Thu. Jun 4th, 2026

ଲଜ୍ଜା : ଭିକ ମାଗୁଛନ୍ତି ୮୫ ବର୍ଷର ବୃଦ୍ଧ

262 Views

ରାଜନଗର , ଡିସେମ୍ବର ୧୫ : ଚାରିଚାରିଟା ରୋଜଗାରିଆ ପୁଅ। କିନ୍ତୁ ୮୫ ବର୍ଷ ବୟସ୍କ ବୁଢା ବାପ ଭୋକ ମେଣ୍ଟାଇବା ପାଇଁ ବଜ଼ାରରେ ବୁଲି ବୁଲି ମାଗୁଛି ଭିକ। ଚାରି ପୁଅଙ୍କ ମଧ୍ୟରୁ ବଡ଼ ପୁଅ ସରକାରୀ କର୍ମଚାରୀ। କିନ୍ତୁ ବୃଦ୍ଧ ବାପ ଏବେ ଶୀତ କାକରରେ ପର ପିଣ୍ଢାରେ ଶୋଉଛନ୍ତି। ଭରଣପୋଷଣ ପାଇଁ କୋର୍ଟ କଚେରିକୁ ବି ସେ ଯାଇଛନ୍ତି। ଶେଷରେ, ତାଙ୍କୁ ନିରାଶ ହେବାକୁ ପଡ଼ିଛି। ସାମାଜିକ ଅବକ୍ଷୟର ଏଭଳି ଏକ ଉଦାହରଣ ଦେଖିବାକୁ ମିଳିଛି ରାଜନଗର ଥାନା ଅନ୍ତର୍ଗତ ଘଡିଆମାଳ ପଞ୍ଚାୟତ ବଳରାମପୁର ଗାଁରେ। ରାମଚନ୍ଦ୍ର ପ୍ରଧାନଙ୍କ ବୟସ ୮୫। ରାମଚନ୍ଦ୍ରଙ୍କ ୪ ପୁଅ ଶଙ୍କର୍ଷଣ, ବାବୁଲା, ଗୁରିଆ ଓ ରବି। ବଡ଼ ପୁଅ ଶଙ୍କର୍ଷଣ ବନ ବିଭାଗର ନିୟମିତ କର୍ମଚାରୀ। ବାବୁଲା ଗାଁରେ ଚାଷ କରୁଥିବା ବେଳେ ଗୁରିଆ ସୁରଟରେ ଠିକାଦାରୀ କରୁଛନ୍ତି। ସାନ ପୁଅ ରବି କେରଳରେ ପ୍ଲାଏଉଡ କାରଖାନାରେ କାମ କରୁଛନ୍ତି। ସମସ୍ତ ପୁଅ ବିବାହିତ। ଚାରି ପୁଅବୋହୂ ବୁଢା ବାପାକୁ ଖାଇବାକୁ ନ ଦେଇ ଘରୁ ତଡ଼ି ଦେଇଥିବା ଅଭିଯୋଗ କରିଛନ୍ତି ରାମଚନ୍ଦ୍ର।

ଆଜି ରାଜନଗର ବଜ଼ାରରେ ବୁଲି ଭିକ ମାଗିବା ବେଳେ କୋହ ସମ୍ଭାଳି ପାରି ନ ଥିଲେ। କାନ୍ଦକାନ୍ଦ ହୋଇ କ୍ଷୋଭର ସହ କହିଥିଲେ, ତାଙ୍କର ପୁଅ ବୋଲି କେହି ନାହାନ୍ତି। ୪ ପୁଅଙ୍କୁ ଜନ୍ମ ଦେଇଥିଲି। ବୁଢା କାଳେ ଖୁସିରେ ରହିବି ବୋଲି ଆଶା କରିଥିଲି। ହେଲେ ସେମାନେ ଘରୁ ତଡ଼ି ଦେଲେ। ଶୀତରେ ବାହାରେ ଶୋଉଛି। ଏବେ ପର ଘରେ ମାଗି ଖାଉଛି ବୋଲି କହିବା ବେଳେ ତାଙ୍କ ଆଖିରୁ ଲୁହ ଝରି ପଡ଼ିଥିଲା। ରାମଚନ୍ଦ୍ର ୫୦୦ ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ପାଉଛନ୍ତି। ନିଜର ଭରଣପୋଷଣ ଦାବିରେ ପୁଅମାନଙ୍କ ନାମରେ କୋର୍ଟରେ ମାମଲା ବି କରିଛନ୍ତି। ପତ୍ନୀ ଅନେକ ବର୍ଷ ପୂର୍ବରୁ ତାଙ୍କ ଠାରୁ ଅଲଗା ହୋଇ ଯାଇଥିବାବେଳେ ସେ ଏବେ ସଂପୂର୍ଣ୍ଣ ଅସହାୟ ହୋଇ ପଡିଛନ୍ତି। କିନ୍ତୁ କନିକା ରେଞ୍ଜ ଅନ୍ତର୍ଗତ ଥାନପତି ବିଟ୍‌ରେ ବନରକ୍ଷୀ ଭାବେ କାର୍ଯ୍ୟ କରୁଥିବା ରାମଚନ୍ଦ୍ରଙ୍କ ବଡ ପୁଅ ଶଙ୍କର୍ଷଣ କହିବା ଅନୁଯାୟୀ, ‘ବୁଢାର ପ୍ରକୃତି ସେଇଆ। ସବୁ ମାସରେ ୫ ଶହ ଟଙ୍କା ଦେଉଛି। ଏ ମାସରେ ଦେଇନାହିଁ ବୋଲି ଏଭଳି ହେଉଛନ୍ତି।’

By amfnews

Related Post