Sat. Apr 25th, 2026

ବାଜପେୟୀ, ନେହରୁ ଓ ଇନ୍ଦିରାଙ୍କୁ ପଛରେ ପକାଇ ନରେନ୍ଦ୍ର ମୋଦି ହେଲେ ସର୍ବଶ୍ରେଷ୍ଠ ପ୍ରଧାନମନ୍ତ୍ରୀ: ସର୍ଭେ

260 Views

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହେଉଛନ୍ତି ଦେଶର ସର୍ବଶ୍ରେଷ୍ଠ ପ୍ରଧାନମନ୍ତ୍ରୀ। ଏକଥା କହିଛନ୍ତି ଦେଶର ସଂଖ୍ୟାଧିକ ମତଦାତା। ଜାତୀୟ ସ୍ତରର ସମ୍ବାଦ ପତ୍ରିକା ‘ଇଣ୍ଡିଆ ଟୁଡେ’ ପକ୍ଷରୁ ମୁଡ୍‌ ଅଫ୍‌ ଦ ନେସନ୍‌ (ଏମ୍‌ଓଟଟିଏନ୍‌) ଶୀର୍ଷକ ଆଧାରରେ ଗତ ଜୁଲାଇ ମାସରେ କରା ଯାଇଥିବା ଏକ ସର୍ଭେର ଫଳାଫଳରୁ ଏହି ତଥ୍ୟ ସାମନାକୁ ଆସିଛି।

ଏହି ସର୍ଭେରେ ଅଂଶଗ୍ରହଣକାରୀଙ୍କ ମଧ୍ୟରୁ ୨୬ ପ୍ରତିଶତ ନରେନ୍ଦ୍ର ମୋଦିଙ୍କୁ ଦେଶର ସର୍ବଶ୍ରେଷ୍ଠ ପ୍ରଧାନମନ୍ତ୍ରୀ ବୋଲି କହିଥିବା ବେଳେ ୨୦ ପ୍ରତିଶତ ଇନ୍ଦିରା ଗାନ୍ଧୀଙ୍କୁ ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ ବୋଲି ଦର୍ଶାଇଥିଲେ। ସେହିପରି ୧୨ ପ୍ରତିଶତ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ ବୋଲି କହିଥିବା ବେଳେ ୧୦ ପ୍ରତିଶତ ନେହରୁ ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ ବୋଲି କହିଛନ୍ତି।

ଦେଶର ହିନ୍ଦୁ ଭୋଟରମାନଙ୍କ ମଧ୍ୟରେ ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ ଭାବେ ପ୍ରଥମ ପସନ୍ଦ ହେଉଛନ୍ତି ନରେନ୍ଦ୍ର ମୋଦି। ମୋଦିଙ୍କ ପଛକୁ ରହିଛନ୍ତି ଇନ୍ଦିରା ଗାନ୍ଧୀ ଓ ଅଟଳ ବିହାରୀ ବାଜପେୟୀ। ଏହି ତାଲିକାର ସବାତଳକୁ ରହିଛନ୍ତି ଯଥାକ୍ରମେ ଏଚ୍‌ ଡି ଦେବେଗୌଡ଼ା, ବି ଭି ନରସିଂହା ରାଓ, ଚନ୍ଦ୍ରଶେଖର ଏବଂ ଭି ପି ସିଂହ। ୨୮ ପ୍ରତିଶତ ହିନ୍ଦୁ ଭୋଟର ନରେନ୍ଦ୍ର ମୋଦିଙ୍କୁ ସର୍ବଶ୍ରେଷ୍ଠ ପ୍ରଧାନମନ୍ତ୍ରୀ ବୋଲି କହୁଥିବା ବେଳେ ୧୧ ପ୍ରତିଶତ ମୁସ୍‌ଲିମ୍‌ ଭୋଟର ନରେନ୍ଦ୍ର ମୋଦିଙ୍କୁ ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ ବୋଲି କହିଛନ୍ତି। ଉତ୍ତର ଭାରତ ଓ ପୂର୍ବ ଭାରତର ଭୋଟରମାନଙ୍କ ମଧ୍ୟରୁ ସଂଖ୍ୟାଧିକ ଭୋଟର ନରେନ୍ଦ୍ର ମୋଦିଙ୍କୁ ଦେଶର ସର୍ବଶ୍ରେଷ୍ଠ ପ୍ରଧାନମନ୍ତ୍ରୀ ରୂପେ ବିବେଚନା କରୁଥିବା ଏହି ସର୍ଭେର ଫଳାଫଳରୁ ଜଣାପଡ଼ିଛି।

 

By amfnews

Related Post