Tue. Aug 25th, 2026
309 Views

ଭୁବନେଶ୍ୱର :  ୟେସ୍ ବ୍ୟାଙ୍କରୁ ଫେରିଲା ମହାପ୍ରଭୁ ଜଗନ୍ନାଥଙ୍କ ବାକି ୧୫୬ କୋଟି ଟଙ୍କା।  ପୂର୍ବରୁ ପ୍ରଥମ ଦଫାରେ ୟେସ୍ ବ୍ୟାଙ୍କରୁ ଜଗନ୍ନାଥଙ୍କ ୩୯୭ କୋଟି ୨୩ ଲକ୍ଷ ଟଙ୍କା ଫେରିଥିବା ବେଳେ, ଆଜି ଦ୍ୱିତୀୟ ଦଫାରେ ମାଚ୍ୟୁରିଟି ସରିବା ପରେ ବାକି ୧୫୬ କୋଟି ଟଙ୍କା ମଧ୍ୟ ଫେରିଛି । ଏଥିସହ ଶେଷ ତ୍ରୟମାସର ସୁଧ ବାବଦରେ ୩ କୋଟି ୩୫ ଲକ୍ଷ ୩୮ ହଜାର ୮୬୩ ଟଙ୍କା ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ଆକାଉଣ୍ଟରେ ଜମା ହୋଇଛି ।

ଦ୍ୱିତୀୟ ପର୍ଯ୍ୟାୟରେ ଫେରିଥିବା ଏହି ସମସ୍ତ ଟଙ୍କା ପୁରୀ SBI ମୁଖ୍ୟ ଶାଖାକୁ ଟ୍ରାନ୍ସଫର ହୋଇଛି। ଏହି ଟଙ୍କାକୁ ଆଗାମୀ ଦିନରେ କେଉଁଠି ରଖାଯିବ, ସେନେଇ ମଧ୍ୟ ଆଜି ପରିଚାଳନା କମିଟି ସଦସ୍ୟ ଓ ବ୍ୟାଙ୍କ ପ୍ରତିନିଧି ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ବ୍ୟାଙ୍କ ଅଫ୍ ବରୋଦା ସର୍ବାଧିକ ୬.୦୫ ପ୍ରତିଶତ ସୁଧ ଦେବାକୁ ରାଜି ହୋଇଥିଲେ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଟଙ୍କା ଜମା ନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ ।

ସେପଟେ ଆଜି ଚନ୍ଦନଯାତ୍ରା, ସ୍ନାନ ଯାତ୍ରା ଓ ରଥଯାତ୍ରା ପାଇଁ ମଧ୍ୟ ବଜେଟ୍ କରାଯାଇଥିବା ସୂଚନା ମିଳିଛି। ଏଥିସହ ଶ୍ରୀ ଜଗନ୍ନାଥ ମହାପ୍ରଭୁ କରୋନା ରିଲିଫ ଫଣ୍ଡକୁ ପରିଚାଳନା କମିଟି ସଦସ୍ୟ ମାନେ ସେମାନଙ୍କ ୨ ବର୍ଷର ସିଟିଙ୍ଗ୍ ଫି ଦାନ କରିଛନ୍ତି ବୋଲି ପରିଚାଳନା କମିଟି ସଦସ୍ୟ କହିଛନ୍ତି।

By amfnews

Related Post