Fri. Jun 12th, 2026

ବନ୍ଦ ହେଲା ଟ୍ରେନରେ ପ୍ରସ୍ତାବିତ ମସାଜ ସେବା

219 Views

ନୂଆଦିଲ୍ଲୀ : ପଶ୍ଚିମ ରେଲଓ୍ୱେ ଦ୍ୱାରା ଟ୍ରେନରେ ଆରମ୍ଭ ହେବାକୁ ଥିବା ମସାଜ ସେବା ଶେଷରେ ବନ୍ଦ ହୋଇଛି। ପଶ୍ଚିମ ରେଲଓ୍ୱେ ମୁଖପାତ୍ର ରବୀନ୍ଦ୍ର ଭାସ୍କର ଗତକାଲି ଏହି ସୂଚନା ଦେଇଛନ୍ତି। ରତଲାମ ଡିଭିଜନ ପ୍ରଥମେ ଏହି ମସାଜ ସେବା ପାଇଁ ପ୍ରସ୍ତାବ ଦେଇଥିଲା।

ବିଭିନ୍ନ ମହଲରେ ଏହି ସେବାକୁ ନେଇ ସମାଲୋଚନା ହେବାପରେ ରେଳ କର୍ତ୍ତୃପକ୍ଷ ଏହି ସେବା ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଥିବା ମୁଖପାତ୍ର କହିଛନ୍ତି। ଗତକାଲି ଏହି ସେବାକୁ ନାପସନ୍ଦ କରିଥିଲେ ଲୋକସଭାର ପୂର୍ବତନ ବାଚସ୍ପତି ସୁମିତ୍ରା ମହାଜନ। ସେ କହିଥିଲେ ମହିଳା ଯାତ୍ରୀଙ୍କ ସାମ୍ନାରେ ଏଭଳି ସେବା ଉପଲବ୍ଧ କରାଇବା ଭାରତୀୟ ସଂସ୍କୃତିର ବିରୁଦ୍ଧାଚରଣ କରୁଛି। ଏ ନେଇ ରେଳମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଚିଠି ଲେଖି ଅବଗତ କରାଇଥିଲେ ଶ୍ରୀମତୀ ମହାଜନ। ଏହା ପୂର୍ବରୁ ଇନ୍ଦୋରର ନବନିର୍ବାଚିତ ସାଂସଦ ଲାଲୱାନୀ ମଧ୍ୟ ମସାଜ ସେବାକୁ ନାପସନ୍ଦ କରିଥିଲେ।

ସୂଚନାଯୋଗ୍ୟ, ଟ୍ରେନରେ ଯାତ୍ରୀଙ୍କୁ ଉଭୟ ପାଦ ଓ ମୁଣ୍ଡର ମସାଜ ସେବା ମିଳିବ ବୋଲି ଘୋଷଣା କରିଥିଲା ରେଳ ବିଭାଗ। ଏଥିପାଇଁ ୧୦୦ ଟଙ୍କାର ଟିକଟ ବ୍ୟତୀତ ଅତିରିକ୍ତ ଦେୟ ଦେବାକୁ ପଡ଼ିବ ବୋଲି କୁହାଯାଇ ଥିଲା।

ପ୍ରାଥମିକ ଭାବରେ ୩୯ଟି ଟ୍ରେନରେ ଏହି ସୁବିଧା ଉପଲବ୍ଧ ହେବ ବୋଲି ମଧ୍ୟପ୍ରଦେଶ ଇନ୍ଦୋର ରେଲଓ୍ୱେ ଷ୍ଟେସନର ଜଣେ ରେଳ ଅଧିକାରୀ ସୂଚନା ଦେଇଥିଲେ। ଏଥିପାଇଁ ୩ରୁ ୫ ଜଣ ପୁରୁଷ ମସାଜ ସେବା ପାଇଁ ନିଯୁକ୍ତି ପାଇଥିଲେ ଏବଂ ଏମାନଙ୍କୁ ପରିଚୟ ପତ୍ର ଦେଇ ଦିଆଯାଇଥିବା ଜଣାପଡ଼ିଛି।

ଏହି ସେବା ଦ୍ୱାରା ରେଳଯାତ୍ରା ଆରାମଦାୟକ ହେବ। ତା’ ସହିତ ଭାରତୀୟ ରେଳ ବାର୍ଷିକ ୨୦ ଲକ୍ଷରୁ ଅଧିକ ରୋଜଗାର କରିବ ବୋଲି ଆଶା ରଖିଥିଲା ରେଳ ବିଭାଗ।

By amfnews

Related Post