Thu. Jul 9th, 2026

ମଦ ଭାଟିରେ ଦୁର୍ବୃତ୍ତଙ୍କ ଲଙ୍କା କାଣ୍ଡ, ଜେନେରେଟର, ଭ୍ୟାନ୍‌, ବାଇକ୍‌ରେ ନିଆଁ ଲଗାଇ ଦେଲେ

583 Views

କୋରାପୁଟ  :  କୋରାପୁଟ ପଟାଙ୍ଗୀରେ ଥିବା ଏକ ଦେଶୀ ମଦ ଭାଟିରେ  ତାଣ୍ଡବ ଲୀଳା ରଚାଇଛନ୍ତି ଦୁର୍ବୁତ୍ତ ।  ଗତ କାଲି ବିଳମ୍ବିତ ରାତିରେ  ଦୁର୍ବୃତ୍ତମାନେ ଭାଟିରେ ପଶି ଉତ୍ପାତ  ରଚାଇବା ସହ ସେଠାରେ ଥିବା ଗୋଟିଏ ଭ୍ୟାନ୍ , ଜେନେରେଟର ଓ ବାଇକ୍‌କୁ  ପୋଡ଼ିଦେଇଛନ୍ତି।  ଲଙ୍କାକାଣ୍ଡ ପରେ ସେଠାରେ ସେମାନେ  ଏକ ଧମକପୂର୍ଣ୍ଣ ପୋଷ୍ଟର ମଧ୍ୟ  ଲଗାଇଛନ୍ତି। ହେଲେ ଉକ୍ତ ସମୟରେ ଭାଟିରେ ଉପସ୍ଥିତ ଲୋକଙ୍କର କିଛି ବି କ୍ଷତି ଘଟାଇ ନାହାନ୍ତି ଦୁର୍ବୃତ୍ତ। ତେଣୁ ଏହା ନକ୍ସଲଙ୍କ କାମ ନା ଆଉ କାହାର ତାହାର ତଦନ୍ତ ଚଳାଇଛନ୍ତି ପୁଲିସ୍‌।

ଘଟଣାରୁ ଜଣାଯାଇଛି, ପଟାଙ୍ଗୀରେ ଥିବା ମଦ ଭାଟିଟି ଜନବସତିଠୁ ଦୂରରେ ଜଙ୍ଗଲିଆ ସ୍ଥାନରେ ଅବସ୍ଥିତ। ଶୁକ୍ରବାର ରାତି ପ୍ରାୟ ୨ଟା ବେଳେ ୧୦ରୁ ୧୫ ଦୁର୍ବୃତ୍ତ ସେଠାରେ ପହଞ୍ଚିଥିଲେ। ସେମାନେ ଗେଟ୍‌ ଖୋଲି ଭିତରକୁ ଯାଇଥିବା ବେଳେ ଉକ୍ତ ସମୟରେ ଭାଟିରେ ଥିବା ୭-୮ ଜଣଙ୍କୁ  ଗୋଟିଏ ରୁମ୍‌ରେ ପଶାଇ ଦେଇଥିଲେ। ଦୁର୍ବୃତ୍ତମାନେ ସେମାନଙ୍କୁ ମାରଧର କିମ୍ବା ଆକ୍ରମଣ କରି ନ ଥିବା ଜଣାଯାଇଛି।  କିନ୍ତୁ ଭାଟି ତୁରନ୍ତ ବନ୍ଦ ନ କଲେ ମୁଣ୍ଡ କାଟ ହେବ ବୋଲି ଧମକ ଦେଇଥିଲେ।

ଏହାପରେ ଦୁର୍ବୃତ୍ତମାନେ ଭାଟି କ୍ୟାମ୍ପସ୍‌ ଭିତରେ  ଥିବା  ଗୋଟିଏ ଭ୍ୟାନ୍ , ଜେନେରେଟର ଓ ବାଇକ୍‌କୁ  ପୋଡ଼ିଦେଇଛନ୍ତି। ପ୍ରାୟ ଘଣ୍ଟାଏ କାଳ ଏପରି ତାଣ୍ଡବ ଲୀଳା ରଚିବା ପରେ ସେମାନେ ଫେରାର ହୋଇ ଯାଇଥିଲେ। ସେମାନେ ପୋଡ଼ାଜଳା କରିଥିଲେ ମଧ୍ୟ କିଛି ଲୁଟପାଟ କରି ନ ଥିଲେ।  ଏପରି କି ଭାଟି କାଉଣ୍ଟରରୁ ମଧ୍ୟ କିଛି ଟଙ୍କା ନେଇ ନ ଥିବା ଜଣାଯାଇଛି। ଫଳରେ ସେମାନେ କେଉଁ ଉଦ୍ଦେଶ୍ୟ ନେଇ ଭାଟିକୁ ଆସିଥିଲେ କିଛି ସ୍ପଷ୍ଟ ହୋଇ ପାରୁନି।

ତାଣ୍ଡବ ଲୀଳା ଯିବା ପୂର୍ବରୁ ସେମାନେ ତୁରନ୍ତ ମଦଭାଟିକୁ ବନ୍ଦ କରିବା ପାଇଁ  ଏକ ବ୍ୟାନର ଭାଟି ଗେଟ୍‌ରେ ଲଗାଇ ଦେଇ ଯାଇଛନ୍ତି। ଉକ୍ତ ପୋଷ୍ଟରେ ଲାଲ୍ ସଲାମ ଲେଖା ଥିଲେ ମଧ୍ୟ ସଙ୍ଗଠନ ନାଁ କିମ୍ବା କୌଣସି ଦସ୍ତଖତ ନ ଥିବାରୁ ଏହାକୁ ନେଇ ସନ୍ଦେହ ସୃଷ୍ଟି ହେଉଛି।  ଆଜି ସକାଳେ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।  କିନ୍ତୁ ଏଭଳି କାଣ୍ଡ କିଏ ଘଟାଇଛି ଓ ତା’ର ଉଦ୍ଦେଶ୍ୟ କ’ଣ ତାକୁ ନେଇ କିଛି ସ୍ପଷ୍ଟ ସୂଚନା ମିଳି ପାରି ନାହିଁ।

By amfnews

Related Post