Fri. Jul 24th, 2026

ମଧ୍ୟାହ୍ନ ଭୋଜନ: ଲିଟରେ କ୍ଷୀରରେ ବାଲତିଏ ପାଣି ମିଶାଯାଇ ୮୧ ଜଣ ପିଲାଙ୍କୁ ପିିଇବାକୁ ଦିଆଗଲା

239 Views

ବାରାଣସୀ: ଗୋଟିଏ ଲିଟର କ୍ଷୀରରେ ବାଲତିଏ ପାଣି ମିଶାଯାଇ ବୁଧବାର ଦିନ ସୋନଭଦ୍ରା ଜିଲ୍ଲାର ଚୋପାନ ଅଞ୍ଚଳରେ ଥିବା ଗୋଟାଏ ସରକାରୀ ପ୍ରାଥମିକ ବିଦ୍ୟାଳୟର ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ଯୋଜନାରେ ପରିବେଷଣ କରାଯାଇଥିବା କଥା କୋଟା ଗ୍ରାମପଞ୍ଚାୟତର ଜଣେ ଓ୍ଵାର୍ଡ ମେମ୍ବର କହିଛନ୍ତି।

ଓ୍ଵାର୍ଡ ମେମ୍ବର ଦେବ ପତିଆ ଅଭିଯୋଗ କରିଛନ୍ତି ଯେ ମଧ୍ୟାହ୍ନ ଭୋଜନ ମିଲ୍‌ ମେନୁ ଅନୁସାରେ ପିଲାମାନଙ୍କୁ କ୍ଷୀର ଓ ଭାତରେ ପ୍ରସ୍ତୁତ ବ୍ୟଞ୍ଜନ ‘ତେହରି’ ପରିବେଷଣ କରାଯିବା କଥା। ସ୍କୁଲ୍‌ କର୍ତ୍ତୃପକ୍ଷ ପାଚକକୁ ଗୋଟିଏ ଲିଟର କ୍ଷୀର ଦେଇଥିଲେ। ତା’ରେ ସେଥିରେ ବାଲତିଏ ପାଣି ମିଶାଇ ଯାଇ ୮୧ ଜଣ ପିଲାଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଥିଲା।

ସ୍କୁଲ୍‌ ଇନ୍‌-ଚାର୍ଜ ଶୈଳେଶ କନୌଜିଆ କହିଛନ୍ତି: ସ୍କୁଲ୍‌ରେ ୭୧ ଜଣ ପିଲା ନାମ ଲେଖାଇଛନ୍ତି। ସେ ଦିନ ୮୧ ଜଣ ପିଲା ଉପସ୍ଥିତ ଥିଲେ। ଦୁଇଟା ସ୍କୁଲ୍‌ର ଭାର ମୋ ଉପରେ ରହିଛି। ଉଭୟ ସ୍କୁଲ୍‌ ପାଇଁ କ୍ଷୀର ଯୋଗାଡ଼ କରିବାର ଥିବାରୁ ସାଲାଇବାନଓ୍ଵା ପ୍ରାଥମିକ ବିଦ୍ୟାଳୟକୁ ଯାଇଥିବା କ୍ଷୀର ପରିମାଣ ଉପରେ ଦୃଷ୍ଟି ଦେଇ ପାରି ନ ଥିଲି। ପାଚିକାଙ୍କୁ କ୍ଷୀର ଧରାଇ ଦିଆଯାଇଥିଲା। ତାହକୁ ବଣ୍ଟନ କରାଯିବା ପରେ ପିଲାଏ ପିଇଥିଲେ।

ବେସିକ୍‌ ଶିକ୍ଷା ଅଧିକାରୀ ଗୋରଖନାଥ ପଟେଲ୍‌ ହକିଛନ୍ତି: ଘଟଣା ଜାଣିବା କ୍ଷଣି ମୁଁ ସ୍କୁଲ୍‌କୁ ଯାଇ ଅନୁସନ୍ଧାନ କରି ପ୍ରଧାନଶିକ୍ଷକଙ୍କ ଠାରୁ ସୂଚନା ଚାହିଁଥିଲି। ଏ ଭଳି କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ। ଘଟଣାର ତଦନ୍ତ ପାଇଁ ଆଦେଶ ଦିଆଯାଇଛି। ଶିକ୍ଷା ବିଭାଗର ଦଳେ ଅଧିକାରୀ ଘଟଣାର ତଦନ୍ତ କରି ଦୁଇ ଦିନ ମଧ୍ୟରେ ରିପୋର୍ଟ ଦେବେ। ଦୋଷୀ ଧରାପଡ଼ିଲେ କଠୋର ଦଣ୍ଡବିଧାନ ହେବ।

By amfnews

Related Post