Sun. Oct 18th, 2026

ଲୋକଙ୍କ ଆପତ୍ତି ଜଣାଇବାକୁ ଯାଇଥିଲେ, ଜିଲ୍ଲାପାଳ ଦୁର୍ବ୍ୟବହାର କଲେ !

242 Views

ନବରଙ୍ଗପୁର : ସାଧାରଣ ଲୋକଙ୍କ ସମସ୍ୟା ଜଣାଇବାକୁ ଯାଇଥିଲେ। ହେଲେ ଜିଲ୍ଲାପାଳ ଆପତ୍ତି ଶୁଣିବା ପରିବର୍ତ୍ତେ ବ୍ୟକ୍ତିଗତ ଆକ୍ଷପ କରି ଜଣେ ଜନ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ରଙ୍କ ବିରୋଧରେ। ଏହାର ପ୍ରତିବାଦରେ ଜିଲ୍ଲାର ସମସ୍ତ ଜନପ୍ରତିନିଧି ଶାନ୍ତିପୂର୍ଣ୍ଣ ଭାବେ ଜିଲ୍ଲାପାଳଙ୍କ ଅଫିସ୍‌ ଆଗରେ ଧାରଣାରେ ବସିଛନ୍ତି। ଏପରିକି ଦୁର୍ବ୍ୟବହାର କରିଥିବା ଜିଲ୍ଲାପାଳଙ୍କ ବଦଳି ଦାବି କରିଛନ୍ତି।

ଆଜି ଦିନ ମଧ୍ୟାହ୍ନରେ ବିଜେପିର ପୂର୍ବତନ ସାଂସଦ ବଳଭଦ୍ର ମାଝୀ, ବିଜେପି ଜିଲ୍ଲା ସଭାପତି ଜଗଦୀଶ ବିଶୋଇ, ବିଧାୟକ ପ୍ରାର୍ଥୀ ଗୌରୀ ଶଙ୍କର ମାଝି ଓ ପାର୍ଟିର ଅନ୍ୟାନ୍ୟ କର୍ମକର୍ତ୍ତାମାନେ ସ୍ଥାନୀୟ ସମସ୍ୟା ନେଇ ଜିଲ୍ଲାପାଳଙ୍କ ପାଖକୁ ଯାଇଥିଲେ। ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର ଅଭିଯୋଗ ଶୁଣିବା ପରିବର୍ତ୍ତେ ବିଜେପି ବିଧାୟକ ପ୍ରାର୍ଥୀ ଗୌରୀ ଶଙ୍କର ମାଝୀଙ୍କୁ ସମସ୍ତ ଅଧିକାରୀ ଓ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତିରେ ବ୍ୟକ୍ତିଗତ ଭାବେ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରି ଗାଲଗୁଲଜ ସହ ଅପମାନିତ କରିଥିଲେ। ଏହା ବିଜେପି କାର୍ଯ୍ୟକର୍ତ୍ତାଙ୍କ ଆତ୍ମସମ୍ମାନକୁ କୁଠାରଘାତ କରିଥିଲା ବୋଲି ବିଜେପି ଅଭିଯୋଗ କରିଛି।

ଜିଲ୍ଲାପାଳଙ୍କ ଏପରି କାର୍ଯ୍ୟକଳାପକୁ ବିଜେପି ନେତାମାନେ ବିରୋଧ କରିଛନ୍ତି। ଏପରିକି ଶାନ୍ତିପୂର୍ଣ୍ଣ ଭାବରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ଜିଲ୍ଲାପାଳଙ୍କ ବଦଳି ଦାବି କରିଛନ୍ତି। ଜିଲ୍ଲାପାଳଙ୍କ ବଦଳି ନ ହେବାଯାଏଁ ଧାରଣା ଚାଲିବ। ଜିଲ୍ଲାପାଳଙ୍କ ମନମୁଖୀ ଶାସନ ବିରୋଧରେ ସ୍ୱର ଉତ୍ତୋଳନ କରିବା ପାଇଁ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ମଧ୍ୟ ଏହି ଧାରଣାରେ ଯୋଗଦେବେ ବୋଲି କହିଛନ୍ତି।

By amfnews

Related Post