Mon. Sep 7th, 2026

ଭାଇକୁ ହତ୍ୟା କଲା ସଂପର୍କୀୟ ଭାଇ

307 Views

ଆସିକା : ପରକୀୟା ପ୍ରୀତିକୁ ବିରୋଧ କରିବାର କୁପରିଣାମ ସ୍ବରୂପ ଭାଇକୁ ନିର୍ମମ ଭାବେ ହତ୍ୟା କଲା ସଂପର୍କୀୟ ଭାଇ। ଗଞ୍ଜାମ ଜିଲ୍ଲା ଆସିକା ଥାନା ସିଦ୍ଧନଇ ପଞ୍ଚାୟତ ବଣବାଲି ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପତ୍ନୀ ସହ ଅନୈତିକ ସଂପର୍କ ଅଭିଯୋଗ ଆଣି ଏହାକୁ ବିରୋଧ କରିବାରୁ ଗଗନ ନାହାକ(୩୫) ତାଙ୍କ ବଡ଼ବାପା ପୁଅ ଭାଇ ସନିଆ ନାହାକ ଦ୍ବାରା ହତ୍ୟାର ଶିକାର ହୋଇଛନ୍ତି।

ଆସିକା ପୁଲିସର ପ୍ରାଥମିକ ତଦନ୍ତରୁ ମିଳିଥିବା ସୂଚନାନୁସାରେ, ଗଗନ ଓ ସନିଆଙ୍କ ପରିବାର ପାଖାପାଖି ରହୁଥିଲେ। ଏହା ଭିତରେ ଗଗନଙ୍କ ପତ୍ନୀ ତଥା ଭାଉଜ ସହ ସନିଆର ଅନ‌ୈତିକ ସଂପର୍କ ଅଭିଯୋଗ ହୋଇ ଆସୁଥିଲା। ଯାହାକୁ ନେଇ ଗଗନ ଓ ସନିଆ ଭିତରେ ବହୁବାର ବଚସା ବି ହୋଇଥିଲା। ଏଥିରୁ ନିବୃତ୍ତ ରହିବାକୁ ବହୁବାର ସନିଆକୁ ଗଗନ ତାଗିଦ୍ କରୁଥିଲେ। କିନ୍ତୁ ଗଗନଙ୍କୁ ସବୁ ଦିନ ବାଟରୁ ହଟାଇବାକୁ ସନିଆ ସୁଯୋଗ ଖୋଜୁଥିଲା। ଆଜି ଅପରାହ୍ନରେ ଗଗନ ବନିସି ନେଇ ଘରଠୁ ପ୍ରାୟ ୩ଶହ ମିଟର ଦୂର ଝରଣା ନାଳକୁ ମାଛ ଧରିବାକୁ ଯାଇଥିଲେ। ଗଗନଙ୍କୁ ଏକୁଟିଆ ପାଇ ସନିଆ ତାଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲା। କାଠ ଫାଳିଆରେ ପିଟିବା ସହ ଗଗନଙ୍କ ତଣ୍ଟି ଚିପି ଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା। ଏହାପରେ ଗଗନଙ୍କ ଶବକୁ ପାଣିରେ ଫୋପାଡ଼ି ଦେଇ ସେଠାରୁ ସନିଆ ଚମ୍ପଟ୍ ମାରିଥିଲା। କିଛି ସମୟ ପରେ ଗ୍ରାମବାସୀ ଗଗନଙ୍କ ଶବ ଦେଖିବାକୁ ପାଇଥିଲେ। ପ୍ରାୟ ୨ ଘଣ୍ଟା ପରେ ଆସିକା ପୁଲିସକୁ ସୂଚନା ଦିଆ ଯାଇଥିଲା। ଶବ ବ୍ୟବଚ୍ଛେଦ ପାଇଁ ଆସିକା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣା ଯାଇଥିବା ବେଳେ ଏକ ହତ୍ୟା ମାମଲା ରୁଜୁ ହୋଇଛି। ଅଭିଯୁକ୍ତ ସନିଆ ଫେରାର୍ ଅଛି।

By amfnews

Related Post