Tue. May 7th, 2024

ମୃତ୍ୟୁ ଭେଟି ଦେଉଛି ମୁକୁଳା ଡ୍ରେନ୍‌ : ୪ ବର୍ଷରେ ମଲେଣି ୬, ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବି ମାନୁନାହାନ୍ତି

By amfnews Aug 15, 2018 #Featured
136 Views

ଭୁବନେଶ୍ୱର : ରାସ୍ତାକଡ଼ରେ ମୃତ୍ୟୁର ଜାଲ ବିଛା ଯାଇଛି। ଟିକେ ଅସାବଧାନତା ହିଁ ଜୀବନ ନେଇଯାଉଛି। ମୁକୁଳା ଡ୍ରେନ୍‌ ଏବେ ମୃତ୍ୟୁଯନ୍ତା ପାଲଟିଛି। ଯାହା ରାଜଧାନୀବାସୀଙ୍କୁ ଅକାଳ ମୃତ୍ୟୁ ଭେଟି ଦେଉଛି। ଗତ ଚାରି ବର୍ଷରେ ୬ଜଣ ଏହି ମୁକୁଳା ଡ୍ରେନ୍‌ରେ ପଡ଼ି ମଲେଣି। ଶତାଧିକ ବି ଆହତ ହେଲେଣି। ହେଲେ ପ୍ରଶାସନ ଚେତୁନି। ଲୋକ ମୁକୁଳା ଡ୍ରେନ୍‌ରେ ପଡ଼ି ମରିବା ପରେ ଆଶ୍ୱାସନା ଜଣାଇବାକୁ ନେତା ଓ ଅଧିକାରୀଙ୍କ ସୁଅ ଛୁଟୁଛି। କିନ୍ତୁ ଏହାର ସ୍ଥାୟୀ ସମାଧାନ କରିବାକୁ ବୁଦ୍ଧି ଜୁଟୁନି।

ରାଜଧାନୀରେ ଯେତିକି ରାସ୍ତା ଅଛି ତା’ର ଚାରି ଭାଗରୁ ଭାଗେ ରାସ୍ତାରେ ଡ୍ରେନ୍‌ ନିର୍ମାଣ ହୋଇଛି। ସେଥିରୁ ପୁଣି ଅଧାରୁ ଅଧିକ ମୁକୁଳା। କେଉଁଠି ଡ୍ରେନ୍‌ ତିନି ଫୁଟ ତ କେଉଁଠି ଦୁଇ ଫୁଟ ଗଭୀର। ଏମିତି ଢାଞ୍ଚାରେ କେତୋଟି ଡ୍ରେନ୍‌ ନିର୍ମାଣ ହୋଇଛି, ଯେଉଁଥିରେ ପଡ଼ିଲେ ମୃତ୍ୟୁ ସୁନିଶ୍ଚିତ। କିନ୍ତୁ ଏହି ଡ୍ରେନ୍‌ ଉପରେ ଘୋଡ଼ଣୀ ପକାଇବାକୁ ପଦକ୍ଷେପ ନିଆଯାଉନି।

ମୁକୁଳା ଡ୍ରେନ୍‌ରେ ପଡ଼ି ଗୋଟେ ପରେ ଗୋଟେ ଜୀବନ ଯାଉଛି। ବର୍ଷା ଦିନେ ଡ୍ରେନ୍‌ରେ ପଡ଼ି ଖଣ୍ଡିଆ ଖାବରା ହେଉଥିବା ଲୋକଙ୍କ ସଂଖ୍ୟା ବଢ଼ୁଛି। ହେଲେ ବିଏମ୍‌ସି, ପୂର୍ତ୍ତ କି ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କର ଏଥି ପ୍ରତି ନିଘା ନାହିଁ।

କୌଣସି ଡ୍ରେନ୍‌ ମୁକୁଳା ପଡ଼ିବନି, ଡ୍ରେନ୍‌ ନିର୍ମାଣ ହେବା ପରେ ଏହା ଉପରେ ସ୍ଲାବ୍‌ ପକାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅଛି। ହେଲେ ରାଜଧାନୀରେ ଯେଉଁଠିକୁ ଚାହିଁବ ସେଠି ଡ୍ରେନ୍‌ ମୁକୁଳା। ନିୟମ ଅନୁଯାୟୀ ଯେଉଁଠି ରାସ୍ତା ହେବ, ତାହା କଡ଼ରେ ଡ୍ରେନ୍‌ ହେବ। ହେଲେ ଏବେ ବି ବହୁ ରାସ୍ତା ଅଛି ଯେଉଁଠି ଡ୍ରେନ୍‌ ନାହିଁ। ରାଜଧାନୀରେ ଜାତୀୟ ରାଜପଥ, ପୂର୍ତ୍ତ ଓ ବିଏମ୍‌ସିର ୧୬୫୭କିମି ରାସ୍ତା ଥିବା ବେଳେ ପ୍ରାୟ ୪୧୦କିମି ଡ୍ରେନ୍‌ ହୋଇଛି। ଯେଉଁଥିରୁ ପ୍ରାୟ ୨୫୦କିମି ଡ୍ରେନ୍‌ ମୁକୁଳା ପଡ଼ିଛି। ହେଲେ ବିଏମ୍‌ସି ଅଧିକାରୀ କହୁଛନ୍ତି ଆମର ବଜେଟ୍‌ ଅନୁଯାୟୀ ଡ୍ରେନ୍‌ ନିର୍ମାଣ କରୁଛୁ। ଆଗରୁ ଡ୍ରେନ୍‌ ଉପରେ ସ୍ଲାବ୍‌ ପକାଇବାକୁ ନିୟମ ନ ଥିଲା। ଗତ ଦୁଇବର୍ଷ ହେଲା ନିୟମ ହୋଇଛି। ଯେଉଁ ଡ୍ରେନ୍‌ ନିର୍ମାଣ ହେବ, ତାହା ଉପରେ ସ୍ଲାବ୍‌ ପଡ଼ିବ। ତେଣୁ ଏବେ ନୂଆ ଡ୍ରେନ୍‌ ନିର୍ମାଣ ସହ ପୁରୁଣା ଡ୍ରେନ୍‌ର ମରାମତି ହେଉଛି ଏବଂ ସ୍ଲାବ୍‌ ପଡ଼ୁଛି। ସବୁ ଡ୍ରେନ୍‌ରେ ସ୍ଲାବ୍‌ ପକାଇବାକୁ ସମୟ ଲାଗିବ। ପୂର୍ତ୍ତ ବିଭାଗ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ତ ଗାଇଡଲାଇନ୍‌ ଅଛି ଯେ ଯେଉଁଠି ରାସ୍ତା ନିର୍ମାଣ କରିବେ ତାହା କଡ଼ରେ ଘୋଡ଼ଣୀ ଥିବା ଡ୍ରେନ୍‌ ନିର୍ମାଣ କରିବେ। କିନ୍ତୁ ବହୁ ସ୍ଥାନରେ ଡ୍ରେନ୍‌ ମୁକୁଳା ଛାଡ଼ି ଦିଆଯାଉଛି।

By amfnews

Related Post