Wed. Oct 7th, 2026

ବିଜୁଳି ତାର ଉପରକୁ ବ୍ୟାଗ୍‌ ଫିଙ୍ଗିବାରୁ ନିଆଁ ଲାଗି ଟ୍ରେନ୍‌ ଚଳାଚଳ ବନ୍ଦ

346 Views

ନଓ୍ଵି ମୁମ୍ବାଇ : ବୁଧବାର ସକାଳେ ବାଶି ଷ୍ଟେସନ୍‌ରେ ଟ୍ରେନ୍‌ର ପାଣ୍ଟୋଗ୍ରାଫ୍‌ ଉପରକୁ ଜଣେ ଅଜ୍ଞାତ ବ୍ୟକ୍ତି ଗୋଟାଏ ପରିତ୍ୟକ୍ତ ବ୍ୟାଗ୍‌ ଫିଙ୍ଗିବାରୁ ହାର୍ବର୍‌ ଲାଇନ୍‌ରେ କେନ୍ଦ୍ରୀୟ ରେଳବାଇର ରେଳ ଚଳାଚଳ ପ୍ରାୟ ଅଧଘଣ୍ଟାଏ ବନ୍ଦ ରହିଥିଲା।

କେନ୍ଦ୍ରୀୟ ରେଳବାଇର ବରିଷ୍ଠ ଜନସମ୍ପର୍କ ଅଧିକାରୀ ଏକେ ଜୈନ କହନ୍ତି: ପାଣ୍ଟୋଗ୍ରାଫ୍‌ (ବିଜୁଳି ଚାଳିତ ଟ୍ରେନ୍‌ର ଛାତରେ ଲାଗିଥିବା ଗୋଟାଏ ବୈଦ୍ୟୁତିକ ଉପକରଣ) ଉପରୁ ଜଣେ ବ୍ୟକ୍ତି ପରିତ୍ୟକ୍ତ ବ୍ୟାଗ୍‌ଟିଏ ଫିଙ୍ଗିବା ଯୋଗୁଁ ଟ୍ରେନ୍‌ରେ ନିଆଁ ଲାଗିଯିବାରୁ ୯: ୨୮ରେ ଛାଡ଼ିବାକୁ ନିର୍ଦ୍ଧାରିତ ହୋଇଥିବା ପାନେଓ୍ଵଲ୍‌ଗାମୀ ଟ୍ରେନ୍‌ ୧୨ ମିନିଟ୍‌ ବିଳମ୍ବରେ ଛାଡ଼ିଥିଲା। ତୁରନ୍ତ ଉଦ୍ଧାର କାର୍ଯ୍ୟ ପାଇଁ ପଦକ୍ଷେପ ନିଆଯାଇଥିଲା। ଦମକଳ ଘଟଣାସ୍ଥଳରେ ପହଞ୍ଚିଥିଲା। କୌଣସି ଯାତ୍ରୀ ଆହତ ହୋଇ ନାହାନ୍ତି। ନିରାପତ୍ତା କାରଣରୁ ଟ୍ରେନ୍‌ର ସେ ରେକ୍‌ଟିକୁ କଢ଼ାଯାଇ କାର୍‌ ସେଡ୍‌କୁ ପଠାଇ ଦିଆଯାଇଥିଲା।

ବିଳମ୍ବ ଯୋଗୁଁ ଅନେକ ଯାତ୍ରୀ ନିକଟବର୍ତ୍ତୀ ବାଶି ଷ୍ଟାଣ୍ଡକୁ ଯାଇ ବସ୍‌ ଧରିଥିଲେ। ଅନ୍ୟ କେତେକ ଯାତ୍ରୀ ରେଳ ଚାଲିବା ଯାଏଁ ଅପେକ୍ଷା କରିଥିଲେ।

By amfnews

Related Post