Sun. Jul 5th, 2026

ରମାଦେବୀ ବିଶ୍ୱବିଦ୍ୟାଳୟ ଗେଟ୍‌ରେ ତାଲା

214 Views

ଭୁବନେଶ୍ୱର : ଛାତ୍ର ସଂସଦ ନିର୍ବାଚନକୁ ରାଜ୍ୟ ସରକାର ବନ୍ଦ କରି ଦେଇଥିବାରୁ ଏହାର ପ୍ରତିବାଦରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଗେଟ୍‌ରେ ଛାତ୍ରୀମାନେ ତାଲା ପକାଇଛନ୍ତି। ଏହାସହ କଲେଜ ଗେଟ୍‌ ସମ୍ମୁଖରେ ବିକ୍ଷୋଭ କରିବା ସହ ଛାତ୍ରୀମାନେ ଧାରଣାରେ ବସିଛନ୍ତି। ନିର୍ବାଚନ ବନ୍ଦ ପାଇଁ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କୁ ଦାୟୀ କରି ତାଙ୍କର ଫଟୋରେ କେତେକ ଛାତ୍ରୀ କଳା ବୋଳିଛନ୍ତି। ନିର୍ବାଚନ ବନ୍ଦ କରି ରାଜ୍ୟ ସରକାର ଗଣତନ୍ତ୍ରକୁ ହତ୍ୟା କରିଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି।

ତେବେ ଆଉ ଗୋଟିଏ ଗୋଷ୍ଠୀ ଛାତ୍ରୀ ସରକାରଙ୍କ ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି। ନିର୍ବାଚନ ସପକ୍ଷବାଦୀ ଓ ବିପକ୍ଷବାଦୀ ଛାତ୍ରୀ ଗୋଷ୍ଠୀ ମଧ୍ୟରେ ଯୁକ୍ତିତର୍କ ଦେଖିବାକୁ ମିଳିଛି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଛାତ୍ରୀଙ୍କୁ ବୁଝାସୁଝା କରିଛି।

ସୂଚନାଯୋଗ୍ୟ, ଅଗଷ୍ଟ ୨୨ ତାରିଖରେ ରାଜ୍ୟ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି, ସରକାରୀ କଲେଜ ପ୍ରିନ୍ସିପାଲ ଓ ଅନୁଦାନପ୍ରାପ୍ତ ବେସରକାରୀ କଲେଜର ପ୍ରିନ୍ସିପାଲମାନଙ୍କୁ ଚଳିତବର୍ଷ ଛାତ୍ର ସଂସଦ ନିର୍ବାଚନ ନ ହେବା ପାଇଁ ଚିଠି ଲେଖି ଅବଗତ କରିଥିଲେ।

ଶ୍ରୀ ମିଶ୍ର ତାଙ୍କ ଚିଠିରେ ଦର୍ଶାଇଥିଲେ ଯେ, ଛାତ୍ର ସମୁଦାୟର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଚଳିତବର୍ଷ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ ନକରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଯେଉଁ ବିଶ୍ୱବିଦ୍ୟାଳୟ ଓ କଲେଜରେ ଛାତ୍ରମାନଙ୍କ ପ୍ରତିନିଧିଙ୍କ ଆବଶ୍ୟକତା ଥିବ, ସେଠାରେ ଛାତ୍ର ପ୍ରତିନିଧି ମନୋନୀତ କରିବା ପାଇଁ ବିକଳ୍ପ ବ୍ୟବସ୍ଥା କରାଯିବ। ଏନେଇ ଆବଶ୍ୟକ ପଦକ୍ଷେପ ନେବାକୁ ବିଶ୍ୱବିଦ୍ୟାଳୟ ଓ କଲେଜ କର୍ତ୍ତୃପକ୍ଷମାନଙ୍କୁ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ। ଉଲ୍ଲେଖଯୋଗ୍ୟ, ସେପ୍ଟେମ୍ବର ୩୦ତାରିଖରେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ହେବାର କାର୍ଯ୍ୟକ୍ରମ ରହିଥିଲା।

By amfnews

Related Post