Thu. Jun 4th, 2026

ରାୟଗଡା ଜେକେ ପେପର ମିଲରେ ତାଲା ପକାଇ ଶ୍ରମିକଙ୍କ ଆନ୍ଦୋଳନ ଜାରି

501 Views

ରାୟଗଡା, ଅଗଷ୍ଟ ୩୧:

ରାୟଗଡା ଜେକେ ପେପର ମିଲରେ ପୁଣି ଶ୍ରମିକ ଅସନ୍ତୋଷ ଦେଖାଦେଇଛି। କମ୍ପାନୀ ଆଗରେ ଦୀର୍ଘ ୮ ଦିନ ଧରି ଆନ୍ଦୋଳନ ଜାରି ରଖିଥିବା ଠିକା ଶ୍ରମିକ ସଂଘର ଦାବି ପୂରଣ ନହେବାରୁ ସେମାନେ ସଂପୃକ୍ତ ମିଲରେ ତାଲା ପକେଇ ଦେଇଛନ୍ତି। କମ୍ପାନୀ ବନ୍ଦ ରହିବା ଫଳରେ କମ୍ପାନୀ କୋଟି କୋଟି ଟଙ୍କାର କ୍ଷତି ସହିବ ବୋଲି ଆକଳନ କରାଯାଉଛି।

ସୂଚନାଯୋଗ୍ୟ, ଜେକେ ପେପର ମିଲରେ ଗତ ୨୪ ତାରିଖରୁ ଶ୍ରମିକ ଅଶାନ୍ତି ଚାଲୁ ରହିଛି। ପ୍ରଶାସନ ଓ କମ୍ପାନୀ କର୍ତ୍ତୃପକ୍ଷଙ୍କ ତରଫରୁ ଶ୍ରମିକ ସଂଗଠନର ୧୪ ଦଫା ଦାବିକୁ ନେଇ ବିଭିନ୍ନ ସମୟରେ ଆଲୋଚନା ହୋଇଥିଲେ ମଧ୍ୟ ଏଥିରେ କୌଣସି ନିଷ୍କର୍ସ ବାହାରି ପାରିନାହିଁ। ଶ୍ରମିକ ସଂଗଠନ ପକ୍ଷରୁ ଦିଆଯାଇଥିବା ୧୪ଦଫା ଦାବି ମଧ୍ୟରେ ପ୍ରମୁଖ ଦାବିଗୁଡିକ ହେଲା ଅଣକୁଶଳୀ ଶ୍ରମିକଙ୍କ ପାଇଁ ଦିନକୁ ୬୯୨ଟଙ୍କା ହିସାବରେ ମାସିକ ୧୮ହଜାର ଟଙ୍କା ଦରମା ପ୍ରଦାନ, ସମାନ କାମକୁ ସମାନ ଦରମା, ଶ୍ରମିକଙ୍କୁ ଇଏସଆଇ, ଇପିଏଫ ଅର୍ନ୍ତଭୁକ୍ତ କରାଯିବା, ଶ୍ରମିକଙ୍କ ସୁରକ୍ଷା ପାଇଁ ସମସ୍ତ ସୁରକ୍ଷା ଆଇନକୁ କାର୍ଯ୍ୟକାରୀ କରିବା, ଫ୍ୟାକ୍ଟିର ଆକ୍ଟ ଅନୁଯାୟୀ ମହିଳା ଓ ପୁରୁଷ ଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର ବିଶ୍ରାମ କକ୍ଷ, ପରିସ୍ରାଗାର, ୱାସରୁମ, ଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା, କାରଖାନା ଆଇନ ଓ ରୁଲକୁ ସଂପୁର୍ଣ୍ଣ ଭାବେ କା୍ର୍ୟ୍ୟକାରୀ କରିବା, ଠିକା ଶ୍ରମିକଙ୍କ ପାଇଁ ୧୫ଲକ୍ଷ ଟଙ୍କାର ଗ୍ରୁପ୍ ବୀମା, ଦୁର୍ଘଟଣାରେ ମୃତ୍ୟୁବରଣ କରୁଥିବା ଠିକା ଶ୍ରମିକଙ୍କ ପିଲାଙ୍କୁ ସ୍ଥାୟୀ ନିଯୁକ୍ତି, ଶ୍ରମିକଙ୍କୁ ୨ ୦ପ୍ରତିଶତ ବୋନସ ଏବଂ ଏକ୍ସଗ୍ରାସିଆ ପ୍ରଦାନ କରିବା, ପୁରୁଷ ଶ୍ରମିକଙ୍କୁ ୨ଯୋଡା ୟୁନିଫର୍ମ ଓ ମହିଳାଙ୍କୁ ୨ଟି ଶାଢୀ ପ୍ରଦାନ କରିବା, ସ୍ଥାନୀୟ ବେକାର ଯୁବକଯୁବତୀଙ୍କୁ ଜେକେ ପେପର ମିଲ କର୍ତୁପକ୍ଷ ନିଯୁକ୍ତି ଦେବା ସହ ଅନ୍ୟାନ୍ୟ ଦାବିଗୁଡିକର ସମାଧାନ କରିବା ସହ ପିସ୍ ରେଟ ଶ୍ରମିକ ପାଇଁ ସମାନ ସ୍ଳାବ ରେଟ୍, ସମସ୍ତ ଠିକା ଶ୍ରମିକଙ୍କୁ ୧୦ବର୍ଷ ପରେ କରିବା ଭଳି ଦାବିଗୁଡିକ ରହିଛି।

ତେବେ ଗତକାଲି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆନ୍ଦୋଳନକାରୀ ଓ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ନେଇ ତ୍ରିପାକ୍ଷିକ ଆଲୋଚନା ହୋଇଥିଲା । ମାତ୍ର ପୂର୍ବ ପରି ସମାଧାନର ନିଷ୍କର୍ସ ବାହାରି ପାରିନଥିଲା । କମ୍ପାନୀ କର୍ତ୍ତୃପକ୍ଷ ଶ୍ରମିକଙ୍କ ଦାବି ପୂରଣ କରିବାରେ ଅସମର୍ଥ ହୋଇଥିଲେ। ଫଳରେ ଠିକା ଶ୍ରମିକ କର୍ମଚାରୀ ସଂଘ ଆଜି କମ୍ପାନୀରେ ତାଲା ପକାଇ ଦେଇଛନ୍ତି।

By amfnews

Related Post