Sat. Aug 22nd, 2026

ରୋଗୀଙ୍କ ସଂଖ୍ୟା ନେଇ ବଢ଼ିବ ଆଇସିୟୁ ଶଯ୍ୟା

248 Views

ଭୁବନେଶ୍ଵର : ରୋଗୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟର ସରକାରୀ ଡାକ୍ତରଖାନାଗୁଡ଼ିକରେ ଆଇସିୟୁ ଶଯ୍ୟା ବଢ଼ାଇବା ଓ ନୂତନ ଆଇସିୟୁ ପ୍ରତିଷ୍ଠା କରାଯିବା ଉପରେ ଗୁରୁତ୍ବାରୋପ କରିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା। ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ସମେତ କ୍ୟାପିଟାଲ ହସ୍ପିଟାଲ, ଶିଶୁ ଭବନ, ଆଚାର୍ଯ୍ୟ ହରିହର କର୍କଟ ପ୍ରତିଷ୍ଠାନ ଓ ଅନ୍ୟ ଡାକ୍ତରଖାନାମାନଙ୍କରେ ରୋଗୀ ସଂଖ୍ୟା ଦୃଷ୍ଟିରୁ ଆଇସିୟୁ କିମ୍ବା ହାଇ ଡିପେଣ୍ଡାନ୍‌ସ ୟୁନିଟ୍ ପ୍ରତିଷ୍ଠା କରାଯିବ। ଏନେଇ ଅନୁଶୀଳନ କରି ଖୁବଶୀଘ୍ର ବିଧିବଦ୍ଧ ପ୍ରସ୍ତାବ ଦେବାକୁ ଶ୍ରୀ ଜେନା ବିଭାଗକୁ ନିର୍ଦେଶ ଦେଇଛନ୍ତି। ଏହାସହ ମାନବସମ୍ବଳର ଆବଶ୍ୟକତା ଦର୍ଶାଇବାକୁ କୁହାଯାଇଛି।

ଭିତ୍ତିଭୂମିର ବିକାଶ ପାଇଁ ନିର୍ମାଣାଧୀନ ନୂତନ ପ୍ରକଳ୍ପଗୁଡ଼ିକର ନିର୍ମାଣ କାର୍ଯ୍ୟକୁ ତ୍ବରାନ୍ବିତ କରି ନିର୍ଧାରିତ ସମୟରେ ସଂପୂର୍ଣ୍ଣ କରିବା ଓ ଯେଉଁ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ଆରମ୍ଭ ହୋଇନାହିଁ ସେସବୁ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବାକୁ ନିର୍ଦେଶ ଦିଆଯାଇଛି। ସାର୍ବଜନୀନ ଚକ୍ଷୁ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ପାଇଁ ଶ୍ରୀ ଜେନା ପରାମର୍ଶ ଦେଇଛନ୍ତି।

ସଚିବାଳୟରେ ଅନୁଷ୍ଠିତ ଏହି ବୈଠକରେ ସ୍ବାସ୍ଥ୍ୟ ସଚିବ ଡା.ପ୍ରମୋଦ ମେହେର୍ଦା, ସାର୍ବଜନୀନ ଚକ୍ଷୁ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ କ୍ଷମତାସଂପନ୍ନ କମିଟିର ଅଧ୍ୟକ୍ଷ ଡା.ଟି.ପି ଦାସ, ଅତିରିକ୍ତ ଶାସନ ସଚିବ ହରିବଲ୍ଲଭ ମିଶ୍ର, ବି.ବି ଦାସ, ପୂର୍ତ ବିଭାଗ ମୁଖ୍ୟଯନ୍ତ୍ରୀ(ବିଲ୍ଡିଂ) ଏସ୍.ଆର ସେଠୀ, ଡିଏମ୍‌ଇଟି ଡା.ସୋନାମାଲି ବାଗ୍, ସ୍ବାସ୍ଥ୍ୟସେବା ନିର୍ଦେଶକ ଡା.ହରପ୍ରସାଦ ପଟ୍ଟନାୟକ, କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକ ଡା. ଚନ୍ଦ୍ରିକା ପ୍ରସାଦ ଦାସ, ଉପ-ଅଧୀକ୍ଷକ ଡା.ଧନଞ୍ଜୟ ଦାସ, ଏଏଚ୍‌ଆର୍‌ସିସି ନିର୍ଦେଶକ ଡା.ଲଲାଟେନ୍ଦୁ ଷଡ଼ଙ୍ଗୀ ଓ ଯୁଗ୍ମ ଡିଏମ୍‌ଇଟି ଡା.ଉମାକାନ୍ତ ଶତପଥୀଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀ ଉପସ୍ଥିତ ଥିଲେ।

By amfnews

Related Post