Thu. Jul 23rd, 2026

ବାଲିଯାତ୍ରାରେ ଯୋଡ଼ି ହେଲା ନୂଆ ପରମ୍ପରା! ପୋଷ୍ୟ କନ୍ୟା ଗ୍ରହଣ କରି ଉଦାହରଣ ସୃଷ୍ଟି କଲେ ବଙ୍ଗୀୟ ଦମ୍ପତି

481 Views

କଟକ : କଟକର ଐତିହାସିକ ବାଲିଯାତ୍ରା ଇତିହାସରେ ଆଜି ଏକ ନୂଆ ଫର୍ଦ୍ଦ ଯୋଡ଼ି ହୋଇଛି। ବାଲିଯାତ୍ରାରେ ପ୍ରଥମ କରି ଆରମ୍ଭ ହୋଇଥିବା ପଥ ଉତ୍ସବରେ ଆଜି ପୋଷ୍ୟ ସନ୍ତାନ ଗ୍ରହଣ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ କଲିକତାର ବଂଗୀୟ ଦମ୍ପତି ସାମିଲ ହୋଇ ଏକ ଦଶ ମାସର କନ୍ୟା ସନ୍ତାନକୁ କୋଳକୁ ନେଇଥିଲେ। ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ଉପସ୍ଥିତିରେ ସମସ୍ତ ନିୟମ ପାଳନ କରି ସୁଦୀପ୍ତ ଭୌମିକ ଓ ବିଶାଖା ରାୟ‌ଭୌମିକ ବସୁନ୍ଧରାରେ ପାଳିତ ଏକ ଦଶ ମାସର ଶିଶୁ କନ୍ୟାକୁ ଗ୍ରହଣ କରିଥିଲେ। ବଂଗୀୟ ଦମ୍ପତିଙ୍କ ଏଭଳି ଉଦ୍ୟମକୁ ସମସ୍ତେ ପ୍ରଶଂସା କରିଥିଲେ। କଟକ ପଥୋତ୍ସବରେ ଶ୍ରୀ ହରିକୋଟାରୁ ଆସିଥିବା ସ୍ବତନ୍ତ୍ର ବସରେ ଲୋକଙ୍କୁ ମହାକାଶ ସଂପର୍କିତ ଜ୍ଞାନ ଆହରଣର ସୁଯୋଗ ମିଳିଛି। ଆଜି ଭଜନ, କୀର୍ତ୍ତନ, ଗୀତ, ନୃତ୍ୟ, ଫୁଟବଲ୍ ଖେଳ ଭଳି କାର୍ଯ୍ୟକ୍ରମ ବାଲିଯାତ୍ରାରେ ଚମକ ଆଣିଥିଲା।

ଗଲା ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ବାଲିଯାତ୍ରାର ସବୁଠୁ ଅଧିକ ଭିଡ ଆଜି ପଡିଆରେ ଜମିଥିଲା। ଦିନକୁ ଦିନ ବ୍ୟବସାୟ ପରିମାଣ ବଢି ଚାଲିଥିବା ବେଳେ ଆଜି ସବୁଠୁ ଅଧିକ ବ୍ୟବସାୟ ହୋଇଥିଲା। ଗତକାଲିର ରେକର୍ଡ ଅନୁଯାୟୀ ଓରମାସ ପଲ୍ଲିଶ୍ରୀ ମେଳାରେ କେବଳ ୯୭ ଲକ୍ଷ ୮୨ ହଜାର ୬୭୦ ଟଙ୍କାର ବ୍ୟବସାୟ ହୋଇଥିଲା। ଆଜି କେବଳ ଓରମାସ ବ୍ୟବସାୟ ପରିମାଣ ଦେଢ କୋଟି ଛୁଇଁ ଥିବା ଆକଳନ କରାଯାଉଛି। ସଂଧ୍ୟାରେ ଗଣକବି ବୈଷ୍ଣବ ପାଣି ମଞ୍ଚରେ ଅସୀମା ପଣ୍ଡାଙ୍କ ସଂଗୀତ କାର୍ଯ୍ୟକ୍ରମକୁ ଦର୍ଶକ ଭରପୁର ଉପଭୋଗ କରିଥିଲେ। ବାଲିଯାତ୍ରା ପଡିଆରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ତିନି‌ଟି ଜଳାଶୟ ନିର୍ମାଣ ଏବଂ ପରିବେଶ ସୁରକ୍ଷା ପାଇଁ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି ପ୍ରଶଂସା କରିଛନ୍ତି।

By amfnews

Related Post