Wed. Sep 2nd, 2026

ମହିଳାଙ୍କଠୁ ଲୁଟିନେଲେ ସବୁ ସୁନାଗହଣା

460 Views

ଆଠଗଡ଼ : କଟକ ଜିଲ୍ଲା ଆଠଗଡ଼ ଥାନା ଅନ୍ତର୍ଗତ ପୁରୁଣା କଟକ-ସମ୍ୱଲପୁର ରାସ୍ତାର ହରଡ଼ାଗହରି ଛକ ନିକଟରେ ଆଜି ଜଣେ ମହିଳାଙ୍କଠାରୁ ସୁନା ଚେନ୍‌, ମଙ୍ଗଳସୁତ୍ର ଓ ଗୋଟିଏ କାନଫୁଲ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ମହିଳା ଜଣଙ୍କ ଆହତ ହୋଇଛନ୍ତି। ତାଙ୍କୁ ଆଠଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ,  ମହିଳା ଜଣକ ବାଇକ୍‌ରେ ତାଙ୍କ ଭାଇ ଓ ଉଭଣୀର ପୁଅ ସହିତ ନରସିଂହପୁର ସିଆରିଆ ଗାଁରୁ କଟକ ଯାଉଥିଲେ। ଏହି ସମୟରେ ଦୁଇ ଜଣ ଦୁର୍ବୃତ୍ତ ଏକ ଲାଲ୍‌ ରଙ୍ଗର ବାଇକ୍‌ରେ ସେମାନଙ୍କୁ ପିଛା କରିଥିଲେ ଏବଂ ହରିଡ଼ାଗହିର ଛକ ନିକଟରେ ମହିଳାଙ୍କ ମୁହଁରେ କିଛି ତରଳ ପଦାର୍ଥ ସ୍ପ୍ରେ କରିଥିଲେ। ତା’ପରେ ତାଙ୍କ ସୁନା ଚେନ୍‌କୁ ଟାଣି ଥିଲେ। ଏହା ଫଳରେ ସେହି ମହିଳା ଓ ବାଇକ୍‌ରେ ଥିବା ତାଙ୍କ ଭାଇ ଏବଂ ପୁତୁରା ପଡ଼ିଯାଇଥିଲେ। ଏହା ପରେ ଲୁଟେରା ଦ୍ୱୟ ତାଙ୍କଠାରୁ ଅନ୍ୟ ସୁନାଗହଣା ନେଇ ଯାଇଥିଲେ। ଏପିରିକି ସେମାନେ ଉକ୍ତ ମହିଳାଙ୍କ ଭାଇଙ୍କ ମୁହଁରେ ବି ସେହି ସ୍ପ୍ରେ ମାରିବାକୁ ଉଦ୍ୟମ କରିଥିଲେ। ତେବେ ସେ ହେଲ୍‌ମେଟ୍ ପିନ୍ଧିଥିବାରୁ ଉକ୍ତ ସ୍ପ୍ରେ ତାଙ୍କ ମୁହଁରେ ବାଜି ନଥିଲା। ଲୁଟ୍ କରିବା ପରେ ଦୁର୍ବୃତ୍ତ ଦ୍ୱୟ ଘଣ୍ଟିଖାଲ ଆଡ଼କୁ ପଳାଇ ଯାଇଥିଲେ। ଏ ନେଇ ଆଠଗଡ଼ ଥାନାରେ ଏତଲା ହୋଇଛି। ପୁଲିସ୍ ଘଟଣାର ତଦନ୍ତ କରୁଛି। ସୂଚନାଯୋଗ୍ୟ, ଗତକାଲି ସେହି ସ୍ଥାନରେ କମିଶନରେଟ୍ ପୁଲିସ୍ ପକ୍ଷରୁ ଜଣେ ଲୁଟେରାକୁ ଏନ୍‌କାଉଣ୍ଟର କରାଯାଇଥିଲା।

By amfnews

Related Post