Sat. Apr 25th, 2026

ବିଲୁପ୍ତ ପ୍ରାୟ ଅବସ୍ଥାରେ ଭୂଦାନ ଆନ୍ଦୋଳନର ଏନ୍ତୁଡିଶାଳ

131 Views

ରାୟଗଡ଼ା : କୁଟି ଖାଅ, କାଟି ପିନ୍ଧ, ମହାତ୍ମା ଗାନ୍ଧୀଙ୍କ ଏହି ଆହ୍ୱାନକୁ ରାୟଗଡା ଜିଲ୍ଳାରେ ପହଞ୍ଚାଇଥିଲେ ସନ୍ଥ ବିନୋବା ଭାବେ। ଚରଖା ଚଲାଇ ଭୂଦାନ ଆନ୍ଦୋଳନର ଶୁଭାରମ୍ଭ କରିଥିଲେ ରାୟଗଡା ଜିଲ୍ଲା ଗୋପାଳବାଡି ଗାଁରୁ। ଗୋପାଳନ ସହ ଚାଷବାସ କରି ସ୍ଥାନୀୟ ଆଦିବାସୀଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଏକ ଅନୁଷ୍ଠାନ ମଧ୍ୟ ଗଢ଼ି ଉଠିଥିଲା। ହେଲେ ସେହି ଅନୁଷ୍ଠାନ ଏବେ ବିଲୁପ୍ତ ପ୍ରାୟ ଅବସ୍ଥାରେ। ୨୬ ଏକର ଜମିରେ ଗଢି ଉଠିଥିବା ଭୂଦାନ ଆନ୍ଦୋଳନର ଏନ୍ତୁଡିଶାଳ ଗୋପାଳବାଡି ଏବେ ପ୍ରାୟ ଭୂତକୋଠିରେ ପରିଣତ ହୋଇଛି।

ରାୟଗଡା କୋଲନରା ବ୍ଲକର ଗୋପାଳବାଡି। ଦିନେ ଏହି  ଅନୁଷ୍ଠାନର ୧୦୦ ଏକର  ପରିମିତ  ଜମି ଥିଲା । ଯାହା ଏବେ ୨୬ ଏକରକୁ ଖସି  ଆସିଛି ଏବଂ ତାର ମୁଖ୍ୟ କାରଣ ହେଉଛି, ବିଭିନ୍ନ ସମୟରେ ଏଠାରୁ ଜମିବାଡି ଗୁଡିକୁ ସ୍ଥାନୀୟ ଭୂମିହୀନଙ୍କୁ ବାଣ୍ଟି ଦିଆଯାଇଛି। ଦିନେ ଗୋପାଳନ ସହ ଚାଷବାସରେ ସମୃଦ୍ଧ ଥିବା ଏହି ଅନୁଷ୍ଠାନର ଘରଦ୍ୱାର ଏବେ ଭାଙ୍ଗିରୁଜି ଗଲାଣି। ପୂର୍ବରୁ ଗୋପାଳବାଡିରେ ଗୋପାଳନ କେନ୍ଦ୍ର, ଚାଷର ଉନ୍ନତି ପାଇଁ କୂଅ ପୋଖରି ଖୋଳିବା, ଚରଖାରେ ଲୁଗା କାଟିବା ସହ ଶିକ୍ଷାର ପ୍ରସାର ପାଇଁ ଉଦ୍ୟମ କରାଯାଇଥିଲା। ଏବେ କିନ୍ତୁ ଏହି ସ୍ଥାନ ଅଲୋଡ଼ା ହୋଇପଡ଼ିଛି।
୧୯୫୫ ମସିହାର କଥା। କୋରାପୁଟ ଜିଲ୍ଲାରେ ଭୂଦାନ ଗ୍ରାମଦାନ ଆନ୍ଦୋଳନର ନେତୃତ୍ୱ ନେଇ ଏଠାକୁ ଆସିଥିଲେ ସନ୍ଥ ବିନୋବା ଭାବେ। ପରେ ସ୍ଥାନୀୟ ଆଦିବାସୀଙ୍କ ସାମାଜିକ ଓ ଅର୍ଥନୈତିକ ସ୍ଥିତିରେ ପରିବର୍ତ୍ତନ ପାଇଁ ଗୋପାଳବାଡିରେ ୧୦୦ ଏକର  ପରିମିତ ଜମିରେ ଆରମ୍ଭ କରିଥିଲେ ଚାଷବାସ। ଚରଖା ଚଲାଇ ସୂତାକଟା ଓ ଗୋପାଳନ କାର୍ଯ୍ୟକ୍ରମ ପରବର୍ତ୍ତି ସମୟରେ ଅଖିଳ ଭାରତ ସେବା ସଂଘ ଏହାର ଦାୟିତ୍ୱ ନେଇଥିଲା। ଏଠାରେ ଏକ ବୃଦ୍ଧାଶ୍ରମ ସ୍ଥାପନ ପାଇଁ ପ୍ରସ୍ତାବ ରହିଥିବାବେଳେ ଗୋପାଳବାଡିର ପୁନରୁଦ୍ଧାର ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକେ। ସେପଟେ ଜିଲ୍ଲାପାଳ କହିଛନ୍ତି ସ୍ଥିତିର ଅନୁଧ୍ୟାନ କରି ପଦକ୍ଷେପ ନିଆଯିବ।

 

By amfnews

Related Post