Fri. Jul 24th, 2026

ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା : ମଥୁରା ଏବେ କୃଷ୍ଣମୟ

435 Views

ମଥୁରାନଗରୀ , ଜାନୁଆରୀ ୨୧ : କୃଷ୍ଣବଳରାମଙ୍କୁ ଧନୁଯାତ୍ରାକୁ ନିମନ୍ତ୍ରଣ କରିବାକୁ ଯାଇଥିବା ଅକ୍ରୂର ସେଠାରୁ ମେଲାଣି ନେଇ ମଥୁରାରେ ପହଞ୍ଚିଛନ୍ତି। ସେପଟେ କୃଷ୍ଣ ବଳରାମଙ୍କ ବିନା ଗୋପଦାଣ୍ତ ଖାଁଖାଁ ଲାଗୁଛି। ବେନି ଭାଇଙ୍କୁ ଝୁରି ହେଉଛନ୍ତି ଗୋପାଳ ଗୋପାଙ୍ଗନାମାନେ। ମା’ ଯୋଶଦାଙ୍କ ଆଖି ବୋହି ଯାଉଛି ଲୁହ ଧାର। ମଥୁରାବାସୀ କୃଷ୍ଣ ବଳରାମଙ୍କ ଆସିବା ସୂଚନା ପାଇ ଆନନ୍ଦ ବିଭୋର ହୋଇ ଧାଇଁଥିଲେ ଗାଁ ଦାଣ୍ତକୁ।

ଅକ୍ରୂରଙ୍କ ସହ ରଥାରୁଢ଼ ହୋଇ କୃଷ୍ଣବଳରାମ ମଥୁରା ଭ୍ରମଣ କରିଥିଲେ। ନଗର ଭ୍ରମଣ ସମୟରେ ମହାରାଜ କ˚ସଙ୍କ ରଜକକୁ କାନ୍ଧରେ ଉଜ୍ଜଳ ବସନ ନେଇ ଯାଉଥିବା ଦେଖି ଦୁଇ ଭାଇ ଏହି ବସ୍ତ୍ର ଦେବାକୁ ଅଳି କରିଥିଲେ। ମାତ୍ର ରଜକ ଏଥିରେ ରାଜି ହୋଇନଥିଲା। କୃଷ୍ଣ ଶେଷରେ ଗୁହାରି କରିଥିଲେ ହେଁ ସେ ନଶୁଣିଲା ପରି ସେଠାରୁ ଚାଲିଯାଉଥିବା ବେଳେ ଗୋପାଳମାନେ ତାଙ୍କ ଠାରୁ ଛଡ଼ାଇ ଆଣିବାକୁ ଉଦ୍ୟତ ହେଉଥିଲେ। ରଜକର ଏଭଳି ମନ୍ତବ୍ୟ ଶୁଣି କୃଷ୍ଣ କ୍ରୋଧାନ୍ବିତ ହୋଇଛନ୍ତି। ସେ ବାମ ହାତରେ ଏକ ଚାପୁଡ଼ା ମାରିବାରୁ ରଜକର ମୃତ୍ୟୁ ହୋଇଛି। ଏହାପରେ କୃଷ୍ଣ ଓ ଗୋପାଳମାନେ ଲୁଗା ପିନ୍ଧିଥିଲେ। ନଗର ଭ୍ରମଣ ସମୟରେ ସୁଦାମା କୃଷ୍ଣବଳରାମଙ୍କ ଚରଣ ଧୋଇ କୃଷ୍ଣପ୍ରେମରେ ଗଦ୍‌ଗଦ୍‌ ହୋଇ ଉଠିଥିଲେ। ନଗର ପରିକ୍ରମା ବେଳେ କାଳିମନ୍ଦିରରେ କୁବୁଜା ସହିତ ସେମାନଙ୍କର ସାକ୍ଷାତ ହୋଇଥିଲା। ଶ୍ରୀକୃଷ୍ଣ ପ୍ରୀତ ହୋଇ ସାଉଁଳି ଦେବାରୁ କୁବୁଜାର ଅସୁନ୍ଦର ଶରୀର ସୁନ୍ଦର ହୋଇଯାଇଥିଲା। କୃଷ୍ଣ-ବଳରାମଙ୍କୁ ପାଇ ମଥୁରାବାସୀ ଭକ୍ତିରେ ବିଭୋର ହୋଇ ଉଠିଛନ୍ତି। ମଥୁରା କୃଷ୍ଣମୟ ହୋଇଛି।

By amfnews

Related Post