Thu. Jun 11th, 2026

ମହମ୍ମଦ ଶାମିଙ୍କ ହ୍ୟାଟ୍ରିକ ପରେ କ’ଣ କହିଲେ ତାଙ୍କ ପତ୍ନୀ

228 Views

ନୂଆଦିଲ୍ଲୀ : ଚଳିତ ଆଇସିସି ବିଶ୍ୱକପରେ ଭାରତ ଜବରଦସ୍ତ ପ୍ରଦର୍ଶନ ଜାରି ରଖିଛି। ଦଳ ଏଯାଏ ଗୋଟିଏ ବି ମ୍ୟାଚ୍‌ ହାରି ନାହିଁ। କିନ୍ତୁ ଗତ ମ୍ୟାଚ୍‌ରେ ଆଫଗାନିସ୍ତାନ ବିପକ୍ଷରେ କଷ୍ଟେମଷ୍ଟେ ବିଜୟୀ ହୋଇଥିଲା। ଭାରତ ୫୦ ଓଭରରେ ୨୨୪ ରନ କରିଥିଲା ଓ ଅନ୍ତିମ ଓଭରରେ ଭଲ ବୋଲିଂ ପାଇଁ ମ୍ୟାଚ୍ ଜିତିବାକୁ ସକ୍ଷମ ହୋଇଥିଲା। ଏହି ମ୍ୟାଚରେ ମହମ୍ମଦ ଶାମି ୪ଟି ଓ୍ୱିକେଟ୍ ନେଇଥିଲେ। ଶେଷ ଓଭରରେ ସେ ହ୍ୟାଟ୍ରିକ୍‌ ଅର୍ଜନ କରିଥିଲେ, ଯାହା ଦଳକୁ ବିଜୟୀ କରାଇବାରେ ସହାୟକ ହୋଇଥିଲା। ଏଥିପାଇଁ ଶାମିଙ୍କୁ ବହୁତ ପ୍ରଶଂସା ମିଳିଛି। ଶାମିଙ୍କ ଏହି ସଫଳତା ନେଇ ତାଙ୍କ ପତ୍ନୀ ହସିନା ଜାହାଁ ବି ପ୍ରତିକ୍ରିୟା ଦେଇଛନ୍ତି।

ଜାତୀୟ ଗଣମାଧ୍ୟମ ’ଅମର ଉଜାଲା’କୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ଦେଶ ପାଇଁ ଖେଳିବା ପ୍ରତ୍ୟେକ ଖେଳାଳି ପାଇଁ ଗର୍ବର ବିଷୟ। ପୁଣି ମ୍ୟାଚ ଜିତାଇବା ଆହୁରି ବଡ଼ ଗର୍ବର କଥା। ଭାରତୀୟ ଦଳ ଏଭଳି ପ୍ରଦର୍ଶନ ଜାରି ରଖି ବିଶ୍ୱକପ୍ ଜିତିବ ବୋଲି ସେ ଆଶା ରଖିଥିବା କହିଛନ୍ତି। ତେବେ ଶାମିଙ୍କ ବାବଦରେ ସେ କିଛି କହି ନାହାନ୍ତି।

ସୂଚନାଯୋଗ୍ୟ, ଶାମିଙ୍କର ଅନ୍ୟ ମହିଳାଙ୍କ ସହିତ ଅନୈତିକ ସଂପର୍କ ଅଛି ବୋଲି ହସିନା ଅଭିଯୋଗ ଆଣିଥିଲେ। ଏହାପରେ ଦୁହିଁଙ୍କ ମଧ୍ୟରେ ବିବାଦ ବଢ଼ି କୋର୍ଟରେ ପହଞ୍ଚିଛି। ଶାମିଙ୍କ ପରିବାର ତାଙ୍କୁ ଖାଦ୍ୟରେ ବିଷ ଦେଇ ମାରିବା ପାଇଁ ଚେଷ୍ଟା କରିଥିଲେ ବୋଲି ମଧ୍ୟ ହସିନା ଅଭିଯୋଗ କରିଛନ୍ତି। ଏ ପ୍ରସଙ୍ଗରେ ଶାମିଙ୍କୁ ଦଳରୁ ବାହାର କରିବାକୁ ସେ ବିସିସିଆଇକୁ ଅନୁରୋଧ କରିଥିଲେ। ହେଲେ ଶାମିଙ୍କ ବିରୋଧରେ ବିସିସିଆଇ ପ୍ରମାଣ ପାଇନଥିବାରୁ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ।

By amfnews

Related Post