Fri. Jul 3rd, 2026

ରାଜନୈତିକ ଶତ୍ରୁତାରୁ ଦଳିତ ଯୁବକଙ୍କୁ ହତ୍ୟା

341 Views

ମାହାଙ୍ଗା , ଡିସେମ୍ବର ୧୫ : ରାଜନୈତିକ ଶତ୍ରୁତାରୁ ମାହାଙ୍ଗା ଥାନା ଅନ୍ତର୍ଗତ ନୁର୍ତ୍ତାଙ୍ଗ ଗ୍ରାମରେ ମୁଣ୍ଡ ଗଡ଼ିଛି। ଗତକାଲି ରାତି ୯ଟା ସମୟରେ ଜଁକୋଟୀ ଶୁକୁନଇ ବନ୍ଧ ରାସ୍ତା ପାର୍ଶ୍ବ ବିଲ ଭିତରେ ଅତ୍ୟନ୍ତ ବୀଭତ୍ସ ଭାବେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ଏହି ଘଟଣାରେ ଅନ୍ୟ ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତ ଯୁବକ ହେଉଛନ୍ତି ସ୍ବର୍ଗତ ଯଚିନ୍ଦ୍ର ଯେନାଙ୍କ ପୁଅ ବିକାଶ ଯେନା। ଏହି ହତ୍ୟାକାଣ୍ଡରେ ୧୫ରୁ ଅଧିକ ଯୁବକ ସଂପୃକ୍ତ ଥିବା କୁହାଯାଉଛି।

ଅଭିଯୋଗ ଅନୁଯାୟୀ ବିକାଶ ଏବ˚ ସ୍ବର୍ଗତ ପ୍ରଫୁଲ୍ଲ ଯେନାଙ୍କ ପୁତ୍ର ପରେଶ ଯେନା ଗତକାଲି ରାତିରେ ଯଁକୋଟୀ ଗ୍ରାମକୁ ଧାନକଟା ମୂଲିଆ ଠିକ୍‌ କରିବାକୁ ଯାଇଥିଲେ। ବିକାଶ ଓ ପରେଶ ଯଁକୋଟୀ ଗ୍ରାମ ଦେବତୀଙ୍କ ନିକଟରେ ଛିଡା ହୋଇଥିବାବେଳେ ପାଖାପାଖି ୧୫ ଜଣ ବ୍ୟକ୍ତି ଉଭୟଙ୍କୁ ଆକ୍ଷେପ କରି ଗାଳିଗୁଲଜ କରିଥିଲେ। ବିକାଶ ଓ ପରେଶ ଏହାର ପ୍ରତିବାଦ କରିବାରୁ ଉଭୟ ପକ୍ଷ ମଧ୍ୟରେ ବଚସା ହୋଇଥିଲା। ଉତ୍ତେଜନା ବଢିବା ସହ ବିକାଶ ଏବ˚ ପରେଶଙ୍କୁ ସେମାନେ ଧାନ ବିଲ ମଝିକୁ ଘୋଷାଡି ନେଇ ଠେଙ୍ଗା, ଶାବଳ, ଖଣ୍ତା ଓ ରଡରେ ଆକ୍ରମଣ କରିଥିଲେ। ପରେଶଙ୍କ ଡାହାଣ ହାତ ଓ ପିଠିରେ ମାଡ ହେବା ପରେ ସେ ବିଲ ମଝିରେ ଦୋୖଡି ପଳାଇ ଥିଲେ। ବିକାଶ କିନ୍ତୁ ଆକ୍ରମଣକାରୀଙ୍କ କବଳରୁ ମୁକୁଳି ପାରି ନଥିଲେ। ବିକାଶ ଗୁରୁତର ଅବସ୍ଥାରେ ସେଠାରେ ପଡିଥିବା ବେଳେ ଉପସ୍ଥିତ ଥିବା ବ୍ୟକ୍ତିଙ୍କ ମଧ୍ୟରୁ କେତେ ଜଣ ତାଙ୍କୁ ଆମ୍ବୁଲାନ୍ସ ଡାକି ମାହାଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇ ଦେଇଥିଲେ। ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ କଟକ ବଡ ମେଡିକାଲ ପଠାଇ ଦେଇଥିଲେ। ସେଠାରେ ବିକାଶଙ୍କ ମୃତ୍ୟୁ ଘଟିଥିଲା।

ରାଜନୈତିକ ଶତ୍ରୁତାରୁ ନୁର୍ତ୍ତାଙ୍ଗ ସରପଞ୍ଚଙ୍କ ସ୍ବାମୀ ପ୍ରଫୁଲ୍ଲ ବିଶ୍ବାଳ ଓ ତାଙ୍କ ସହଯୋଗୀମାନେ ହତ୍ୟା କରିଥିବା ବିକାଶଙ୍କ ବଡ ଭାଇ ମାନସ ଯେନା ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ଆହତ ପରେଶ ମେଡିକାଲରେ ଚିକିତ୍ସିତ ହେଉଥିବାବେଳେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଭଲଥିବା ଜଣାପଡିଛି।

ପଞ୍ଚାୟତ ନିର୍ବାଚନ ଦିନଠାରୁ ଏହି ଗ୍ରାମରେ ରାଜନୈତିକ ହି˚ସା ଲାଗି ରହିଥିବାରୁ ସେଠାରେ ଏକ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଗତକାଲି ଏହି ଘଟଣା ସମୟରେ ଗ୍ରାମରେ ପୁଲିସ ଉପସ୍ଥିତ ଥାଇ ବି ଏଭଳି ଜଘନ୍ୟ କାଣ୍ଡ ଘଟିଛି। ତୁରନ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

By amfnews

Related Post