Sun. Jul 26th, 2026
492 Views

ଭୁବନେଶ୍ୱର,DEC, 18: ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗର ପୂର୍ବତନ ଅନୁବାଦକ ତଥା ବିଶିଷ୍ଟ ଲେଖକ ଲାଲମୋହନ ପଟ୍ଟନାୟକ ଆଉ ନାହାନ୍ତି। ଆଜି ମଧ୍ୟାହ୍ନରେ, ଭୁବନେଶ୍ୱରସ୍ଥିତ କର କ୍ଲିନିକ୍‌ରେ ତାଙ୍କର ବିୟୋଗ ଘଟିଛି। ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା। ସ୍ୱର୍ଗତ ପଟ୍ଟନାୟକ ଅନୁପମ ଆଧ୍ୟାତ୍ମିକ ଭ୍ରମଣ ବୃତ୍ତାନ୍ତ ‘ଦ୍ୱାଦଶ ଜ୍ୟୋର୍ତିଲିଙ୍ଗ ଦର୍ଶନ’ର ଲେଖକ ଭାବରେ ପ୍ରସିଦ୍ଧ। ‘ଆମ ଓଡ଼ିଶା’ ପକ୍ଷରୁ ୨୦୧୦ରେ ପ୍ରକାଶିତ ଏହି ପୁସ୍ତକର ତିନିଟି ସଂସ୍କରଣ ଓ ପୁନର୍ମୁଦ୍ରଣ ଏ ମଧ୍ୟରେ ପ୍ରକାଶ ପାଇ ପାଠକଙ୍କ ମଧ୍ୟରେ ବହୁଳ ଆଦୃତି ଲାଭ କରିଛି। ଏହା ବ୍ୟତୀତ ଶ୍ରୀଜଗନ୍ନାଥଙ୍କ ସଂପର୍କରେ ବହୁ ଗବେଷଣା ନିବନ୍ଧକୁ ନେଇ ତାଙ୍କର ଅନ୍ୟ ଏକ ମୂଲ୍ୟବାନ ପୁସ୍ତକ ରହିଛି।

ଖୋର୍ଦ୍ଧା ଜିଲା ଅନ୍ତର୍ଗତ ଚିଲିକା ବ୍ଲକ୍‌ ହରିପୁର ଗ୍ରାମରେ ୧୯୩୬ ମସିହାରେ ଲାଲମୋହନଙ୍କର ଜନ୍ମ। ପୁରୀ ଜିଲ୍ଲା ସ୍କୁଲରୁ ମାଧ୍ୟମିକ ଶିକ୍ଷା ଓ ଖଲିକୋଟ କଲେଜରୁ ସ୍ନାତକ ଶିକ୍ଷା ଶେଷ କରିବା ପରେ ସେ ରେଭେନ୍‌ସା କଲେଜରୁ ସ୍ନାତକୋତ୍ତର ଶିକ୍ଷା ଲାଭ କରିଥିଲେ ଏବଂ ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗରେ ଓଡ଼ିଆ ଅନୁବାଦକ ଭାବରେ ଯୋଗ ଦେଇଥିଲେ। ୧୯୯୪ରେ ଚାକିରିରୁ ଅବସର ଗ୍ରହଣ କରିବା ପରେ ସେ ଆଧ୍ୟାତ୍ମିକ ଭ୍ରମଣ ଓ ଶ୍ରୀଜଗନ୍ନାଥଙ୍କ ସଂପର୍କରେ ଗବେଷଣାରେ ନିଜକୁ ନିୟୋଜିତ କରିଥିଲେ। କିଛି ବର୍ଷ ପୂର୍ବରୁ ତାଙ୍କର ପତ୍ନୀ ତଥା ଅବସରପ୍ରାପ୍ତ ଅଧ୍ୟାପିକା ସ୍ୱର୍ଣ୍ଣର୍ଲତା ଦାସ (ଜୁଲି)ଙ୍କର ବିୟୋଗ ଘଟିଥିଲା।

By amfnews

Related Post