Wed. Jul 1st, 2026

ମହାରଥୀଙ୍କ ବିରୋଧରେ ବିଜେପିର ଆନ୍ଦୋଳନ

290 Views

ଭୁବନେଶ୍ୱର :  ମହିଳାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇଥିବା ଅଭିଯୋଗରେ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବିରୋଧରେ ବିଜେପି ମହିଳା ମୋର୍ଚ୍ଚା ଆନ୍ଦୋଳନ ଜୋର୍‌ଦାର କରିଛି। ୨୮ ଓ ୨୯ ତାରିଖ ଦୁଇ ଦିନ ଧରି ରାଜ୍ୟର ସମସ୍ତ ଜିଲ୍ଲାର ସଦର ମହକୁମାରେ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମହାରଥୀଙ୍କ କୁଶ ପୁତ୍ତଳିକା ଦାହ କରାଯିବ।

ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀ ପ୍ରଭାତୀ ପରିଡ଼ା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ରାଜ୍ୟର ପ୍ରତି ମହିଳାଙ୍କ ଦୁଇ ଦୁଇ ଜଣ ସ୍ବାମୀ ବୋଲି ରାଜ୍ୟ ସରକାରଙ୍କ ବରିଷ୍ଠ ମନ୍ତ୍ରୀ ପ୍ରଦୀପ ମହାରଥୀ କେମିତି ଜାଣିଲେ ? ଜଣେ ମନ୍ତ୍ରୀ ହୋଇ ଏପରି ମନ୍ତବ୍ୟ ଦେବା ଅତ୍ୟନ୍ତ ଲଜ୍ଜାଜନକ ଓ ନିନ୍ଦନୀୟ। ଏହା ରାଜ୍ୟର ମହିଳାମାନଙ୍କୁ ବହୁତ କଷ୍ଟ ଦେଇଛି। ମନ୍ତ୍ରୀଙ୍କ ବକ୍ତବ୍ୟକୁ ୭୨ ଘଣ୍ଟା ବିତିଯାଇଥିଲେ ସୁଦ୍ଧା ମୁଖ୍ୟମନ୍ତ୍ରୀ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହାନ୍ତି। ଅତୀତରେ ଶ୍ରୀ ମହାରଥୀ ବିଧାନସଭା ଗୃହରେ ବିଧାୟିକାଙ୍କୁ ଅଶ୍ଳୀଳ ଭାଷାରେ କହିଥିଲେ। ସେ ମାନସିକ ଭାରସାମ୍ୟ ହରାଇଥିବାରୁ ମନ୍ତ୍ରିମଣ୍ଡଳରେ ରହିବାର ଅଧିକାର ନାହିଁ। ତାଙ୍କର ଏପରି ମନ୍ତବ୍ୟ ରାଜ୍ୟର ମହିଳାମାନଙ୍କ ପ୍ରତି ଅସମ୍ମାନ କି ନାହିଁ, ଶାସକ ଦଳର ମହିଳା ନେତ୍ରୀମାନେ ତାହାର ଉତ୍ତର ରଖନ୍ତୁ। ଦୁଇ ଦିନ ଭିତରେ ଶ୍ରୀ ମହାରଥୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୁଖ୍ୟମନ୍ତ୍ରୀ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର ନ କଲେ ମହିଳା ମୋର୍ଚ୍ଚା ଏହି ଆନ୍ଦୋଳନକୁ ଆହୁରି ତୀବ୍ର କରିବ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ବିଜେପି ଉପସଭାନେତ୍ରୀ ନିୟତି ଗିରି, ଐଶ୍ବର୍ଯ୍ୟା ବିଶ୍ବାଳ ଓ ସମ୍ପାଦିକା ରଶ୍ମିରେଖା ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

By amfnews

Related Post