Mon. Sep 14th, 2026

ମନ୍ଦିର ପରିଧିରେ ଦୁଇ ସାଧୁଙ୍କୁ ନିର୍ମମ ହତ୍ୟା

274 Views

ଲକ୍ଷ୍ନୌ: ବୁଧବାର ଦିନ ଔରାୟା ଜିଲ୍ଲା ଅନ୍ତର୍ଗତ ବିଧୁନା ଅଞ୍ଚଳରେ ଥିବା ଭୟାନକ ନାଥ ମନ୍ଦିର ପରିଧିରେ ଅଜ୍ଞାତ ବ୍ୟକ୍ତିମାନେ ଦୁଇ ଜଣ ସାଧୁଙ୍କୁ ଛୁରିମାରି ହତ୍ୟା କରିଥିବା କୁହାଯାଉଛି। ଏହି ଘଟଣାରେ ଆହତ ହୋଇଥିବା ଅନ୍ୟ ଜଣେ ସାଧୁଙ୍କ ଅବସ୍ଥା ସଙ୍କଟଜନକ ହୋଇପଡ଼ିଛି ବୋଲି ପୁଲିସ କହିଛି।

ଇଟାଓ୍ଵା ଅନ୍ତର୍ଗତ ବକେଶ୍ୱର ବାସିନ୍ଦା ୬୫ ବର୍ଷିୟ ଲଜ୍ଜା ରାମ ଏବଂ ୫୩ ବର୍ଷିୟ ହାଲ୍‌କେ ରାମ ଲହୁଲୁହାଣ ହୋଇ ବିଧୁନା ଥାନା ଅଧୀନ କୁଦରକୋତ୍‌ ଅଞ୍ଚଳରେ ଥିବା ମନ୍ଦିରରେ ପଡ଼ିଥିଲେ। ତାଙ୍କ ବେକ ଓ ଶରୀରର ଅନ୍ୟାନ୍ୟ ସ୍ଥାନରେ ଛୁରିକା ଆଘାତ କ୍ଷତ ରହିଛି। ତୃତୀୟ ସାଧୁ ୫୬ ବର୍ଷିୟ ରାମଶରଣ ମଧ୍ୟ ଭୀଷଣ କ୍ଷତବିକ୍ଷତ ହୋଇଛନ୍ତି।

ତିନି ଜଣଙ୍କୁ ଜିଲ୍ଲା ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଲଜ୍ଜା ରାମ ଓ ହାଲ୍‌କେ ରାମଙ୍କୁ ମୃତ ଘୋଷଣା କରାଗଲା। ରାମଶରଣଙ୍କୁ ପରେ ସୈଫି ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି।

ପାହାନ୍ତା ୩ଟା ବେଳେ ଘଟଣାଟି ଘଟିଛି। ଅପରିଚିତ ଲୋକେ ତିନି ଜଣ ସାଧୁଙ୍କୁ ଆକ୍ରମଣ କରିଛନ୍ତି ବୋଲି ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ରାଜେସ କୁମାର ସାକ୍‌ସେନା କହିଛନ୍ତି। ଦୁଇ ସାଧୁଙ୍କୁ ଏକ ଖଟିଆରେ ବାନ୍ଧି ଆକ୍ରମଣ କରାଯାଇଛି।

ସାଧୁଙ୍କ ମୃତ୍ୟୁ ଖବର ପ୍ରସାରିତ ହେବା କ୍ଷଣି ହିଂସାକାଣ୍ଡ ଉପୁଜିଥିଲା। ଉତ୍ତ୍ୟକ୍ତ ଜନତା କେତେକ ଦୋକାନ ପୋଡ଼ିବା ସହ ଟେକାପଥର ପକାଇବାରୁ ପୁଲିସ ବାଧ୍ୟ ହୋଇ ଫାଙ୍କା ଗୁଳି ଚାଳନା କରିଥିଲା। ଅଧିକ ନିରାପତ୍ତା କର୍ମଚାରୀ ମୁତୟନ କରାଯିବା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା।

ହତ୍ୟାକାଣ୍ଡର ପ୍ରକୃତ ଉଦ୍ଦେଶ୍ୟ ଜଣାପଡ଼ି ନାହିଁ। ଗୋହତ୍ୟା ବିରୋଧ ଏହାର ଏକ କାରଣ ହୋଇ ପାରେ ବୋଲି ପୁଲିସ ସନ୍ଦେହ କରୁଛି। ଘଟଣା ସମ୍ବନ୍ଧରେ ପୁଲିସ ତଦନ୍ତ ଆରମ୍ଭ କରିଛି।

By amfnews

Related Post