Thu. Jul 2nd, 2026

ରାଜ୍ୟ ମାନବାଧିକାର କମିସନ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ଜଷ୍ଟିସ ବିପି ଦାସ

334 Views

ଭୁବନେଶ୍ୱର: ରାଜ୍ୟ ମାନବାଧିକାର କମିସନ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ଜଷ୍ଟିସ ବିମଳ ପ୍ରସାଦ ଦାସ | ଦୀର୍ଘ ୬ ବର୍ଷ ୭ ମାସ ପରେ ଓଡ଼ିଶା ମାନବ ଅଧିକାର ଆୟୋଗରେ ନିୟମିତ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଇଛନ୍ତି । ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ବିମଳ ପ୍ରସାଦ ଦାସଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିବା ବେଳେ ବିଶିଷ୍ଟ ଆଇନଜୀବୀ ଅସୀମ ଅମିତାଭ ଦାଶଙ୍କୁ ଆୟୋଗର ସଦସ୍ୟ ଭାବେ ନିଯୁକ୍ତି ମିଳିଥିଲା । ୧୯୫୦ ମସିହା ନଭେମ୍ବର ୧୫ ତାରିଖରେ ଜଷ୍ଟିସ ବିମଳ ପ୍ରସାଦ ଦାସ କଟକ ଜିଲ୍ଲା ସାଲେପୁର ବ୍ଲକ ଧର୍ମଗତପୁର ଗାଁରେ ଜନ୍ମ ଗ୍ରହଣ କରିଥିଲେ।

କଟକ ଖ୍ରୀଷ୍ଟ କଲେଜିଏଟ ସ୍କୁଲରୁ ବିଦ୍ୟାଳୟ ଶିକ୍ଷା ଶେଷକରି ତତ୍କାଳୀନ ରେଭେନସା କଲେଜରୁ ସ୍ନାତକ ଡିଗ୍ରି ହାସଲ କରିଥିଲେ। ୧୯୭୨ ମସିହାରେ ଉତ୍କଳ ବିଶ୍ବବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକତ୍ତୋର ପାସ କରିବା ପରେ ୧୯୭୪ରେ କଟକସ୍ଥିତ ମଧୁସୂଦନ ଲ’ କଲେଜରୁ ଏଲ.ଏଲ.ବି ଡିଗ୍ରି ହାସଲ କରିଥିଲେ। ପରେ ଓଡ଼ିଶା ହାଇକୋର୍ଟରେ ଜଣେ ଆଇନଜୀବୀ ଭାବରେ ୧୯୭୪ରୁ ୧୯୭୯ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ୧୯୯୬ରୁ ୧୯୯୭ ପର୍ଯ୍ୟନ୍ତ ଜଷ୍ଟିସ ଦାସ ରାଜ୍ୟ ବାର୍‌ କାଉନସିଲର ସଦସ୍ୟ ରହିଛନ୍ତି।

ସମ୍ବିଧାନ, କର ବ୍ୟବସ୍ଥା, ଦେଵାନୀ, ଫୌଜଦାରୀ, ରାଜସ୍ବ, ଶ୍ରମ ଓ ପରିବେଶ ସଂକ୍ରାନ୍ତ ମାମଲାରେ ଜଷ୍ଟିସ ଦାସ ଅନେକ ସଫଳତା ପାଇଛନ୍ତି। ୧୯୯୯ରେ ସେ ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ପୁରୀ ଶ୍ରୀମନ୍ଦିର ସୁରକ୍ଷା ଓ ଭକ୍ତଙ୍କ ସୁବିଧା ଦର୍ଶନ ପାଇଁ ରାଜ୍ୟ ସରକାର ପୁରୀ ଶ୍ରୀମନ୍ଦିର ସଂସ୍କାର କମିସନ ଦାୟିତ୍ବ ୨୦୧୬ ଜାନୁଆରିରେ ଜଷ୍ଟିସ ଦାସଙ୍କୁ ପ୍ରଦାନ କରିଥିଲେ। ମାତ୍ର ବର୍ଷେ ୩ ମାସ ପରେ ସେ ତାଙ୍କର ପ୍ରଥମ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିଥିଲେ। ମୋଟ ଦୁଇଟି ଅନ୍ତରୀଣ ରିପୋର୍ଟ ସରକାରଙ୍କୁ ଜଷ୍ଟିସ ବି.ପି ଦାସ କମିସନ ପ୍ରଦାନ କରିଛନ୍ତି। ଜଷ୍ଟିସ ଦାସଙ୍କ ସୁପାରିସ ଆଧାରରେ ଏବେ ଶ୍ରୀମନ୍ଦିର ଚାରିପଟୁ ୭୫ ମିଟର ପର୍ଯ୍ୟନ୍ତ ନିର୍ମାଣ ହଟାଇବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି।

By amfnews

Related Post