Fri. Apr 24th, 2026

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଆତ୍ମାହୁତି ଉଦ୍ୟମ

251 Views

ଭୁବନେଶ୍ୱର , ଜାନୁଆରୀ ୨୯ : ବିଭିନ୍ନ ଜିଲ୍ଲାରେ ଶିକ୍ଷା ବିଭାଗରେ ପୁନଃ ଥଇଥାନ ଯୋଜନାରେ ପୂରଣ ହେବାକୁ ଥିବା ପଦବିକୁ ନେଇ ସରକାର କିଛି ପଦକ୍ଷେପ ନେଉ ନାହାନ୍ତି। ଦୀର୍ଘ ଦିନରୁ ବିଭିନ୍ନ କାଗଜପତ୍ର ପ୍ରସ୍ତୁତ କରିବା ସହ ସରକାରଙ୍କ ନିକଟରେ ଉପସ୍ଥାପନ କରିଥିଲେ ମଧ୍ୟ ପଦବି ପୂରଣ ନେଇ ନିଷ୍ପତ୍ତି ନିଆଯାଉ ନାହିଁ। ଏହାକୁ ବିରୋଧ କରି ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ କେତେକ ଆବେଦନକାରୀ ଆତ୍ମାହୁତି ଉଦ୍ୟମ କରିଥିଲେ। ଘଟଣାସ୍ଥଳରେ କ୍ୟାପିଟାଲ ଥାନା ପୁଲିସ ପହଞ୍ଚି ଏପରି ଉଦ୍ୟମ କରୁଥିବା ୫ ଜଣଙ୍କୁ ଅଟକ ରଖିଥିଲା।

ଅଭିଯୋଗ ମୁତାବକ, ରାଜ୍ୟରେ ଏହି ଯୋଜନାରେ ପ୍ରାୟ ଦେଢ଼ ଶହ ଆବେଦନକାରୀ ରହିଛନ୍ତି। ଗତ ଏପ୍ରିଲ ମାସରେ ସମସ୍ତଙ୍କର କାଗଜପତ୍ର ଯାଞ୍ଚ କରାଯାଇଛି। କାଗଜପତ୍ରରେ ସେମାନେ ଯୋଗ୍ୟ ଥିବା ଜଣାପଡ଼ିଛି। ହେଲେ ଦୀର୍ଘ ୯ ମାସ ହେଲା ସେମାନେ ଅପେକ୍ଷା କରି ରହିଥିଲେ ମଧ୍ୟ କୌଣସି ପ୍ରକାର ଯୋଗାଯୋଗ କରାଯାଇ ନାହିଁ। ଦାବି ପୂରଣ ନ ହେଲେ ସେମାନେ ଆତ୍ମାହୁତି ଦେବେ ବୋଲି ମାସକ ତଳେ ଲିଖିତ ଭାବେ ଜଣାଇଥିଲେ। ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ। ଶେଷରେ ଆଜି ଏପରି ପଦକ୍ଷେପ ନେଲୁ ବୋଲି ନିଶ୍ଚନ୍ତକୋଇଲିର ସତ୍ୟଜିତ ରାଉଳ, ମନୋରଞ୍ଜନ ସାହୁ, ଶ୍ରୀନିବାସ ଦୋରା, ନିରୋଜ ଗିରି ପ୍ରମୁଖ ସୂଚନା ଦେଇଛନ୍ତି। ପୁଲିସ ୪ ଜଣଙ୍କୁ ନେଇ ସଚିବଙ୍କ ସହ ଆଲୋଚନା କରିଛି। ୮ ଦିନ ଭିତରେ ଏ ନେଇ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ମିଳିଛି।

By amfnews

Related Post