Wed. Sep 2nd, 2026

ବନ୍ୟାପ୍ଳାବିତ କେରଳରେ ମୃତ୍ୟୁସଂଖ୍ୟା ୪୦ ଟପିଲା

245 Views

ତିରୁବନନ୍ତପୁରମ  : ଜଳଚାପ ହ୍ରାସ କରାଇବାକୁ ବନ୍ୟାଜଳରେ ଫୁଲି ଉଠିଥିବା ଅନେକ ଜଳଭଣ୍ଡାର ସ୍ଲୁଇସ୍‌ ଗେଟ୍‌ ଖୋଲିବାକୁ କେରଳ ଜଳଭଣ୍ଡାର ନିରାପତ୍ତା କର୍ତ୍ତୃପକ୍ଷ ଯୋଜନା କରୁଛନ୍ତି ବୋଲି ଶନିବାର ଦିନ ସରକାରୀ ଅଧିକାରୀମାନେ କହିଛନ୍ତି। ଗତ କେତେ ଦିନ ହେବ ପ୍ରବଳ ବର୍ଷା ହେତୁ ସମଗ୍ର ରାଜ୍ୟରେ ପ୍ରଳୟଙ୍କର ବନ୍ୟା ଆସିଛି।

ରାଜ୍ୟର ତୃତୀୟ ବୃହତ୍‌ ଜଳଭଣ୍ଡାର ବନସୁରସାଗର ଜଳଭଣ୍ଡାରର ସ୍ଲୁଇସ୍‌ ଗେଟ୍‌ ସବୁ ଖୋଲାଯିବା ପୂର୍ବରୁ କର୍ତ୍ତୃପକ୍ଷମାନେ ଓ୍ଵାୟନାଡ଼ ଜିଲ୍ଲାରେ ହାଇ ଆଲର୍ଟ ଜାରି କରିଥିଲେ। ଏ ପର୍ଯନ୍ତ ଓ୍ଵାୟନାଡ଼ ଜିଲ୍ଲାର ୨୦ ହଜାର ସମେତ ରାଜ୍ୟର ଏକ ଲକ୍ଷରୁ ଅଧିକ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

ଜଳଭଣ୍ଡାରରୁ ନିଷ୍କାସିତ ଜଳ ବନ୍ୟାପ୍ଳାବିତ ରାଜ୍ୟ ନିମନ୍ତେ ଅଧିକ ଅସୁବିଧା ଆଣିବ। ଗତ ୪ ଦିନ ମଧ୍ୟରେ ରାଜ୍ୟରେ ମୃତ୍ୟୁସଂଖ୍ୟା ୪୦ ଟପିଥିବା ବେଳେ ମାଟିଅତଡ଼ା ତଳେ ୫୦ରୁ ଅଧିକ ପୋତି ହୋଇ ପଡ଼ିଥିବା ଆଶଙ୍କା କରାଯାଉଛି। ପାଣିପାଗ ବିଭାଗ ୭ଟି ଜିଲ୍ଲାରେ ରେଡ୍‌ ଆଲର୍ଟ ଜାରି କରିଥିବାରୁ ରାଜ୍ୟରେ ବର୍ଷାରୁ ନିସ୍ତାର ନ ଥିବା ଭଳି ଜଣାପଡୁଛି। ଉତ୍ତର କେରଳର ଓ୍ଵାୟନାଡ଼ ଏବଂ ମାଲପୁରମ୍‌ ସବୁଠୁ ଅଧିକ ପ୍ରଭାବିତ ହୋଇଛି। ଓ୍ଵାୟନାଡ଼ର କେତେକ ସ୍ଥାନରେ ଗତ ୨୪ ଘଣ୍ଟା ମଧ୍ୟରେ ୪୦ ସେଣ୍ଟିମିଟର୍‌ ବର୍ଷା ହୋଇଛି।

By amfnews

Related Post