Sat. Oct 17th, 2026

ମୁମ୍ବାଇର ବସ୍ତି ଅଞ୍ଚଳକୁ ବ୍ୟାପିଲା କରୋନା, ଜଣେ ମୃତ

259 Views

ମୁମ୍ବାଇ: ଏସିଆର ସବୁଠାରୁ ବଡ଼ ବସ୍ତି କୁହାଯାଉଥିବା ମୁମ୍ବାଇର ଧାରାଭି ଅଞ୍ଚଳରେ କରୋନା ପ୍ରବେଶ କରିଛି। ବୁଧବାର ଏଠାରେ କରୋନା ଯୋଗୁ ଆକ୍ରାନ୍ତ ହୋଇଥିବା ଜଣେ ୫୬ ବର୍ଷୀୟ ବ୍ୟକ୍ତିଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ବୁଧବାର ସନ୍ଧ୍ୟାରେ ଏହି ବ୍ୟକ୍ତିଙ୍କ ଅବସ୍ଥା ଥଣ୍ଡା ଓ କାଶ ଯୋଗୁ ସାଂଘାତିକ ହେବାରୁ ତାଙ୍କୁ ସିଓନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ତାଙ୍କର ମୃତ୍ୟୁ ହେବାରୁ ତାଙ୍କ ଘରେ ରହୁଥିବା ୭ ଜଣଙ୍କୁ ହୋମ କ୍ୱାରେଣ୍ଟାଇନରେ ରଖାଯାଇଛି। ଏହି ବସ୍ତିରେ ପ୍ରାୟ ଗୋଟିଏ ମିଲିୟନରୁ ଅଧିକ ଲୋକ ବସବାସ କରନ୍ତି। ତେଣୁ କରୋନା ବସ୍ତିରେ ପ୍ରବେଶ କରିଥିବାରୁ ଏହା ସଂକ୍ରମିତ ହେବାର ଆଶଙ୍କା ବଢ଼ି ଯାଇଛି। ଏହି ବ୍ୟକ୍ତି ଜଣଙ୍କ ବିଦେଶ ଯାଇ ନଥିଲେ। ତଥାପି କାହାର ସଂସ୍ପର୍ଶରେ ଆସି କୋଭିଡ-୧୯ରେ ଆକ୍ରାନ୍ତ ହୋଇଥିବା ପ୍ରାଥମିକ ତଦନ୍ତରୁ ସାମ୍ନାକୁ ଆସିଛି। ପ୍ରଶାସନ ପକ୍ଷରୁ ବ୍ୟକ୍ତି ଜଣଙ୍କ ରହୁଥିବା ଘରକୁ ସିଲ କରିଦିଆଯାଇଛି।

କରୋନାର ଅନ୍ୟତମ ହଟସ୍ପଟ ଭାବେ ମୁମ୍ବାଇକୁ ଚିହ୍ନଟ କରାଯାଇଛି। କାରଣ ସୋମବାର ଠାରୁ ୨୪ ଘଣ୍ଟା ମଧ୍ୟରେ ଏଠାରେ ପ୍ରାୟ ୫୯ଟି ନୂଆ କରୋନା ରୋଗୀ ସାମ୍ନାକୁ ଆସିଥିଲେ। ଅନ୍ୟପକ୍ଷରେ ବୁଧବାର ବ୍ରିହାନ ମୁମ୍ବାଇ ମ୍ୟୁନସିପାଲ କର୍ପୋରେସନ ୱର୍ଲି କୋଲିୱାଡ ଅଞ୍ଚଳର ପ୍ରାୟ ୮୬ ଜଣଙ୍କୁ କ୍ୱାରେଣ୍ଟାଇନରେ ରଖିଥିଲା। ଏହି ଅଞ୍ଚଳରେ କରୋନା ବ୍ୟାପିବାର ଆଶଙ୍କା ଥିବାରୁ ପ୍ରଶାସନ ଏଭଳି ପଦକ୍ଷେପ ନେଇଥିଲା।

By amfnews

Related Post