Sat. Apr 25th, 2026

ମାଡ଼ି ଆସୁଛି ବାତ୍ୟା! ପ୍ରବଳ ବର୍ଷା ସମ୍ଭାବନା

387 Views

ଭୁବନେଶ୍ୱର, ଡିସେମ୍ବର ୧୪ : ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ କ୍ରମଶଃ ଘନୀଭୂତ ହେବାରେ ଲାଗିଛି। ବର୍ତ୍ତମାନ ଏହା ଗଭୀର ଅବପାତରେ ପରିଣତ ହୋଇ ଦକ୍ଷିଣ-ଦକ୍ଷିଣ ପୂର୍ବ ଚେନ୍ନାଇ ଠାରୁ ୧୦୪୦ କିଲୋମିଟର ଦୂରରେ ଓ ଦକ୍ଷିଣ-ଦକ୍ଷିଣ ପୂର୍ବ ମାଛଲିପଟନମ୍‌ (ଆନ୍ଧ୍ରପ୍ରଦେଶ) ଠାରୁ ୧୨୧୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି। ଏହା ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି।

ଆଜି ଏହା ଘୂର୍ଣ୍ଣିଝଡ଼ ବା ବାତ୍ୟାର ରୂପ ନେବ ନେଇ ଆଶଙ୍କା କରାଯାଉଛି। ଫଳରେ ଏହାର ପ୍ରଭାବରେ ଆସନ୍ତାକାଲି ଠାରୁ ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁ ଉପକୂଳରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଅବପାତ ଘୂର୍ଣ୍ଣିଝଡ଼ ବା ବାତ୍ୟାର ରୂପ ନେବାର ୨୪ ଘଣ୍ଟା ମଧ୍ୟରେ ଏହା ଗମ୍ଭୀର ଅବପାତର ରୂପ ନେବ। ସେହିପରି ଆସନ୍ତା ୭୨ ଘଣ୍ଟା ମଧ୍ୟରେ ଏହା ଉତ୍ତର ପଶ୍ଚିମ ଆଡ଼କୁ ଗତି କରିବା ସହ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଗତି କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ଉପକୂଳ ଆନ୍ଧ୍ରପ୍ରଦେଶ ଓ ଉତ୍ତର ଉପକୂଳ ତାମିଲନାଡୁର ବିଭିନ୍ନ ସ୍ଥାନରେ ଗତକାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହ ୧୬ ଓ ୧୭ ତାରିଖରେ ମଧ୍ୟ ଉପକୂଳ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ବିଭାଗ ପକ୍ଷରୁ ଜାରି ବୁଲେଟିନ୍‌ରେ କୁହାଯାଇଛି ଯେ ଶନିବାର ବେଳକୁ ଘୂର୍ଣ୍ଣିବାତ୍ୟାର ପ୍ରଭାବ ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁରେ ପଡ଼ିବ। ଫଳରେ ପବନର ବେଗ ବଢ଼ିବା ସହ ବର୍ଷା ମଧ୍ୟ ହେବ।

ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ଏହା ମଧ୍ୟକୁ ଯିବାକୁ ବିଭାଗ ପକ୍ଷରୁ ବାରଣ କରାଯାଇଛି। ୧୬ ଓ ୧୭ ତାରିଖରେ ବର୍ଷାର ପରିମାଣ ବୃଦ୍ଧି ପାଇବ।

By amfnews

Related Post