Sat. Apr 25th, 2026

ଲୋକମାନ୍ୟ ତିଳକ ଏକ୍ସେ୍‌ପ୍ରସ୍‌ ଲାଇନ୍‌ଚ୍ୟୁତ; ଗୁରୁତର ୧୪ ଯାତ୍ରୀଙ୍କ ପରିଚୟ ମିଳିଛି, ଅଧିକାଂଶ ଓଡ଼ିଆ

255 Views

କଟକ: ଗୁରୁବାର ସକାଳ ପ୍ରାୟ ୬.୩୦ ସମୟରେ ଟାଙ୍ଗୀ ଅଞ୍ଚଳର ନିର୍ଗୁଣ୍ଡି ଷ୍ଟେସନ୍‌ ପୂର୍ବରୁ ମୁମ୍ବାଇରୁ ଭୁବନେଶ୍ୱର ଆସୁଥିବା ଲୋକମାନ୍ୟ ତିଳକ ଏକ୍ସେ୍‌ପ୍ରସ୍‌ (ଟ୍ରେନ୍‌ ନମ୍ବର ୧୨୮୭୦) ଲାଇନ୍‌ଚ୍ୟୁତ ହୋଇଥିଲା। ଏଥିରେ ପାଖାପାଖି ୩୦ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ୧୪ ଯାତ୍ରୀଙ୍କ ପରିଚୟ ମିଳିଛି। କଟକ ବଡ଼ ଡାକ୍ତରଖାନାରେ ଆହତଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ବେଳେ ଟାଙ୍ଗୀ ଡାକ୍ତରଖାନାରେ ୯ଜଣ ଯାତ୍ରୀ ଚିକିତ୍ସିତ ହେଉଛନ୍ତି। ଅନ୍ୟମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି।

ତେବେ ଏହି ଘଟଣାରେ ୧୪ ଗୁରୁତର ଯାତ୍ରୀଙ୍କ ପରିଚୟ ମିଳିଛି। ସେମାନେ ହେଲେ କଟକର ଶରତ ଚନ୍ଦ୍ର ବେହେରା(୪୯), ବାଲେଶ୍ୱରର ପୂର୍ଣ୍ଣ ଚନ୍ଦ୍ର ନାୟକ(୩୫), ଗଞ୍ଜାମର ଜିତେନ୍ଦ୍ର କୁମାର ପାଢ଼ୀ (୩୯), କଟକର ଅଶ୍ୱିନୀ କୁମାର ଲେଙ୍କା(୪୦), ସୁନାରାଣୀ ସାହୁ (୩୭-ମହିଳା), ଛତିଶଗଡ଼ର ପୁଷ୍ପାଞ୍ଜଳି ଝାଟୁଆ (୩୦-ମହିଳା), ତନିଶା ଝାଟୁଆ (୩୬-ମହିଳା) ବାଲେଶ୍ୱରର ପ୍ରଭାତ କୁମାର ରାଜ (୪୨), ଖୋର୍ଦ୍ଧାର ଜାୟଶ୍ରୀ ନାଏକ (୨୮), ନାରାୟଣ ପାତ୍ର (୫୧), ପ୍ରସନ୍ନ କୁମାର ସାହୁ (୩୫), ବାଲେଶ୍ୱରର ତନ୍ମୟ ନାୟକ (୦୨), ଦୁର୍ଯ୍ୟୋଧନ ନାୟକ(୩୮) ଓ ଜ୍ୟୋତି ନାୟକ (୨୫-ମହିଳା)।

ମିଳିଥିବା ସୂଚନା ଅନୁସାରେ, କପିଳାସ ରୋଡ୍‌ ପାରି ହେବା ପରେ ଏବଂ ନିର୍ଗୁଣ୍ଡି ଷ୍ଟେସନର ପ୍ରାୟ ୧ କିଲୋମିଟର ପୂର୍ବରୁ ଥିବା ସର୍ଦଳା ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ସେହି ଲାଇନ୍‌ରେ ଠିଆ ହୋଇଥିବା ଗୋଟାଏ ମାଲଗାଡ଼ିକୁ ଧକ୍କା ଦେବାରୁ ଯାତ୍ରୀବାହୀ ଟ୍ରେନ୍‌ଟି ଧାରଣାଚ୍ୟୁତ ହୋଇଥିଲା ବୋଲି ଜଣାପଡ଼ିଛି।

ତେବେ ଏହି ଘଟଣା ସମ୍ପର୍କରେ ଖବର ପାଇ ନଗର ଉନ୍ନୟନ ପଞ୍ଚାୟତିରାଜ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନା ଆହତଙ୍କୁ ଭେଟି ଏଭଳି ଦାୟିତ୍ୱହୀନତା ଘଟଣାକୁ ନେଇ ରେଳ ବିଭାଗକୁ ଦୋଷ ଦେଇଛନ୍ତି। ମାଲଗାଡ଼ିକୁ ଧକ୍କା ଦେଇ ଯାତ୍ରୀବାହୀ ଟ୍ରେନ୍‌ ଧାରଣାଚ୍ୟୁତ ହେବା ରେଳବିଭାଗର ଅପରାଗତାକୁ ପଦାରେ ପକାଇଥିବା କହିଛନ୍ତି ମନ୍ତ୍ରୀ ପ୍ରତାପ ଜେନା।

ଏଥିରେ କୌଣସି ଯାତ୍ରୀଙ୍କର ମୃତ୍ୟୁ ଘଟି ନ ଥିବା କଥା ବରିଷ୍ଠ ରେଳ ଅଧିକାରୀ, ଟ୍ରେନ୍‌ ଚାଳକ ଏବଂ ଟିଟିଇ ସୂଚନା ଦେଇଛନ୍ତି।

By amfnews

Related Post