Sun. Apr 26th, 2026

ମାସକ ଭିତରେ ୩୬୦୦ଜଣ ଶିଶୁଙ୍କୁ ଉଦ୍ଧାର କରିଲା ତେଲେଙ୍ଗାନା ପୁଲିସ୍

903 Views

ହାଇଦ୍ରାବାଦ: ତେଲେଙ୍ଗାନା ପୁଲିସକୁ ମିଳିଛି ଏକ ବଡ଼ ଧରଣର ସଫଳତା। ତେଲେଙ୍ଗାନା ପୁଲିସ୍ ରାଜ୍ୟରେ ଅପରେସନ୍ ସ୍ମାଇଲ୍-୪ ଅଭିଯାନ ଚଳାଇ ଗତ ଜାନୁଆରି ମାସରେ ୩୬୦୦ଜଣ ଶିଶୁଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଛି। । ଏହି ନିଷ୍ପାପ ଶିଶୁମାନେ ଘର ଛାଡ଼ି ସହରାଞ୍ଚଳର ବିଭିନ୍ନ ହୋଟେଲ୍, ଦୋକାନ, କାରଖାନା, ମାଲିକ ପାଖରେ କାମ କରୁଥିଲେ ବୋଲି ଆଇଜି(ଲ ଓ ଅର୍ଡର) ସ୍ୱାତୀ ଲାକ୍ରା ସୂଚନା ଦେଇଛନ୍ତି ।

Image result for telangana police

ସେ କହିଛନ୍ତି ଯେ, ଅପରେସନ୍ ସ୍ମାଇଲ୍-୪ ଅଭିଯାନ ଜରିଆରେ ଗତ ମାସ ୧ ତାରିଖ ଠାରୁ ୩୧ ତାରିଖ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରୁ ୩୬୦୦ ଶିଶୁ ଉଦ୍ଧାର ହୋଇଛନ୍ତି । ଉଦ୍ଧାର ହୋଇଥିବା ଶିଶୁମାନଙ୍କ ମଧ୍ୟରେ ୨୯୨୩ ଜଣ ନାବାଳକ ଥିଲା ବେଳେ ୬୭୭ ଜଣ ନାବାଳିକା ଅଛନ୍ତି । ଆଇଜି ସ୍ୱାତୀ ଲାକ୍ରା ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ ପୁଲିସ କର୍ମଚାରୀଙ୍କ ଦ୍ୱାରା ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଶିଶୁ ଶ୍ରମିକମାନଙ୍କୁ ଉଦ୍ଧାର କରିବା ଲାଗି ସ୍ବତନ୍ତ୍ର ଏବଂ ଗୋପନୀୟ ଯୋଜନା ପ୍ରସ୍ତୁତ କରାଯାଇଥିଲା।

ରାଜ୍ୟର ଯେଉଁ ଅଞ୍ଚଳରେ ଶିଶୁ ଶ୍ରମିକମାନଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଉଥିବା ଖବର ମିଳିଥିଲା,ସେହି ସ୍ଥାନମାନଙ୍କରେ ଅତର୍କିତ ଭାବେ ଚଢ଼ାଉ କରାଯାଇ ସେମାନଙ୍କୁ ଉଦ୍ଧାର କରାଯାଇଛି । ଶିଶୁମାନଙ୍କୁ ରେଳ ଷ୍ଟେସନ୍, ବସ୍ ଷ୍ଟାଣ୍ଡ୍, ମନ୍ଦିର,ମସଜିଦ୍ ଭଳି ଧାର୍ମିକ ସ୍ଥଳ, ହୋଟେଲ୍, ଇଟାଭାଟି, ଚା’ ଦୋକାନ, ଗ୍ୟାରେଜ୍, ଶିଳ୍ପାନୁଷ୍ଠାନ ଏବଂ ଫୁଟପାଥରୁ ଉଦ୍ଧାର କରାଯାଇଛି। ଏହି ଶିଶୁମାନଙ୍କୁ ଆଶ୍ରୟ ଗୃହରେ ରଖାଯାଉଛି । ଏହି ଘଟଣାରେ ୪୧୧ଟି ମାମଲା ରୁଜୁ କରାଯାଇଛି ବୋଲି ଆଇଜି ସ୍ୱାତୀ ଲାକ୍ରା ସୂଚନା ଦେଇଛନ୍ତି।

By amfnews

Related Post