Fri. Jun 12th, 2026

ଯୁବକଙ୍କୁ ହତ୍ୟା, ବାଲି ମାଫିଆମାନେ ଜେସିବି ଚଢ଼ାଇ ମାରି ଦେଇଥିବା ଅଭିଯୋଗ, ପ୍ରତିବାଦରେ ରାସ୍ତା ଅବରୋଧ

246 Views

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ଜଣେ ଯୁବକଙ୍କୁ ବାଲି ମାଫିଆମାନେ ଜେସିବି ଚଢ଼ାଇ ମାରି ଦେଇଥିବା ଅଭିଯୋଗ ହୋଇଛି। ମୃତ ଯୁବକଙ୍କ ନାମ ହେଲା ମଣ୍ଟୁ ତରାଇ। ସେ ଗତ କିଛି ଦିନ ହେବ ଏହି ଅଞ୍ଚଳରେ ଚାଲିଥିବା ବେଆଇନ ବାଲି ଖାଦାନ କାରବାରକୁ ବିରୋଧ କରୁଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ଦେବଷୋଳ ଗ୍ରାମ ପଞ୍ଚାୟତର ରାମଚନ୍ଦ୍ରପୁର ଗ୍ରାମରେ ମଣ୍ଟୁ ତରାଇ (୩୨)ଙ୍କୁ ହତ୍ୟା କରାଯାଇଛି। ତାଙ୍କୁ ସେହି ଗ୍ରାମର କିଛି ବାଲି ମାଫିଆ ହତ୍ୟା କରିଥିବାର ସନ୍ଦେହ କରାଯାଉଛି। ମଣ୍ଟୁ ପୂର୍ବରୁ ସିଆରପିଏଫ୍ ଯବାନଭାବେ କାମ କରୁଥିଲେ। କିଛି ଦିନ ତଳେ ସେ ଚାକିରି ଛାଡ଼ି ଗାଆଁରେ ରହୁଥିଲେ।

ଏହି ଘଟଣାର ପ୍ରତିବାଦରେ ମୃତ ଯୁବକ ମଣ୍ଟୁ ତରାଇଙ୍କ ଶବକୁ ରାସ୍ତାରେ ରଖି ମୂଷାମାରିଠାରେ ସ୍ଥାନାୟ ଲୋକେ ରାସ୍ତା ଅବରୋଧ କରିଥିବା ଜଣାଯାଇଛି। ରାସଗୋବିନ୍ଦପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବାପରେ ରାସ୍ତା ଅବରୋଧ ହଟିଥିଲା। ଏହି ଘଟଣା ସେହି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

By amfnews

Related Post