Fri. Apr 24th, 2026

ବିଦେଶରେ ଅଟକିଥିବା ପ୍ରାୟ ୧. ୯୨ ଲକ୍ଷ ଭାରତୀୟ ନାଗରିକଙ୍କୁ ଫେରାଇ ଆଣିବାକୁ ଅଭିଯାନ ଆରମ୍ଭ କଲା ଭାରତର

228 Views

ନୂଆଦିଲ୍ଲୀ: କରୋନାଭାଇରସ୍ ସଙ୍କଟ ଯୋଗୁଁ ବିଦେଶରେ ଅଟକି ରହିଥିବା ଭାରତୀୟ ନାଗରିକମାନଙ୍କୁ ସ୍ବଦେଶ ଫେରାଇ ଆଣିବାକୁ ଭାରତ ଉଦ୍ୟମ ଆରମ୍ଭ କରିଛି। ମେ ୭ ତାରିଖରୁ ପ୍ର୍ରଥମ ପର୍ଯ୍ୟାୟରେ ଉପସାଗରୀୟ ଦେଶରୁ ଏହି ଅଭିଯାନ ଆରମ୍ଭ ହେବ। ପରେ ପରେ ପର୍ଯ୍ୟାୟକ୍ରମେ ଏହି ସ୍ଥାନାନ୍ତରଣ ଅଭିଯାନରେ ବିଭିନ୍ନ ଦେଶରେ ଥିବା ପ୍ରାୟ ୧, ୯୨, ୦୦୦ ଭାରତୀୟଙ୍କୁ ସ୍ବଦେଶ ଫେରାଇ ଅଣାଯିବ।

ମେ ୭ ତାରିଖ ଦିନ ବାୟୁସେନାର ଦୁଇଟି ବିମାନ ଯୋଗେ ‌ୟୁନାଇଟେଡ୍ ଆରବ ଏମିରେଟ୍‌ସ୍‌ରୁ ଭାରତୀୟମାନଙ୍କୁ ନେଇ କେରଳରେ ଅବତରଣ କରିବ। ସେଥିରୁ ଗୋଟିଏ ବିମାନ ଆବୁଧାବିରୁ କୋଚି ଓ ଅନ୍ୟଟି ଦୁବାଇରୁ କୋଝିକୋକଡ଼ ଆସିବ।

ମେ ୮ ତାରିଖ ଦିନ ମାଳଦ୍ବୀପ ଓ ବାଂଲାଦେଶରୁ ଭାରତୀୟ ନାଗରିକମାନଙ୍କୁ ସ୍ଥାନାନ୍ତରଣ କରାଯିବ। ସେଦିନ ଭାରତୀୟ ନୌସେନା ପୋତରେ ମାଳଦ୍ବୀପରୁ ୭୦୦ ଭାରତୀୟଙ୍କୁ କୋଚି ଅଣାଯିବ। ଏଥିପାଇଁ ଆଇଏନ୍ଏସ୍ ଜଳାଶ୍ବ ଓ ଆଇଏନ୍ଏସ୍ ମଗରକୁ ସୋମବାର ରାତିରେ ମୁମ୍ବାଇ ତଟରୁ ମାଳଦ୍ବୀପକୁ ପଠାଯାଇଛି। ଦୁବାଇରେ ଥିବା ଭାରତୀୟମାନଙ୍କୁ ଆଣିବାକୁ ଆଇଏନ୍ଏସ୍ ଶାର୍ଦ୍ଦୁଳକୁ ପଠାଯାଇଛି।

ଦ୍ବିତୀୟ ପର୍ଯ୍ୟାୟରେ ଇରାନ୍, ଇଂଲଣ୍ଡ୍ ଏବଂ ମାଲେସିଆରେ ଅଟକି ରହିଥିବା ଭାରତୀୟ ନାଗରିକମାନଙ୍କୁ ସ୍ଥାନାନ୍ତରଣ କରାଯିବ।

ଏହାଛଡ଼ା ମସ୍କୋରୁ ୧୧, ୦୦୦, ନିଉଜିଲାଣ୍ଡ୍‌ରୁ ୧୨୦୦, ନାଇରୋବିରୁ ୩୯୦ ଜଣ ଓ ସୋମାଲିଆରୁ ୫ ଜଣ ଭାରତୀୟ ସ୍ବଦେଶ ଫେରିବାକୁ ନାମ ସେ ଦେଶମାନଙ୍କରେ ଥିବା ଭାରତୀୟ ଦୂତାବାସରେ ନାମ ପଞ୍ଜିକରଣ କରିଛନ୍ତି।

କେବଳ କରୋନାଭାଇରସ୍ ଲକ୍ଷଣ ନ ଥିବା ଭାରତୀୟମାନଙ୍କୁ ସ୍ଥାନାନ୍ତରଣ କରାଯିବ ଏବଂ ସେଥିନିମନ୍ତେ ଷ୍ଟାଣ୍ଡାର୍ଡ ଅପରେଟିଙ୍ଗ୍ ପ୍ରୋଟକଲ୍ (ଏସ୍‌ଓପି) ପ୍ରସ୍ତୁତ କରାଯାଇଛି। ଏଥିପାଇଁ ପରୀକ୍ଷା, କ୍ବାରେଣ୍ଟିନ୍ ଆଦି ବ୍ୟବସ୍ଥା କରିବାକୁ ରାଜ୍ୟ ସରକାରମାନଙ୍କୁ ଗୃହ ବ୍ୟାପାର ମନ୍ତ୍ରାଳୟ କହିଛି।

ଏହି ସ୍ଥାନାନ୍ତରଣ ଅଭିଯାନରେ ବାୟୁସେନା ଓ ବାଣିଜ୍ୟିକ ବିମାନ ସମେତ ନୌସେନା ପୋତ ବ୍ୟବହାର କରାଯିବ। ଏଥିରେ ବ୍ୟବହାର କରାଯିବାକୁ ଥିବା ନୌସେନାର ପୋତ ହେଉଛି ଆଇଏନ୍‌ଏସ୍ ଜଳାଶ୍ବ।

ଏଠାରେ ପ୍ରକାଶଯୋଗ୍ୟ କି, ଏହା ପୂର୍ବରୁ ମଧ୍ୟ ଭାରତ ଚୀନ୍, ଜାପାନ, ଇରାନ୍ ଏବଂ ଇଟାଲିରୁ ପ୍ରାୟ ୨୫୦୦ ଭାରତୀୟ ଏବଂ କେତେକ ବିଦେଶୀ ନାଗରିକଙ୍କୁ ଫେରାଇ ଆଣିଥିଲା।

By amfnews

Related Post