Sun. Sep 20th, 2026

ରୌପ୍ୟ ବିଜେତା ୪ ଓଡିଆ ମହିଳା ହକି ଖେଳାଳିଙ୍କୁ ଚାରି କୋଟି ଦେବେ ରାଜ୍ୟ ସରକାର

310 Views

ଭୁବନେଶ୍ୱର, ୧ ସେପ୍ଟେମ୍ବର:

ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ବିଜେତା ଓଡ଼ିଶାର ୪ ମହିଳା ହକି ଖେଳାଳିଙ୍କ ପାଇଁ ମୁଖ୍ୟମନ୍ତ୍ରୀ ପୁରସ୍କାର ଘୋଷଣା କରିଛନ୍ତି। ପ୍ରତ୍ୟେକ ଖେଳାଳିଙ୍କୁ ୧ କୋଟି ଟଙ୍କା ଲେଖାଏଁ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ସେମାନେ ହେଲେ ସୁନୀତା ଲାକ୍ରା, ନମିତା ଟପ୍ପୋ, ଲିଲିମା ମିଞ୍ଜ ଓ ଦୀପଗ୍ରେସ୍‌ ଏକ୍କା। ସମସ୍ତଙ୍କୁ ସମୁଦାୟ ଚାରି କୋଟି ଟଙ୍କା ରାଜ୍ୟ ସରକାର ପୁରସ୍କାର ସ୍ୱରୂପ ଦେବେ। ଏହା ବ୍ୟତୀତ ଏସିଆନ୍ ଗେମସ୍ ର ପଦକ ବିଜେତାମାନଙ୍କର ପ୍ରଶିକ୍ଷକମାନଙ୍କୁ ମଧ୍ୟ ପୁରସ୍କୃତ କରାଯିବ । ପ୍ରଶିକ୍ଷକମାନଙ୍କୁ ପଦକ ବିଜେତା ପାଉଥିବା ଅର୍ଥ ପୁରସ୍କାରର ତତୂଲ୍ୟ ୨୦ ପ୍ରତିଶତ ଅର୍ଥ ପୁରସ୍କାର ଭାବେ ପ୍ରଦାନ କରାଯିବ ।

ସୂଚନାଯୋଗ୍ୟ, ଗତକାଲି ଇଣ୍ଡୋନେସିଆ ଜାକାର୍ତ୍ତାରେ ଆନୁଷ୍ଠିତ ଏସିଆନ ଗେମ୍ସର ଫାଇନାଲରେ ଭାରତୀୟ ମହିଳା ହକି ଦଳ ପରାଜୟ ବରଣ କରିଥିଲା। କଡ଼ା ମୁକାବିଲାରେ ଜାପାନ ହାତରୁ ୧-୨ରେ ପରାସ୍ତ ହୋଇଥିଲା ଭାରତ । ଯଦ୍ୱାରା ରୌପ୍ୟ ପାଇବା ପାଇଁ ଭାରତୀୟ ହକି ଦଳ ବିବେଚିତ ହୋଇଥିଲା। ଏହି ମହିଳା ଦଳରେ ଉପରୋକ୍ତ ୪ ଓଡ଼ିଆ ଖେଳୁଥିଲେ।  ପ୍ରକାଶ ଥାଉ କି, ୧୯୯୮ ପରେ ପ୍ରଥମ ଥର ଏସୀୟ କ୍ରୀଡାରେ ଭାରତୀୟ ମହିଳା ହକି ଦଳ ରୌପ୍ୟ ପଦକ ଜିତିଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ,  ଏସୀୟ କ୍ରିଡାରେ ଦୁଇ ଥର ରୌପ୍ୟ ବିଜୟିନୀ ଧାବିକା ଦୂତି ଚାନ୍ଦ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ଘୋଷିତ ୩ କୋଟି ଟଙ୍କାର ଚେକ୍ ଗ୍ରହଣ କରିଥିଲେ।

By amfnews

Related Post