Fri. Apr 24th, 2026

ବ୍ୟାଙ୍କ ଖାତା ଖୋଲିବାକୁ ଯାଇଥିବା ଯୁବତୀଙ୍କୁ ଦୁଷ୍କର୍ମ : ଗୁରୁତର ଅବସ୍ଥା, ଡାକ୍ତରଖାନାରେ ଭର୍ତ୍ତି

306 Views

ବୀରମହାରାଜପୁର : ବ୍ୟାଙ୍କରେ ଖାତା ଖୋଲିବାକୁ ଆସିଥିବା ଜଣେ ଯୁବତୀ ଦୁଷ୍କର୍ମର ଶିକାର ହୋଇଛନ୍ତି। ଏହାପରେ ୩ ଘଣ୍ଟା କାଳ ରାସ୍ତାକଡ଼ରେ ଚେତାଶୂନ୍ୟ ହୋଇ ପଡ଼ିରହିବା ପରେ ପୁଲିସ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି। ତାଙ୍କ ଅବସ୍ଥା ଗୁରୁତର ରହିଛି। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଧର୍ମଶାଳା ଅଞ୍ଚଳରେ ଘଟିଥିବା ଏହି ଘଟଣା ଘଟିଛି। ଅଭିଯୁକ୍ତ ଫେରାର ହୋଇ ଯାଇଛି। ତେବେ ଅଭିଯୁକ୍ତଜଣକ ପୂର୍ବରୁ ମଧ୍ୟ ଅନ୍ୟ ଜଣେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଜେଲ୍‌ ଯାଇଥିବା ଜାଣିବାକୁ ମିଳିଛି।

ପୀଡ଼ିତା ୨୬ ବର୍ଷ ବୟସ୍କା ଯୁବତୀ ପୁଲିସକୁ ଦେଇଥିବା ବୟାନ ଅନୁସାରେ ସେ ନିଜ ଭାଉଜ ଓ ଭଉଣୀ ସହ ବୁଧବାର ‘କାଳିଆ’ ଯୋଜନାରେ ଆସିଥିବା ଟଙ୍କା ପାଇବାକୁ ଧର୍ମଶାଳାସ୍ଥିତ ଷ୍ଟେଟବ୍ୟାଙ୍କ ଶାଖାକୁ ଯାଇଥିଲେ। ବ୍ୟାଙ୍କରେ ଭିଡ଼ ଯୋଗୁଁ ଖାତା ଖୋଲି ନପାରି ଘରକୁ ଫେରୁଥିଲେ। ତାଙ୍କ ବଡ଼ ଭଉଣୀଙ୍କ ଶାଶୁଘର ଗାଁର ଜଣେ ସମ୍ପର୍କୀୟ ବ୍ୟକ୍ତି ମଧ୍ୟ କିଛି କାମ ପାଇଁ ସେହି ବ୍ୟାଙ୍କକୁ ଆସିଥିଲେ। ଫେରିବା ସମୟରେ ତାଙ୍କୁ ବାଇକ୍‌ରେ ନେଇ ଯିବାକୁ ତାଙ୍କ ଭାଉଜ ଉକ୍ତ ବ୍ୟକ୍ତିଙ୍କୁ କହିଥିଲେ। ବ୍ୟକ୍ତି ଜଣକ କିଛି ବାଟ ଯିବା ପରେ ବାଟରେ ଯୁବତୀଙ୍କୁ ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲେ। ଏଥିରେ ଯୁବତୀଜଣକ ଗୁରୁତର ଓ ଚେତାଶୂନ୍ୟ ହୋଇପଡ଼ିବାରୁ ସେ ତାଙ୍କୁ ସେହି ଅବସ୍ଥାରେ ଛାଡ଼ି ଚାଲି ଯାଇଥିଲେ। ପୀଡ଼ିତା ଚେତାଶୂନ୍ୟ ହୋଇ ୩ ଘଣ୍ଟା ପଡ଼ି ରହିଥି‌ଲେ। ତାଙ୍କୁ ଏପରି ଅବସ୍ଥାରେ ପଡ଼ିଥିବା ଦେଖି କେହି ବୀରମହାରାଜପୁର ଥାନା ଅଧିକାରୀଙ୍କୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିଥିଲା। ଘଟଣାସ୍ଥଳରେ ରକ୍ତ ଛିଟା ମଧ୍ୟ ପଡ଼ିଥିବା ଦେଖିବାକୁ ମିଳିଥିଲା। ଯୁବତୀଙ୍କୁ ଚିକିତ୍ସା ପାଇଁ ବୀରମହାରାଜପୁର ଡାକ୍ତରଖାନାକୁ ନିଆ ଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସୋନପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଏନେଇ  ବୀରମହାରାଜପୁର ଥାନାରେ ଏକ ମାମଲା ରୁଜୁ ହୋଇଛି। ଏସ୍‌ଡିପିଓ କ୍ଷୀରୋଦ ଚୋପଦାରତଦନ୍ତ ତଦାରଖ କରୁଛନ୍ତି। ଅଭିଯୁକ୍ତ ଧରା ପଡ଼ି ନାହିଁ।

By amfnews

Related Post