Tue. Aug 4th, 2026

ମନ୍ତ୍ରୀ କରାଇ ଦେବାକୁ ୩ଜଣ ବିଧାୟକଙ୍କ ଠାରୁ ଅର୍ଥ ନେଇ ପ୍ରତିଶ୍ରୁତି ଦେଇଥିବା ବ୍ୟକ୍ତି ଗିରଫ

292 Views

ନୂଆଦିଲ୍ଲୀ  :   ଜଣେ ସାଂସଦଙ୍କର ବ୍ୟକ୍ତିଗତ ସହକାରୀ ବୋଲି କହି ରାଜ୍ୟ ସରକାରରେ ମନ୍ତ୍ରୀ କରାଇ ଦେବ ବୋଲି ଅରୁଣାଚଳ ପ୍ରଦେଶର ତିନି ଜଣ ବିଧାୟକଙ୍କ ଠାରୁ ଅର୍ଥ ନେଇ ପ୍ରତିଶ୍ରୁତି ଦେବା ପରେ ଠକି ଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ସଞ୍ଜୟ ତେଓ୍ଵାରିଙ୍କୁ ପୁଲିସ ତାଙ୍କର ଦିଲ୍ଲୀ ବାସଭବନରୁ ଗିରଫ କରିଛି।ଅଭିଯୋଗ ପତ୍ରରେ ଉଲ୍ଲେଖ ଅଛି କି, ସଞ୍ଜୟ ତେଓ୍ଵାରି ତିନି ବିଧାୟକଙ୍କୁ ଭେଟିଥିଲେ। ବିଧାୟକମାନେ ପୁଲିସକୁ କହିଛନ୍ତି ଯେ ଗତବର୍ଷ ଏକ  ଉତ୍ସବରେ ସେମାନେ ନିଜକୁ ଜଣେ ସାଂସଦଙ୍କର ବ୍ୟକ୍ତିଗତ ସହକାରୀ ବୋଲି ପରିଚୟ ଦେଇଥିବା ତେଓ୍ଵାରିଙ୍କୁ ଭେଟିଥିଲେ। ଯେକୌଣସି ରାଜନୈତିକ କାର୍ଯ୍ୟରେ ସହାୟତା କରିପାରିବେ ବୋଲି ସେ ବିଧାୟକମାନଙ୍କୁ କହିଥିଲେ। ତେଣୁ ପରେ ଏ ବିଧାୟକମାନେ ତେଓ୍ଵାରିଙ୍କ ସହ ଯୋଗାଯୋଗ କରି ଅରୁଣାଚଳ ପ୍ରଦେଶ କ୍ୟାବିନେଟ୍‌ରେ ଆସନ କରାଇ ଦେବାକୁ କହିଥିଲେ। ଏ ବାବଦରେ ସାଂସଦଙ୍କ ସହ କଥାବାର୍ତ୍ତା କରିବେ ବୋଲି କହିଥିଲେ ଏବଂ ତାଙ୍କ ପାଖକୁ କିଛି ଅର୍ଥ ପଠାଇବାକୁ ଅନୁରୋଧ କରିଥିଲେ।

ତେଣୁ ତିନିହେଁ ତେଓ୍ଵାରିଙ୍କ ଆକାଉଣ୍ଟ୍‌ରେ ଦାବି ମୁତାବକ ଟଙ୍କା ଜମା କରିଥିଲେ। କିନ୍ତୁ ଅଭିଯୁକ୍ତ ଟଙ୍କା ସହ ଫେରାର ହୋଇଯାଇଥିଲେ। ସାଂସଦଙ୍କୁ ଭେଟିବା ପରେ ହିଁ ଯାଇ ସମ୍ପୃକ୍ତ ବିଧାୟକମାନେ ଜାଣିଲେ କି, ସେମାନେ ଠକାମିରେ ପଡ଼ିଛନ୍ତି। ଏହାପରେ ଦିଲ୍ଲୀ ପୁଲିସରେ ଅଭିଯୋଗ କରାଯାଇ ମାମଲାରର ଶୀଘ୍ର ତଦନ୍ତ ପାଇଁ କମିସନର୍‌ଙ୍କୁ ଅନୁରୋଧ କରାଯାଇଥିଲା।ପଚରାଉଚୁରା ପରେ ଜଣାପଡ଼ିଲା କି, ସଞ୍ଜୟ କୌଣସି ସାଂସଦଙ୍କ ସହ ସମ୍ପୃକ୍ତ ନୁହନ୍ତି। କାହା ନିମନ୍ତ୍ରଣ ପାଇ ସେଦିନ ତେଓ୍ଵାରି ସେ ଉତ୍ସବକୁ ଯାଇଥିଲେ।ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରି ତାଙ୍କ ବିରୋଧରେ ଠକାମି ମାମଲା ରୁଜୁ କରିଛି।

By amfnews

Related Post