Fri. Jun 12th, 2026

ବିହାରରେ ଭିଡ଼ହିଂସା : ୩ ଜଣଙ୍କୁ ପିଟିପିଟି ହତ୍ୟା

188 Views

ପାଟନା : କାମ ଦେଉନି ସଚେତନତା। ପ୍ରଧାନମନ୍ତ୍ରୀଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନର ଚେତାବନୀକୁ ବି କେହି ଡରୁ ନାହାନ୍ତି। ଭିଡ଼ହିଂସାକୁ ନେଇ ପୁଣିଥରେ ସାରା ଦେଶରେ ଆଲୋଡ଼ନ ସୃଷ୍ଟି ହୋଇଛି। ବିହାରର ସରନ୍‌ ଜିଲ୍ଲାରେ ଗାଈ ଚୋର ସନ୍ଦେହରେ ୩ ଜଣଙ୍କୁ ପିଟିପିଟି ହତ୍ୟା‌ କରାଯାଇଛି ଏବଂ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।

ପାଟନାଠାରୁ ୬୦ କିମି ଦୂର ସରନ ଜିଲ୍ଲା, ବଣିୟାପୁର ଥାନା ଅଧୀନସ୍ଥ ନନ୍ଦଲାଲ୍‌ ତୋଲା ଅଞ୍ଚଳରେ ଗତରାତିରେ ଏହି ସ୍ପର୍ଶକାତର ଘଟଣା ଘଟିଛି। ନନ୍ଦଲାଲ୍‌ ତୋଲା ଗ୍ରାମ ନିକଟରେ ଏକ ପିକଅପ୍‌ ଭ୍ୟାନ୍‌ରେ ୪ ଜଣ ସନ୍ଦିଗ୍ଧ ଲୋକଙ୍କୁ ଦେଖିବା ପରେ ସେମାନେ ଗାଈ ଚୋର ବୋଲି ପ୍ରଚାର ହୋଇ ଯାଇଥିଲା। ସେମାନଙ୍କୁ ସ୍ଥାନୀୟ ଲୋକେ ଘେରି ଯାଇଥିଲେ। ପିକଅପ୍‌ ଭ୍ୟାନ୍‌ରେ ୩ଟି ମଇଁଷି ଏବଂ ୩ଟି ଛେଳି ଥିବା ଦେଖି ଲୋକଙ୍କ ଏହି ଧାରଣା ବଳବତ୍ତର ହୋଇ ଯାଇଥିଲା। ଘଟଣାସ୍ଥଳରୁ ଉକ୍ତ ୪ ଜଣ ଖସି ପଳାଇବାକୁ ଚେଷ୍ଟା କରିବାବେଳେ ଗ୍ରାମବାସୀମାନେ ସେମାନଙ୍କୁ ଘେରିଯାଇ ସଂଘବଦ୍ଧ ଆକ୍ରମଣ କରିଥିଲେ। ସେମାନଙ୍କୁ ଲୁହାଛଡ଼ ଏବଂ ବାଉଁଶ ବାଡ଼ିରେ ନିସ୍ତୁକ ମାଡ଼ ମାରି ଲହୁଲୁହାଣ କରି ଦେଇଥିଲେ। ପରେ ୪ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ୍‌ ନିଆଯାଇଥିଲେ ମଧ୍ୟ ସେଠାରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟଜଣେ ଏବେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି।

ଘଟଣା ସମ୍ପର୍କରେ ଖବର ପାଇ ଏସ୍‌ପି ହରି କିଶୋର ରାୟଙ୍କ ସମେତ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଗ୍ରାମର ପ୍ରାୟ ୫୦ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ବେଳେ ଗିରଫଦାରୀ ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଚାଲିଛି।

ଅନ୍ୟପକ୍ଷରେ ମୃତକଙ୍କ ପରିବାର ସଦସ୍ୟମାନେ ଆଜି ଛାପ୍ରା ସଦର ହସ୍ପିଟାଲ୍‌ରେ ଯାଇ ଭଙ୍ଗାରୁଜା କରିବା ଫଳରେ ପରିସ୍ଥିତି ଭିନ୍ନ ମୋଡ଼ ନେଇଛି। ସ୍ଥାନୀୟ ଅଞ୍ଚଳ‌ରେ ଏବେ ଉତ୍ତେଜନା ଲାଗି ରହିଥିବାରୁ ସୁରକ୍ଷା କଡ଼ାକଡ଼ି କରାଯାଇଛି।

By amfnews

Related Post