Sat. Sep 5th, 2026

ବେସାମରିକ ପ୍ରତିରକ୍ଷା ସଂସ୍ଥା ଓ ଗୃହରକ୍ଷୀ ବାହିନୀର ପ୍ରତିଷ୍ଠା ଓ ବାର୍ଷିକୋତ୍ସବ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

240 Views

ରାଉରକେଲା, ୧୮ା୧୧ : ବେସାମରିକ ପ୍ରତିରକ୍ଷା ସଂସ୍ଥା ଓ ଗୃହରକ୍ଷୀ ବାହିନୀ ରାଉରକେଲା ପକ୍ଷରୁ ଏହାର ପ୍ରତିଷ୍ଠା ଦିବସ ଓ ବାର୍ଷିକୋତ୍ସବ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଉପଜିଲାପାଳ ତଥା ରାଉରକେଲା ଭାରପ୍ରାପ୍ତ ଅତିରିକ୍ତ ଜିଲାପାଳ ବିଶ୍ୱଜିତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ରାଉରକେଲା ବେସାମରିକ ପ୍ରତିରକ୍ଷା ସଂସ୍ଥାର ଉପ-ନିୟନ୍ତ୍ରକ ଅର୍ଜୁନ ଚନ୍ଦ୍ର ମାଝି ବିଗତ ବର୍ଷର ବିବରଣୀ ପଠନ କରି ଆୟୋଜିତ ହେବାକୁ ଥିବା ନିର୍ଦ୍ଧାରିତ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ ।

ଏହି କାର୍ଯ୍ୟକ୍ରମ ଆସନ୍ତା ମାସ ୬ ତାରିଖ ଦିନ ଉଦିତନଗର ପ୍ୟାରେଡ୍ ପଡିଆ ଠାରେ କରାଯିବାକୁ ସ୍ଥିର କରାଯାଇଛି । ଆସନ୍ତା ୨.୧୨.୧୮ ଠାରୁ ୪.୧୨.୧୮ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେହ ସକାଳ ୭ଟା ବେଳେ ବେସାମରିକ ପ୍ରତିରକ୍ଷା ସଂସ୍ଥା ଓ ଗୃହରକ୍ଷୀ ବାହିନୀ ପକ୍ଷରୁ ପ୍ୟାରେଡ୍ ତଥା ପ୍ରଦର୍ଶନୀ ନିମନ୍ତେ ପୂର୍ବାଭ୍ୟାସ କରାଯିବ । ଦିବସକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ମହାବିଦ୍ୟାଳୟ ଓ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ମାନ ଚଳିତ ମାସ ୩୦ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ସ୍ଥିର କରାଯାଇଛି ।

ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ସହ ଉତ୍ସବକୁ ଆକର୍ଷଣୀୟ ତଥା ଲୋକାଭିମୁଖୀ କରିବା ପାଇଁ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି । ଆଜିର ବୈଠକରେ ଆର୍ଏସ୍ପି ସିଏସ୍ଆର୍ ଡିଜିଏମ୍ ପି.ଏମ୍. ବେହେରା, ଗୃହରକ୍ଷୀ ବାହିନୀ ଏସି. ପି. ସୋରେଙ୍ଗ, ଏଏଫ୍ଓ କମଳ କୁମାର ଗୌଡ, ଗୃହରକ୍ଷୀ ବାହିନୀ ଆର୍ଆଇ ଦୀପ୍ତି ପ୍ରସାଦ ଜେନା, ଆର୍ଏମ୍ସି ଡେପୁଟି କମିଶନର ସୀତାଦେବୀ ମାଝି, ଆଇଡିଏଲ୍ ଚିଫ୍ ସିକ୍ୟୁରିଟିର ସପନ କୁମାର ବରାଳ, ରାଉରକେଲାର ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମସ୍ତ ବିଭାଗ ଯତ୍ନବାନ ହେବାକୁ ଭାରପ୍ରାପ୍ତ ଅତିରିକ୍ତ ଜିଲାପାଳ ଅନୁରୋଧ ସମସ୍ତଙ୍କୁ ଆହ୍ୱାନ କରିଥିଲେ ।

By amfnews

Related Post