Fri. May 22nd, 2026

ବିଜେପୁର ଭୋଟ୍‌ ଗଣତି ପାଇଁ ପ୍ରସ୍ତୁତି: ସକାଳ ୮ଟାରୁ ୧୪ଟି ଟେବୁଲରେ ହେବ ଗଣତି

166 Views

ଭୁବନେଶ୍ବର,: ବିଜେପୁର ଉପନିର୍ବାଚନ ପାଇଁ ମତଦାନ ଶାନ୍ତିଶୃଙ୍ଖଳା ସହ ଶେଷ ହୋଇଛି। ସମୁଦାୟ ୨୮୫ଟି ବୁଥରୁ ମତଦାନ ବେଳେ କୌଣସି ବି ବୁଥରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନାହିଁ। ଏଥରକ ଉପନିର୍ବାଚନରେ ମୋଟ ୭୯.୧୭% ମତଦାନ ହୋଇଛି। ଆଜି ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି। ଆସନ୍ତା ୨୪ ତାରିଖରେ ଭୋଟ ଗଣତି କରାଯିବ। ଏଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ସିଇଓ କହିଛନ୍ତି।

ଶ୍ରୀ ଲୋହାନି କହିଥିଲେ, ବିଜେପୁର ପାଇଁ ୨୦୧୮ରେ ହୋଇଥିବା ଉପନିର୍ବାଚନରେ ୮୨% ମତଦାନ ହୋଇଥିଲା। ୨୦୧୯ ସାଧାରଣ ନିର୍ବାଚନବେଳେ ୭୯% ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିଲେ। ଏଥରକ ଉପନିର୍ବାଚନରେ ୭୯.୧୭% ମତଦାନ ହୋଇଛି। ଆସନ୍ତା ୨୪ ତାରିଖରେ ଭୋଟ ଗଣତି କରାଯିବ। ପଦ୍ମପୁର ନିୟନ୍ତ୍ରିତ ବଜାର କୋଠାରେ ଭୋଟଗଣତି କେନ୍ଦ୍ର କରାଯାଇଛି। ସକାଳ ୮ଟାରୁ ଭୋଟଗଣତି ଆରମ୍ଭ ହେବ। ନିର୍ବାଚନ କମିସନଙ୍କ ନିର୍ଦ୍ଦେଶ ଅନୁଯାୟୀ, ପ୍ରଥମେ ଇଲେକ୍ଟ୍ରୋନିକ୍ସ ବା ଇଟିପିବିଏସ ଦ୍ବାରା କର୍ମଚାରୀମାନେ ଦେଇଥିବା ଭୋଟ ଗଣତି କରାଯିବ। ପରେ ପୋଷ୍ଟାଲ ବ୍ୟାଲଟ ଗଣାଯିବା ସହିତ ଇଭିଏମ ମେସିନରୁ ଗଣତି କରାଯିବ। ଇଭିଏମ ଓ ଭିଭିପାଟ ମେସିନର ଭୋଟ ଗଣତି ପାଇଁ ୧୪ଟି ଟେବୁଲର ବ୍ୟବସ୍ଥା କରାଯାଇଛି। ପ୍ରତି ଟେବୁଲରେ ଜଣେ ଲେଖାଏଁ ମାଇକ୍ରୋ ଅବଜରଭର, ଜଣେ କାଉଣ୍ଟିଂ ସୁପରଭାଇଜର, ଜଣେ କାଉଣ୍ଟିଂ ଆସିଷ୍ଟାଣ୍ଟ୍ ରହିବେ। ଏମାନଙ୍କ ସହିତ ପ୍ରତିଦ୍ବନ୍ଦ୍ବିତା କରୁଥିବା ପ୍ରାର୍ଥୀଙ୍କ ଜଣେ ଲେଖାଏଁ କାଉଣ୍ଟିଂ ଏଜେଣ୍ଟ ପ୍ରତି ଟେବୁଲରେ ରହିବେ। କାଉଣ୍ଟିଂ ହଲ ଭିତରେ କାହାରିକୁ ମୋବାଇଲ ଫୋନ୍ ବ୍ୟବହାର କରିବାକୁ ଅନୁମତି ଦିଆଯିବନି। ଭୋଟ ଗଣତି ପାଇଁ ୧୦୩ ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି ବୋଲି ଶ୍ରୀ ଲୋହାନି କହିଥିଲେ। ୨୦୧୯ ସାଧାରଣ ନିର୍ବାଚନ ପରି ଇଭିଏମ ମେସିନ ଗଣତି ପରେ ୫ଟି ବୁଥର ଭିଭିପାଟ ମେସିନର ଭୋଟର ଚିଠା ଗଣାଯିବ। ଭୋଟ ଗଣତି ପାଇଁ ବ୍ୟାପକ ପୁଲିସ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ସେ କହିଥିଲେ।

By amfnews

Related Post