Thu. Jul 30th, 2026

ଲୋକସଭା ନିର୍ବାଚନରେ ସାଧୁତା ଉପରେ ଗୁରୁତ୍ୱ ଦେଲେ ନୀତିଶ କୁମାର

243 Views

ନୂଆଦିଲ୍ଲୀ: ଏନଡିଏର ସହଯୋଗୀ ଦଳ ଜେଡି (ୟୁ)ର ମୁଖ୍ୟ ତଥା ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପୁଣି ଥରେ ସାଧୁତା ଓ ଭଲ ଗୁଣ ଉପରେ ଗୁରୁତ୍ୱ ଦେଇଛନ୍ତି। ଲଗାତାର ତିନି ତିନି ଥର ବିହାରର ମୁଖ୍ୟମନ୍ତ୍ରୀ ହୋଇଥିବା ନୀତିଶ କୁମାର ସମସ୍ତଙ୍କୁ ଏକ ବାର୍ତ୍ତା ଦେଇ କହିଛନ୍ତି ଯେ ଏଥର ଲୋକସଭା ନିର୍ବାଚନ ସାଧୁତା  ଓ ସ୍ୱଚ୍ଛତାର ସହ ହେଉ। ଏହାକୁ ଆଖି ଆଗରେ ରଖି ଜେଡି(ୟୁ) ପକ୍ଷରୁ ବିହାରର ରାଜଧାନୀ ପାଟନାଠାରେ ଏକ ନୂଆ ପୋଷ୍ଟର ଲଞ୍ଚ କରାଯାଇଛି। ଏଥିରେ ଲେଖାଅଛି ‘ସଚ୍ଚା ହେ, ଆଚ୍ଛା ହେ,ଚଲୋ ନୀତିଶ କେ ସାଥ୍‌।’ ତା’ତଳକୁ  ‘ସଂକଳ୍ପ ହମାରା ଏନଡିଏ ଦୋବାରା ବୋଲି ବି ଅବଶ୍ୟ ଲେଖା ଅଛି, ମାତ୍ର ତାହା ଛୋଟ ଅକ୍ଷରରେ ଲେଖା ଅଛି।

ଏହି ପୋଷ୍ଟର ଲଞ୍ଚ ଜରିଆରେ ଦଳ ଦର୍ଶାଇବାକୁ ଚାହେଁ ଯେ ନୀତିଶ କୁମାର ଜଣେ ସଚ୍ଚା ଲୋକ,ସେ ନିଜର ସବୁ ପ୍ରତିଶ୍ରୁତି ପାଳନ କରିଥାନ୍ତି ଓ ମିଥ୍ୟା ପ୍ରତିଶ୍ରୁତି ଦିଅନ୍ତି ନାହିଁ ବୋଲି ଜେଡି(ୟୁ)ର ସାଧାରଣ ସଂପାଦକ ରାମଚନ୍ଦ୍ର ପ୍ରସାଦ ସିଂହ କହିଛନ୍ତି। ସେ କହିଛନ୍ତି ଯେ ଜନତା ଦଳ ୟୁନାଇଟେଡର ରାଷ୍ଟ୍ରୀୟ ଉପସଭାପତି ପ୍ରଶାନ୍ତ କିଶୋରଙ୍କ ସହ ଜେଡି(ୟୁ)ର ମୁଖ୍ୟ ତଥା ବିହାରର ମୁଖ୍ୟମନ୍ତ୍ରୀ  ନୀତିଶ କୁମାରଙ୍କର କୌଣସି ମତଭେଦ ନାହିଁ। ଦଳ ଏଥର ଏକଜୁଟ ହୋଇ ଲଢ଼ିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାଜପା ସହ ମେଣ୍ଟ କରିବା ଫଳରେ ଦଳ ଅଧିକ ଲାଭବାନ୍‌ ହେବ।

By amfnews

Related Post