Sun. Apr 26th, 2026
252 Views

ଯାଜପୁର , ଜାନୁୟାରୀ ୦୭  : ବରୀ ନିର୍ବାଚନମଣ୍ଡଳୀର ରାଜନୈତିକ ପାଣିପାଗ ଏବେ ଉଷ୍ମ ହେବାରେ ଲାଗିଛି। ଆସନ୍ତା ୧୨ ତାରିଖରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବରୀ ଗସ୍ତରେ ଆସୁଛନ୍ତି। ଏହାକୁ ନେଇ କଂଗ୍ରେସ ଶିବିର ବେଶ୍‌ ଉତ୍ସାହିତ। କଂଗ୍ରେସ ଯୁବନେତା ଉମେଶ ଜେନାଙ୍କ ନେତୃତ୍ବରେ ଏଠାରେ କଂଗ୍ରେସ ସଂଗଠନ ଅପେକ୍ଷାକୃତ ସୁଦୃଢ଼ ହେବାରେ ଲାଗିଛି। ତେଣୁ ଏହାକୁ ନେଇ ଉଭୟ ବିଜେଡି ଏବଂ ବିଜେପି ଶିବିର ଚିନ୍ତାରେ ପଡିଛନ୍ତି। କଂଗ୍ରେସର ଉତ୍‌ଥାନ ହେଲେ କିଏ ଅଧିକ କ୍ଷତିଗ୍ରସ୍ତ ହେବ ସେ ନେଇ ଚର୍ଚ୍ଚା ଜୋର ଧରିଛି।

ବରୀ ନିର୍ବାଚନମଣ୍ଡଳୀରୁ ଲଗାତର ଚାରି ଚାରି ଥର ବିଧାୟକ ହୋଇଥିବା ଦେବାଶିଷ ନାୟକଙ୍କୁ କଡ଼ା ଟକ୍କର ଦେଉଛନ୍ତି ବିଜେପି ଯୁବ ନେତା ବିଶ୍ବରଂଜନ ମଲ୍ଲିକ।ଏହି ଦୁଇ ନେତାଙ୍କ ଗୋଟି ଚାଳନା ଆସନ୍ତା ନିର୍ବାଚନକୁ ସରଗରମ କରିବ ବୋଲି ଆକଳନ କରାଯାଉଥିଲା। ତେବେ ଏଠାରେ କଂଗ୍ରେସ ଶକ୍ତିବୃଦ୍ଧି କରି ଚାଲିଥିବାରୁ ଆଗକୁ ଏହି ନିର୍ବାଚନ ମଣ୍ଡଳୀରେ ତ୍ରିକୋଣୀୟ ଲଢ଼େଇ ହେବ। ସେ ନେଇ ରାଜନୈତିକ ମହଲ ପୂର୍ବାନୁମାନ କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ମହିଳା କାର୍ଡ ଯୋଗୁଁ ବରୀ ନିର୍ବାଚନମଣ୍ଡଳୀରେ ଶାସକ ଦଳ ଆଶାୟୀ ପ୍ରାର୍ଥୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାସହ ବିଭିନ୍ନ ଦଳରେ ଅନ୍ତ‌ର୍ଦ୍ବନ୍ଦ୍ବ ମଧ୍ୟ ନିର୍ବାଚନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଚର୍ଚ୍ଚା ହେଉଛି।। ୨୦୧୪ରେ କଂଗ୍ରେସରୁ ବିଶ୍ବ ରଂଜନ ମଲ୍ଲିକ ଦେବାଶିଷଙ୍କୁ ଟକ୍କର୍ ଦେବାକୁ ଆଗେଇ ଆସିଥିଲେ। ତେବେ ଶେଷ ମୂହୁର୍ତ୍ତରେ ସେ କଂଗ୍ରେସ୍ ଟିକେଟ୍ ରୁ ବଞ୍ଚିତ ହୋଇ ସ୍ବାଧୀନ ଭାବେ ପ୍ରତିଦ୍ବନ୍ଦ୍ବିତା କରି ଅଳ୍ପ ଭୋଟ ବ୍ୟବଧାନରେ ହାରିଥିଲେ। ଇତି ମଧ୍ୟରେ ଶ୍ରୀ ମଲ୍ଲିକ ବିଜେପିରେ ଯୋଗ ଦେଇ ନିଜକୁ ଦଳର ଏକ ମାତ୍ର ପ୍ରାର୍ଥୀ ବୋଲି ଦର୍ଶାଇ ରଣନୀତି ଜୋରଦାର କରିଛନ୍ତି। ଏଭଳି ପରିସ୍ଥିତିରେ କଂଗ୍ରେସ ସଂଗଠନକୁ ମଜଭୂତ କରି ଉମେଶ ଜେନା ବିଜେଡି ଓ ବିଜେପି ନେତାଙ୍କ ବିରୋଧୀଙ୍କୁ ନିଜ ସପକ୍ଷରେ ନେବାକୁ ରଣନୀତି ଆପଣାଇଲେଣି।

ଅଧିକ ଆଶାୟୀ ପ୍ରାର୍ଥୀଙ୍କ ଯୋଗୁଁ ବିଜେଡି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ବିଜେଡି ରାଜ୍ୟ ସଂପାଦକ ବିଜୟ ନାୟକ, ମହିଳା ମୁଖପାତ୍ର ସୁଲତା ଦେଓ, ସୁଲୋଚନା ଦାସ ଏଠାରୁ ପ୍ରାର୍ଥୀ ହେବାକୁ ଚାହିଁ ବସିଛନ୍ତି। ସେହିପରି ବିଜେପିର ପୂର୍ବତନ ଜିଲ୍ଲା ସଭାପତି ତଥା ରାଷ୍ଟ୍ରୀୟ କର୍ମକର୍ତ୍ତା ଆଶୁତୋଷ ପରିଡ଼ା ନଜର ମଧ୍ୟ ବିଜେପି ଟିକେଟ୍‌ ଉପରେ ରହିଛି।

By amfnews

Related Post