Sun. Sep 6th, 2026

ଯାଜପୁରରେ ଜଗନ୍ନାଥ ଚେତନା ମହାଧିବେଶନ

424 Views

ଯାଜପୁରଟାଉନ/ସଦର : ଭକ୍ତିଭାବରେ ବୁଡ଼ିଲା ପୂରା ଯାଜପୁର। ଘଣ୍ଟ, ଘଣ୍ଟା, ଖୋଳକରତା, ଝାଂଜରେ ପ୍ରକମ୍ପିତ ହୋଇଥିଲା ସହରର ରାଜରାସ୍ତା। ହରିବୋଲ ହୁଳହୁଳି ଧ୍ବନିରେ ପ୍ରକମ୍ପିତ ହୋଇଥିଲା ପରିବେଶ। ଶୋଭାଯାତ୍ରାରେ ସାମିଲ ହୋଇଥିଲେ ଶହ ଶହ ସଂକୀର୍ତ୍ତନ ମଣ୍ଡଳୀ। ସାଥିରେ ଥିଲେ ହଜାର ହଜାର ଶ୍ରଦ୍ଧାଳୁ। ଘରେ ଘରେ ପୂରେ ପୂରେ ପ୍ରଚାରିତ ଓ ପ୍ରସାରିତ ହୋଇଥିଲା ଜଗନ୍ନାଥ ଚେତନା ବାର୍ତ୍ତା। ଏମିତି ଏକ ଭାବମୟ ପରିବେଶରେ ଆଜିଠାରୁ ଆରମ୍ଭ ହୋଇଛି ଜଗନ୍ନାଥ ଚେତନା ମହାଧିବେଶନ। ବାଳାଶ୍ରମ ପଡ଼ିଆ ପାଲଟିଯାଇଛି ଜଗନ୍ନାଥ ଧାମ।

୧୦ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ମହା ଆୟୋଜନର ପ୍ରଥମ ଦିନରେ ଶ୍ରୀ ମନ୍ଦିରରୁ ଅଜ୍ଞାମାଳ ଆସି ମା’ ବିରଜାଙ୍କ ନିକଟରେ ପହଞ୍ଚିଥିଲା। ସେଠାରେ ଜିଲ୍ଲାପାଳ ରଂଜନ କୁମାର ଦାସ, ଉପ ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ପୂର୍ବତନ ପୌରାଧ୍ୟକ୍ଷ ଭବ ପ୍ରସାଦ ଦାସ, ଜିଲ୍ଲା ବିଜେଡି ସଭାପତି ସରୋଜ ମହାପାତ୍ର, ଜଗନ୍ନାଥ ଦାସ, କର୍ଣ୍ଣାଟକେଶରୀ ଦାସ, ସନ୍ତୋଷ ମଲିକ, ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ବିଜୟ ମହାନ୍ତିଙ୍କ ସମେତ ବହୁ ବ୍ୟକ୍ତିଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମର ମୁଖ୍ୟ ସୂର୍ଯ୍ୟ ନାରାୟଣ ରଥଶର୍ମାଙ୍କ ପୌରାହିତ୍ୟରେ ପୂଜା ଅନୁଷ୍ଠିତ ହୋଇଥିଲା।

ଜିଲ୍ଲାର କୋଣ ଅନୁକୋଣରୁ ଆସିଥିବା ୩୦୦ରୁ ଅଧିକ କୀର୍ତ୍ତନ ମଣ୍ଡଳୀର ପାଖାପାଖି ୧୦ ହଜାରରୁ ଊର୍ଧ୍ବ ସଦସ୍ୟଙ୍କ ଗହଣରେ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲା।

ଶିବିରରେ ଭକ୍ତଙ୍କ ମନରେ ଜଗନ୍ନାଥଙ୍କୁ ନେଇ ଥିବା ଧାରଣା, ଶ୍ରୀ ମନ୍ଦିର, ବାଇଶି ପାହାଚ, ମହା ପ୍ରସାଦ ଓ ଅନ୍ୟ ରୀତିନୀତି ସଂପର୍କରେ ଶିକ୍ଷା ପାଇପାରିବେ।

ପଡିଆରେ ୪୫୦ ଫୁଟ ଦୈର୍ଘ୍ୟ ଓ ୪୫୦ ଫୁଟ ଓସାରର ମେଘନାଦ ପାଚେରି ଦ୍ବାରା ଆବୃତ କରାଯାଇଛି। ପୁରୀର ଅବିକଳ ଭାବେ ସିଂହଦ୍ବାର, ଅରୁଣ ସ୍ତମ୍ଭ, ଗରୁଡ ସ୍ତମ୍ଭ, ୬୨ ଫୁଟ ଯଜ୍ଞ ମଣ୍ଡପ, ୭୫ ଫୁଟ ଉଚ୍ଚତାର ମନ୍ଦିର, ୩୦ ଫୁଟର ଦୁର୍ଗାମୂର୍ତ୍ତି ପ୍ରସ୍ତୁତ କରାଯାଇଛି।

By amfnews

Related Post