Thu. Sep 3rd, 2026

ବସ୍ ମାଲିକ ସଂଘର ଆନ୍ଦୋଳନ ୩୦ ପର୍ଯ୍ୟନ୍ତ ସ୍ଥଗିତ

164 Views

ଭୁବନେଶ୍ବର : ପୁରୀରେ ଏକ ବସ୍ ପର୍‌ମିଟ୍‌ ବାତିଲ୍ ନେଇ ଆନ୍ଦୋଳନର ଧମକ ଦେଇଥିଲା ରାଜ୍ୟ ବସ୍ ମାଲିକ ସଂଘ। ଗତକାଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ସହ ଆଲୋଚନା ପରେ ଆନ୍ଦୋଳନକୁ ୩୦ ତାରିଖ ଯାଏ ସ୍ଥଗିତ ରଖାଯାଇଛି।

ବୈଠକରେ ମନ୍ତ୍ରୀ ଶ୍ରୀ ବେହେରା ସଂଘର ଦାବି ଉପରେ ପୁନଃସମୀକ୍ଷା କରିବାକୁ ସମ୍ମତି ଦେବା ସହ ଏଥି ପାଇଁ ଅନ୍ୟୁନ ୧୫ ଦିନ ସମୟ ଦରକାର ବୋଲି କହିଥିଲେ। ତେଣୁ ଏହି ସମୟ ମଧ୍ୟରେ ସଂଘ କୌଣସି ଆନ୍ଦୋଳନକୁ ନ ଯିବା ପାଇଁ ମନ୍ତ୍ରୀ ଅନୁରୋଧ କରିଥିଲେ। ଏହା ପରେ ଆଜି ସଂଘର ଜରୁରୀ ସାଧାରଣ ପରିଷଦ ବୈଠକ ଭୁବନେଶ୍ବରରେ ଡକାଯାଇଥିଲା। ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ ଏଥିରେ ସଭାପତିତ୍ବ‌ କରିଥିଲେ। ମନ୍ତ୍ରୀଙ୍କ ଅନୁରୋଧକୁ ରକ୍ଷା କରି ଆସନ୍ତା ୧୨ ତାରିଖରୁ ହେବାକୁ ଥିବା ଆନ୍ଦୋଳନକୁ ୩୦ ଯାଏ ସ୍ଥଗିତ ରଖିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା। ବସ୍ ଉପରେ ଜିଏସ୍‌ଟି ସଂକ୍ରାନ୍ତରେ ପୁନର୍ବିଚାର କରିବା ପାଇଁ ରାଜ୍ୟ ଅର୍ଥ ମନ୍ତ୍ରୀଙ୍କୁ ଦାବିପତ୍ର ଦେବା ପାଇଁ ସ୍ଥିର ହୋଇଛି ବୋଲି ସଂଘର ମୁଖପାତ୍ର ଦେବାଶିଷ ନାୟକ ଜଣାଇଛନ୍ତି। ବୈଠକରେ ଲୋକନାଥ ପାଣି, ବରଦା ଆଚାର୍ଯ୍ୟ, ବିଜୟ ମହାନ୍ତି, ସୁବାସ ପଟ୍ଟନାୟକ, ମାନସ ପାତ୍ର, ଶ୍ରୀକାନ୍ତ ପାଣି, ହେମନ୍ତ ପଣ୍ଡା ଓ ଶ୍ରୀନିବାସ ପତିଙ୍କ ସମସ୍ତ ଆଞ୍ଚଳିକ ସଂଘର ପ୍ରତିନିଧି ଉପସ୍ଥିତ ଥିଲେ।

By amfnews

Related Post