Thu. May 23rd, 2024

ଭୁବନେଶ୍ବରରେ ପରିସ୍ଥିତି ନିୟନ୍ତ୍ରଣରେ ଥିବାରୁ ରାଜଧାନୀରେ ଖୋଲିବ ଦୋକାନ

By amfnews Apr 29, 2020 #Featured
114 Views

ଭୁବନେଶ୍ବର: ଭୁବନେଶ୍ବରରେ ଗତ ୧୪ଦିନ ଭିତରେ ଜଣେ ବି କରୋନା ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି। ଭୁବନେଶ୍ବରରେ ପରିସ୍ଥିତି ନିୟନ୍ତ୍ରଣରେ ଥିବାରୁ ବିଏମ୍‌ସି ପକ୍ଷରୁ ଆଜି ରାଜଧାନୀରେ ଦୋକାନ ଖୋଲିବା ଉପରେ ଲାଗିଥିବା କଟକଣା କିଛି ମାତ୍ରାରେ କୋହଳ କରାଯାଇଛି। କେଉଁ ଦୋକାନ ଖୋଲିବ ଏବଂ କେତେ ସମୟ ଖୋଲିପାରିବ ସେନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି। ଗୃହ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ନିୟମାବଳୀ ଅନୁସାରେ ଏହି କଟକଣା କୋହଳ ହୋଇଛି।

କରୋନା କଟକଣା ପାଇଁ ରାଜଧାନୀରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ, ଔଷଧ ଦୋକାନ, ପରିବା, ଫଳ, ପିଡିଏସ୍‌ ସାମଗ୍ରୀ, କ୍ଷୀର ଦୋକାନ ଏବଂ ନିର୍ମାଣ ସାମଗ୍ରୀ ଦୋକାନ ଖୋଲିଥିବା ବେଳେ ଏପ୍ରିଲ ୨୯ରୁ ଅର୍ଥାତ୍‌ ବୁଧବାର ଠାରୁ ରାଜଧାନୀର ଆହୁରି ଅନେକ ଦୋକାନ ଖୋଲିବ। ଏବେ ଉପରୋକ୍ତ ସମସ୍ତ ଦୋକାନ ସହିତ ହ୍ୟାଣ୍ଡ ୱାସ୍, ସାବୁନ୍‌, ଅଣସଂକ୍ରମିତ ସାମଗ୍ରୀ, ଦେହ ସଫା ଜିନିଷ, ସାମ୍ପୁ, ଚଟାଣ ସଫା ହେଉଥିବା ସାମଗ୍ରୀ, ଲୁଗା ସଫା ପାଉଡର, ଟିସୁ ପେପର, ପେଷ୍ଟ, ପାଟିର ଯତ୍ନ ନେଉଥିବା ସାମଗ୍ରୀ, ସାନିଟାରି ପ୍ୟାଡ୍‌, ଡାଏପର, ଚାର୍ଜର, ବ୍ୟାଟେରି ବିକୁଥିବା ଦୋକାନ ଖୋଲିବ। ସେହିପରି ବୈଦ୍ୟୁତିକ ସରଞ୍ଜାମ ଯଥା, ଫ୍ୟାନ୍‌, ଏସି, କୁଲର, ଫିଲ୍ଟର, ଗ୍ରାଇଣ୍ଡର, ମୋବାଇଲ୍‌, କମ୍ପ୍ୟୁଟର ଆଦି ମରାମତି କରୁଥିବା ଦୋକାନ ଏବଂ ଏହାର ସରଞ୍ଜାମ ବିକୁଥିବା ଦୋକାନ ଖୋଲାରହିବ। ବିଏମ୍‌ସିର ନିର୍ଦ୍ଦେଶାବଳୀ ଅନୁଯାୟୀ, ସବୁ ଗ୍ୟାରେଜ୍, ଗାଡ଼ି ଯନ୍ତ୍ରାଂଶ, ବହି ଦୋକାନ, ଖାଦ୍ୟ ଘରେ ପହଞ୍ଚାଉଥିବା ହୋଟେଲ, କୋରିଅର ସଂସ୍ଥା, ବିଭିନ୍ନ ମଲରେ ଅତ୍ୟାବଶ୍ୟକ ସାମଗ୍ରୀ ବିକୁଥିବା ଦୋକାନ, ବ୍ୟାଙ୍କ ଓ ଏଟିଏମ୍‌ ଆଦି ସର୍ବାଧିକ ୩୦% କର୍ମଚାରୀଙ୍କୁ ନେଇ କାମ କରିବେ। କେବୁଲ୍‌ ସଂସ୍ଥା, ଟେଲିକମ୍‌ ସଂସ୍ଥା, ଖୋଲାରେ ଏଲ୍‌ପିଜି ବିକୁଥିବା ଦୋକାନ, ଘରୋଇ ସିକ୍ୟୁରିଟି ସଂସ୍ଥା, ବିଭିନ୍ନ ଅଫିସ୍‌ ଚଳାଇବା ପାଇଁ କର୍ମଚାରୀ ଯୋଗାଉଥିବା ସଂସ୍ଥାର ଅଫିସ ଖୋଲିବ। ଭୁବନେଶ୍ବରରେ ଯେଉଁ ସଂସ୍ଥା ଖୋଲିବ ସେମାନେ ସର୍ବାଧିକ ୨୫% କର୍ମଚାରୀଙ୍କୁ ନେଇ କାମ କରିବେ।

ହେଲେ ଏବେ ଭୁବନେଶ୍ବରରେ ମାର୍କେଟ୍‌ କମ୍ପ୍ଲେକ୍ସ, ମଲ୍‌, ଜିମ୍‌, ସେଲୁନ୍‌, ସ୍ପା, ମସାଜ୍‌ ସେଣ୍ଟର, ଚା, ପାନ ଦୋକାନ ଆଦି ଖୋଲିବ ନାହିଁ। କୌଣସି ଦୋକାନରେ ଏକସଙ୍ଗେ ୫ଜଣରୁ ଅଧିକ ଗ୍ରାହକଙ୍କୁ ପଶିବାକୁ ଦିଆଯିବନି। ସରକାରୀ ନିର୍ଦ୍ଦେଶନାମା ମାନିବା ନେଇ ଦୋକାନୀମାନେ ପଦକ୍ଷେପ ନେବେ। ସମସ୍ତ କର୍ମଚାରୀ ମାସ୍କ ପିନ୍ଧିବେ। ନିୟମିତ ହାତ ଧୋଇବେ। ଦୋକାନର ଟ୍ରେଡ୍‌ ଲାଇସେନ୍ସ ସାର୍ଟିଫିକେଟ୍‌ ନକଲକୁ ଦୋକାନୀ ଓ ଏହାର କର୍ମଚାରୀ ପାସ୍‌ ଭାବେ ବ୍ୟବହାର କରିପାରିବେ।

By amfnews

Related Post