Fri. Jul 24th, 2026

ବସ୍‌ ଭିତରେ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣା : ନିଜ ଭୁଲକୁ ପରିବହନ ବିଭାଗ ଚାପି ଦେଲା!

170 Views

ପୁରୀ/କଟକ : ପୁରୀ ଶରଧାବାଲି ବସ୍‌ଷ୍ଟାଣ୍ଡ‌‌ରେ ଘଟିଥିବା ନାବାଳିକ‌ା ଦୁଷ୍କର୍ମ ମାମଲାରେ ପୁଲିସ ଅଭିଯୁକ୍ତ ହେଲପର୍‌ ନାରାୟଣ ମଲ୍ଲିକକୁ ଗିରଫ କରି ତା’ ବିରୋଧରେ ପୋସ୍କୋ‌ ଆକ୍ଟରେ ମାମଲା ରୁଜୁ କରିଛି। ସେପଟେ ରାଜ୍ୟ ପରିବହନ ବିଭାଗ ମଧ୍ୟ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଯେଉଁ ବସ୍‌ (ନଂ ଓଡି-୧୩ଏଚ-୯୪୭୭)ରେ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିଲା, ସେ ବସ୍‌ର ରୁଟ୍ ପରମିଟ୍‌କୁ ବାତିଲ କରିଛି ପରିବହନ ବିଭାଗ। ଏଥି ସହିତ ବସ୍‌ ଚାଳକ ରମେଶ ପଲାଇ ଓ କଣ୍ଡକ୍ଟରଙ୍କ ଲାଇସେନ୍‌ସ ରଦ୍ଦ କରାଯିବା ସହ ବସ୍‌ର ମାଲିକ ବିଭୂତି ଭୂଷଣ ଛୋଟରାୟଙ୍କୁ କାହିଁକି ବସ୍‌ ଚଳାଚଳ ପାଇଁ ସ୍ଥାୟୀ ପରିମିଟ ରଦ୍ଦ କରା ନଯିବ, ସେଥିପାଇଁ ୧୫ ଦିନ ମଧ୍ୟରେ ଜବାବ ରଖିବାକୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ରାଜ୍ୟ ପରିବହନ କମିଶନର ଅନିଲ ସାମଲ। ତେବେ ପରିବହନ ବିଭାଗର ଏହି କାର୍ଯ୍ୟାନୁଷ୍ଠାନକୁ ସ୍ବାଗତ କରାଯାଇଥିଲେ ମଧ୍ୟ ବିଭାଗ ନିଜ ଭୁଲକୁ ଘଣ୍ଟ ଘୋଡ‌ାଇବାରେ ସକ୍ଷମ ହୋଇଛି।

ଦିଲ୍ଲୀର ନିର୍ଭୟା ଘଟଣା ପରେ ସମସ୍ତ ବସ୍‌ରେ ସିସିଟିଭି ଲଗାଇବାକୁ ବାଧ୍ୟତାମୂଳକ କରିଥିଲେ ସୁପ୍ରିମ୍‌କୋର୍ଟ। କିନ୍ତୁ ରାଜ୍ୟ‌ରେ ଏଯାବତ୍‌ ତାହା କାର୍ଯ୍ୟକାରୀ ‌ହେଲାନାହିଁ। ସୂଚନା ମୁତାବକ, ରାଜ୍ୟରେ ଚଳାଚଳ କରୁଥିବା ପ୍ରାୟ ୯୦ ପ୍ରତିଶତ ବସ୍‌ରେ ସିସିଟିଭି କ୍ୟାମେରା ହିଁ ନାହିଁ। ଆଉ ସବୁଠୁ ବଡ଼ କଥା ହେଲା, ପରିବହନ ବିଭାଗ ଏ ବାବଦରେ କେବେ ବି କୌଣସି ବସ୍‌ ମାଲିକଙ୍କୁ ନୋଟିସ୍‌ କରିନାହିଁ କି ସିସି କ୍ୟାମେରା ନଥିବା ଅଭିଯୋଗରେ ବସ୍‌ରେ କେବେ ଚଢଉ କରିନାହିଁ। ଚୋର ଗ‌ଲ‌ା ପରେ ବୁଦ୍ଧି ପଶିବା ନ୍ୟାୟରେ ଦୁଷ୍କର୍ମ ଘଟଣା ପ‌ରେ ଏହି ପଦକ୍ଷେପ ନିଆଯାଇଛି।
ବସ୍‌ରେ ମହିଳାଙ୍କ ସୁରକ୍ଷାକୁ ନେଇ ‌ଏବେ ସବୁଠୁ ବଡ଼ ପ୍ରଶ୍ନ। ଗତ ୮ ତାରିଖ ରାତିରେ ଏହି ଅଭାବନୀୟ ଘଟଣା ପୁରୀର ଆଇନଶୃଙ୍ଖଳା ବ୍ୟବସ୍ଥା ଉପରେ ମଧ୍ୟ ଅନେକ ପ୍ରଶ୍ନ ଛିଡ଼ା କରିଛି।

ଅନ୍ୟପକ୍ଷରେ ମାଳତୀପାଟପୁର ୱାଟର ପାର୍କ କତୃର୍ପକ୍ଷ କିଭଳି ଜଣେ ନାବାଳିକାଙ୍କୁ ନିଯୁକ୍ତି ଦେଇଥିଲେ ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ନାବାଳିକାଙ୍କୁ ନିଯୁକ୍ତି ଦେବା ଆଇନତଃ ବେଆଇନ। ‌ନାବାଳିକାଙ୍କ ସୁରକ୍ଷା ବ୍ୟବସ୍ଥା କରିନଥିବାରୁ ୱାଟର ପାର୍କ କତୃର୍ପକ୍ଷଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି। ବିଶ୍ବପ୍ରସିଦ୍ଧ ରଥଯାତ୍ରା ସମୟରେ ସମଗ୍ର ପୁରୀ ସହର ପୁଲିସ ଛାଉଣିରେ ଥିବା ବେଳେ ଘଟଣା ସଂପର୍କରେ ଖୋଦ ପୁଲିସ ଜାଣିନପାରିବା ସବୁଠୁ ପରିତାପର ବିଷୟ। ସୂଚନାଯୋଗ୍ୟ, ଗତ ୮ ତାରିଖ ରାତିରେ କେନ୍ଦୁଝର ଜିଲ୍ଲାର ଏହି ୧୬ ବର୍ଷର ନାବାଳିକାଙ୍କୁ ଅଭିଯୁକ୍ତ ନାରାୟଣ ମଲ୍ଲିକ ବସ୍‌ ଭିତରେ ଦୁଷ୍କର୍ମ କରିଥିଲା।

By amfnews

Related Post