵାଚର ଜ୍ଞାନ ରଞ୍ଜନ ସାହୁ (୨୮), ରବି ଗଡ଼ନାୟକ (୫୦), ବିଜପୁର ଗ୍ରାମର ଆଶିଷ ଗଡତିଆ (୨୦), ମାଧପୁର ଗ୍ରାମର ପ୍ରଦ୍ୟୁମ୍ନ ସାହୁ (୨୫)। ଆଜି ସେମାନଙ୍କୁ କୋର୍ଟଚାଲାଣ କରାଯାଇଛି। ବନ ବିଭାଗ ସୂତ୍ରରୁ ପ୍ରକାଶ, ଗତକାଲି ହାତୀଧରା ସଂରକ୍ଷିତ ଜଙ୍ଗଲରେ କୁକୁର ସାହାଯ୍ୟରେ ୯ ଜଣ ଶିକାରୀ ୨୦ ବର୍ଷର ଏକ ଶମ୍ବରକୁ ଶୀକାର କରିଥିଲେ।

ତାକୁ ନେଇ ରବି ଗଡ଼ନାୟକଙ୍କ ଘରକୁ ଆଣିଥିଲେ। ସେଠାରୁ ପ୍ରଦ୍ୟୁମ୍ନ ସାହୁ ଏକ ମୋଟର ସାଇକେଲ (ଓଡି୧୯ଜେ୫୮୨୭) ଯୋଗେ ମାଂସ ନେଇ ନିଜ ଘର ମାଧପୁର ଅଭିମୁଖେ ବାହାରିଥିଲା। ଖବର ପାଇ ଡିଏଫ୍‌ଓ ସମ୍ୟକ ସାମନ୍ତରାଏଙ୍କ ନିର୍ଦ୍ଦେଶକ୍ରମେ ଏସିଏଫ ରାଜେନ୍ଦ୍ର ଗୋଚ୍ଛାୟତ, ଫରେଷ୍ଟର ଗିରିଜା ଶଙ୍କର ପ୍ରସାଦ, ଶୁଭେନ୍ଦୁ ପ୍ରଧାନ, ଫରେଷ୍ଟ ଗାର୍ଡ ସବିତା ବାଘ, ଦୀପକ ବେହେରା ପ୍ରମୁଖ ସଦଳବଳ ପହଞ୍ଚି ମୋଟର ସାଇକେଲ ସହିତ ମାଂସ ଓ ଶିକାରରେ ବ୍ୟବହୃତ ଛୁରି, କଟୁରି ଆଦି ଜବତ କରିଥିଲେ। ଏହି ଘଟଣାରେ ଦେଶୀ ବନ୍ଧୁକ ବ୍ୟବହାର ହୋଇଥିଲେ ମଧ୍ୟ ବନ ବିଭାଗ ଏହାର ପତ୍ତା ପାଇ ନାହିଁ। ଫେରାର ୫ ଜଣ ଶିକାରୀଙ୍କୁ ଧରିବାକୁ ବନ ବିଭାଗ ଉଦ୍ୟମ ଜାରି ରଖିଛି।

By amfnews

Related Post