Thu. Jun 4th, 2026

ଲୋକସଭାରେ କ୍ଷମା ମାଗିଲେ ନାଥୁରାମଙ୍କୁ ‘ଦେଶଭକ୍ତ’ କହିଥିବା ସାଂସଦ ସାଧ୍ୱୀ ପ୍ରଜ୍ଞା

261 Views

ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇଥିବା ସାଧ୍ୱୀ ପ୍ରଜ୍ଞା ଠାକୁର ଏବେ ପୁଣି ଚର୍ଚ୍ଚାରେ। ସେ ଏଥର ପୁଣି ବିବାଦୀୟ ବୟାନଲାଗି ଚର୍ଚ୍ଚାରେ ଅଛନ୍ତି। ଲୋକସଭାରେ ଆଲୋଚନା ବେଳେ ପ୍ରଜ୍ଞା ଗାନ୍ଧିଙ୍କ ହତ୍ୟାକାରୀ ନାଥୁରାମଙ୍କୁ ‘ଦେଶଭକ୍ତ’ କହିଥିଲେ। ଲୋକସଭାରେ ଏସ୍ପିଜି (ସଂଶୋଧନ) ବିଲ୍ ଉପରେ ଆଲୋଚନା ଚାଲିଥିବା ବେଳେ ଡିଏମକେ ନେତା ଏ ରାଜା ଗଡ଼ସେଙ୍କ କଥା ଉଠାଇଥିଲେ।

ନାଥୁରାମ ଗଡ଼ସେ ମହାତ୍ମା ଗାନ୍ଧୀଙ୍କୁ କାହିଁକି ହତ୍ୟା କରିଥିଲେ ସେ ସଂକ୍ରାନ୍ତରେ ରାଜା ଗଡ଼ସେଙ୍କର ଏକ ଟିପ୍ପଣୀକୁ ରଖିଥିବା ବେଳେ ପ୍ରଜ୍ଞା ଏଥିରେ ହସ୍ତକ୍ଷେପ କରିଥିଲେ। ପ୍ରଜ୍ଞା କହିଥିଲେ ଯେ, ସେ ଜଣେ ଦେଶଭକ୍ତଙ୍କର ଉଦାହରଣ ଦେଇପାରିବେ ନାହିଁ। ଏହି ବୟାନ ପରେ ବିବାଦୀୟ ସାଂସଦ ପ୍ରଜ୍ଞା ଠାକୁରଙ୍କୁ ଭାରତୀୟ ଜନତା ପାର୍ଟି ନିନ୍ଦା କରିବା ସହ ସଂସଦୀୟ ସୁରକ୍ଷା ପାନେଲରୁ ବାଦ ଦିଆଯାଇଥିଲା।

ଏହି ପ୍ରସଙ୍ଗରେ ଆଜି ସାଧ୍ୱୀ ପ୍ରଜ୍ଞା ଠାକୁର ଲୋକସଭାରେ କ୍ଷମା ପ୍ରାର୍ଥନା କରିଛନ୍ତି। ସେ କହିଛନ୍ତି ଯେ ତାଙ୍କର କଥାକୁ ଅତିରଂଜିତ କରାଯାଇଛି। ସେ ମହାତ୍ମା ଗାନ୍ଧୀଙ୍କୁ ପ୍ରଶଂସା କରନ୍ତି ବୋଲି କହିଛନ୍ତି। ଯଦି ତାଙ୍କ କଥା କାହାରି ମନରେ ଆଘାତ ଦେଇଥିବ, ସେଥିଲାଗି ସେ କ୍ଷମା ଯାଚନା କରୁଛନ୍ତି ବୋଲି କହିଛନ୍ତି ସାଂସଦ ସାଧ୍ୱୀ ପ୍ରଜ୍ଞା ଠାକୁର। ସେ ଆହୁରି ମଧ୍ୟ କହିଛନ୍ତି ‘ ମୋତେ ଜଣେ ସାଂସଦ ଆତଙ୍କବାଦୀ କହିଛନ୍ତି | ମୋ ବିରୋଧରେ ଗୋଟିଏ ବି ଦୋଷ ସାବ୍ୟସ୍ତ ହୋଇନି।’

ଅପରପକ୍ଷରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ପ୍ରଜ୍ଞା ଠାକୁରଙ୍କୁ ଆତଙ୍କବାଦୀ ବୋଲି ଅଭିହିତ କରିଥିବା ହେତୁ ରାହୁଲ ଗାନ୍ଧୀଙ୍କୁ  କ୍ଷମା ପ୍ରାର୍ଥନା କରିବାକୁ ଦାବି କରିଛନ୍ତି | ସୂଚନାଯୋଗ୍ୟ, ରାହୁଲ ଗାନ୍ଧୀ ନିଜ ଟ୍ୱିଟରରେ ଲେଖିଥିଲେ ଯେ ଆତଙ୍କବାଦୀ ପ୍ରଜ୍ଞା ଆତଙ୍କବାଦୀ ଗଡ଼ସେଙ୍କୁ ଦେଶଭକ୍ତ କହିଛନ୍ତି | ଭାରତର ସଂସଦର ଇତିହାସରେ ଏହା ଏକ ଦୁଃଖଦ ଦିନ ବୋଲି ରାହୁଲ କହିଥିଲେ |

By amfnews

Related Post