Sun. Apr 26th, 2026

ମୃତ ମହିଳାଙ୍କ ଠାରୁ ଅଣାଯାଇ ପ୍ରତିରୋପିତ ହୋଇଥିବା ଜରାୟୁରୁ ଜନ୍ମ ହେଲା ବିଶ୍ୱର ପ୍ରଥମ ଶିଶୁ

431 Views

ଲଣ୍ଡନ, ଡିସେମ୍ବର ୦୫ : ଜଣେ ମୃତା ମହିଳାଙ୍କ ଦେହରୁ ଅଣାଯାଇ ଜଣେ ବ୍ରାଜିଲୀୟ ମହିଳାଙ୍କ ଦେହରେ ପ୍ରତିରୋପିତ ଜରାୟୁ ଜରିଆରେ ବିଶ୍ୱରେ ପ୍ରଥମ ଥର ପାଇଁ ସଫଳତାର ସହ ଜନ୍ମ କରାଯାଇଛି ଏକ ଶିଶୁ କନ୍ୟା।‘ଦି ଲାନ୍‌ସେଟ୍‌ ମେଡିକାଲ୍‌ ଜର୍ଣ୍ଣାଲ୍‌’ରେ ପ୍ରକାଶିତ ଆଲେଖ୍ୟରେ ଉଲ୍ଲେଖ କରାଯାଇଛି ଯେ ପ୍ରତିରୋପଣ ସମୟରେ ଦାତାଙ୍କ ଜରାୟୁ ଶିରାପ୍ରଶିରା ସହ ଗ୍ରହୀତାଙ୍କ ଶିରାପ୍ରଶିରା, ଧମନୀ, ଲିଗାମେଣ୍ଟ୍‌ ଏବଂ ଭେଜିନାଲ୍‌ କେନାଲ୍‌ ଆଦି ସଂଯୋଗ କରାଯାଇଥିଲା।

ଏହା ପୂର୍ବରୁ ଯୁକ୍ତରାଷ୍ଟ୍ର ଆମେରିକା, ଚେକ୍‌ ରିପବ୍ଲିକ୍‌ ଏବଂ ତୁର୍କୀରେ ୧୦ଟି ଜରାୟୁ ପ୍ରତିରୋପଣ କରାଯାଇଥିଲେ ବି କେଉଁଟିରେ ଜୀବନ୍ତ ଶିଶୁ ଜାତ ହୋଇ ନ ଥିଲେ।ବ୍ରାଜିଲୀୟ ମହିଳାଙ୍କର ୩୫ ସପ୍ତାହ ତିନି ଦିନ ଗର୍ଭ ଧାରଣ ପରେ ସିଜେରିଆନ୍‌ କୌଶଳରେ ୨, ୫୫୦ ଗ୍ରାମ୍‌ ଓଜନବିଶିଷ୍ଟ ଝିଅଟିକୁ ଜନ୍ମ କରାଯାଇଥିଲା।ବ୍ରାଜିଲ୍‌ସ୍ଥିତ ସାଓ ପାଉଲୋ ବିଶ୍ୱବିଦ୍ୟାଳୟ ଡାକ୍ତରଖାନାର ଡାକ୍ତର ଡେନି ଏଜିନ୍‌ବର୍ଗ କହନ୍ତି: ୩୨ ବର୍ଷୀୟ ଗ୍ରହୀତାଙ୍କ ଦେହରେ ୨୦୧୬ ମସିହାରେ ଜରାୟୁ ପ୍ରତିରୋପଣ କରାଯାଇଥିଲା।

ମୃତ ଦେହରୁ ଜରାୟୁ ଆଣି ପ୍ରତିରୋପଣ କରିବା ଘଟଣା ଏଇଟା ପ୍ରଥମ। ସମ୍ପ୍ରତି କେବଳ ଜୀବନ୍ତ ମହିଳାଙ୍କ ଠାରୁ ଜରାୟୁ ଆଣି ପ୍ରତିରୋପଣ କରାଯାଇ ପାରୁଛି।କିନ୍ତୁ ମୃତା ଏବଂ ଜୀବନ୍ତ ମହିଳାଙ୍କ ଠାରୁ ପ୍ରାପ୍ତ ଜରାୟୁ ପ୍ରତିରୋପଣର ସୁଫଳ ଓ କୁଫଳ ସଂକ୍ରାନ୍ତରେ ତୁଳନାତ୍ମକ ଅଧ୍ୟୟନ କରାଯାଇ ନାହିଁ। ଏହା ଉପରେ ଅଧିକ ଗବେଷଣା ଆବଶ୍ୟକ।ସ୍ୱିଡେନ୍‌ରେ ଜଣେ ଜୀବନ୍ତ ମହିଳାଙ୍କ ପ୍ରଦତ୍ତ ଜରାୟୁ ମାଧ୍ୟମରେ ୨୦୧୩ରେ ପ୍ରଥମ ଶିଶୁ ଜନ୍ମ ହୋଇଥିଲା।

By amfnews

Related Post