Thu. Oct 1st, 2026

ମୋରଡ଼ାରେ ତୀବ୍ର ହେଉଛି ବିଜେଡି ଗୋଷ୍ଠୀକନ୍ଦଳ : ବିଧାୟକଙ୍କୁ ବାଦ୍‌ ଦେଇ ଜନସମ୍ପର୍କ ପଦଯାତ୍ରା

319 Views

ବାରିପଦା/ଦେଉଳି, ନଭେମ୍ବର ୨୯ : ମୟୂରଭଞ୍ଜର ମୋରଡ଼ା ନିର୍ବାଚନମଣ୍ଡଳୀରେ ବିଜେଡିର ଗୋଷ୍ଠୀ ବିବାଦ ପଦାରେ ପଡ଼ିଛି। ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓଙ୍କୁ ବାଦ୍‌ ଦେଇ ଏଠାରେ ଗୋଟିଏ ଗୋଷ୍ଠୀ ଆଜି ଜନସମ୍ପର୍କ ପଦଯାତ୍ରାର ଆୟୋଜନ କରିଛି। ଏହି ଘଟଣାରେ ପ୍ରବୀଣ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ବିଧାୟକ ଅରୁଣ ସାହୁଙ୍କ ଆଡ଼କୁ ଆଙ୍ଗୁଳି ନିର୍ଦ୍ଦେଶ କରିବା ପରେ ଘଟଣାର ରାଜନୈତିକ ଗୁରୁତ୍ବ ବଢ଼ିଯାଇଛି।

ଆଜି ଶୁଳିଆପଦା ବ୍ଲକ୍‌ କୋଷ୍ଠାରେ ଆୟୋଜିତ ବିଜେଡିର ଜନସମ୍ପର୍କ ପଦଯାତ୍ରାର ଆୟୋଜନ କରିଥିଲା। ଏହାର ନେତୃତ୍ବ ନେଇଥିଲେ ସ୍ଥାନୀୟ ଯୁବ ନେତା କୃଷ୍ଣ ଦାସ। ତେବେ, ପଦଯାତ୍ରାରେ ବିଧାୟକ ଉପସ୍ଥିତ ନଥିବାବେଳେ ଦଳୀୟ ପର୍ଯ୍ୟବେକ୍ଷକ ଗଣେଶ ମହାପାତ୍ର ଉପସ୍ଥିତ ଥିଲେ। ତେଣୁ ବିଜେଡି ପକ୍ଷରୁ ଏହି ପଦଯାତ୍ରାକୁ ସବୁଜ ସଙ୍କେତ ମିଳିଥିବା କୁହାଯାଉଥିବାବେଳେ ବିଧାୟକ ଓ ତାଙ୍କ ସମର୍ଥକମାନଙ୍କ ଅନୁପସ୍ଥିତି ଜିଲ୍ଲା ବିଜେଡିରେ ହଲଚଲ୍ ସୃଷ୍ଟି କରିଛି।

ଏହି ପ୍ରସଙ୍ଗରେ ଜିଲ୍ଲା ପର୍ଯ୍ୟବେକ୍ଷକ ଅରୁଣଙ୍କ ବିରୋଧରେ ବିଧାୟକ ପ୍ରବୀଣ ମୁହଁ ଖୋଲିଛନ୍ତି। ମୋରଡ଼ା ନିର୍ବାଚନମଣ୍ତଳୀରେ ପଦଯାତ୍ରା ହୋଇଥିଲେ ସୁଦ୍ଧା ବିଧାୟକଭାବେ ତାଙ୍କୁ ସାମିଲ କରାଯାଇନଥିବା ଅଭିଯୋଗ କରି ପ୍ରବୀଣ ଏଥିପାଇଁ ସିଧାସଳଖ ଅରୁଣଙ୍କୁ ଦାୟୀ କରିଛନ୍ତି। ଅରୁଣ ହିଁ ଦଳ ମଧ୍ୟରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ସେ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ, ଏ ନେଇ ପର୍ଯ୍ୟବେକ୍ଷକ ଅରୁଣଙ୍କ ପ୍ରତିକ୍ରିୟା ଲୋଡ଼ାଯିବାରୁ ସେ ବିଜାତଳା ଉପନିର୍ବାଚନରେ ବ୍ୟସ୍ତ ଥିବାରୁ ଏବିଷୟରେ କିଛି ଜାଣିନଥିବା ପ୍ରକାଶ କରିଛନ୍ତି।

ପ୍ରକାଶଥାଉକି, ବିଜାତଳାର ୩୨ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ ପାଇଁ ଉପନିର୍ବାଚନ ହେଉଛି।

By amfnews

Related Post